ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ୍ରେ ସୁରକ୍ଷାବାହିନୀ ଆତଙ୍କବାଦୀଙ୍କ ବିରୋଧରେ ବଡ଼ ଧରଣର ଅପରେସନ୍ ଜାରି ରଖିଛି। ‘ଅପରେସନ୍ ନାଦେର’ ଅଧୀନରେ ପୁଲୱାମାର ନାଦେର ତ୍ରାଲ୍ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ନିହତ ହୋଇଥିବା ୩ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଗୋଷ୍ଠୀର। ମିଳିତ ସୁରକ୍ଷା ବାହିନୀ ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ଅବନ୍ତିପୁରାରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ତେବେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବାରୁ ସର୍ଚ୍ଚ ଅପରେସନ୍ ଏନକାଉଣ୍ଟରରେ ପରିଣତ ହୋଇଥିଲା। ଅପରେସନ୍ ଏବେ ବି ଜାରି ରହିଛି ବୋଲି ଭାରତୀୟ ସେନାର ଚିନାର କର୍ପ୍ସ ଏକ୍ସରେ ଏକ ପୋଷ୍ଟ୍ କରି କହିଛି।
ଉଲ୍ଲେଖଯୋଗ୍ୟ, ଦକ୍ଷିଣ କାଶ୍ମୀରର ସୋପିଆନ୍ରେ ଗତ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହେବାପରେ ଏହା ଦ୍ବିତୀୟ ଘଟଣା। ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ‘ଅପରେସନ୍ କେଲର’ରେ ୩ ଜଣ କୁଖ୍ୟାତ ଆତଙ୍କବାଦୀ ନିପାତ ହୋଇଥିଲେ। ସେମାନଙ୍କ ମଧ୍ୟରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ୍ ମଧ୍ୟ ଥିଲା। ଏଲ୍ଇଟି ଆତଙ୍କବାଦୀ ଗୋଷ୍ଠୀର ନିପାତ ହୋଇଥିବା ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇନି। ସୋପିଆନ ଜିଲ୍ଲାର ସୁଖ୍ରୁ ଜଙ୍ଗଲରେ ୩ ଆତଙ୍କବାଦୀ ନିପାତ ହୋଇଥିଲେ। ଅପରେସନ୍ କେଲରରେ ଭାରତୀୟ ସେନା ଦ୍ବାରା ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଥିଲା। ଭାରତ ପାକିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ କରିଥିବା ‘ଅପରେସନ୍ ସିନ୍ଦୂର’ ସଫଳ ହେବାପରେ କାଶ୍ମୀରରେ ଏବେ ମିଳିତ ସୁରକ୍ଷା ବାହିନୀର ଅପରେସନ ବ୍ୟାପକ ହୋଇଛି।