ତେଲ୍‌ ଅବିବ: ଲେବାନନ୍‌ରେ ଇସ୍ରାଏଲର ସବୁଠାରୁ ଭୟାନକ ଆକ୍ରମଣରେ ଇସ୍‌ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲାର ମୁଖ୍ୟ ହସନ ନସ୍‌ରଲ୍ଲା ନିପାତ ହୋଇଛି। ବେରୁତର ସର୍ବାଧିକ ଜନବହୁଳ ଅଞ୍ଚଳରେ ଅବସ୍ଥିତ ହେଜବୁଲ୍ଲାର ମୁଖ୍ୟାଳୟ ସମେତ ଏହା ସଂଲଗ୍ନ ଅନ୍ୟ ୬ଟି ବିଶାଳ କୋଠାକୁ ଇସ୍ରାଏଲ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କରି ଧ୍ବସ୍ତ କରିଛି। ଏହି ଆକ୍ରମଣରେ ନସ୍‌ରଲ୍ଲା ସମେତ ହେଜବୁଲ୍ଲାର ୪ ଜଣ ଶୀର୍ଷ କମାଣ୍ଡର ଓ ଅତିରକ୍ତ କମାଣ୍ଡରଙ୍କ ମୃତ୍ୟୁ ଘଟିବା ହେଜବୁଲ୍ଲା ପାଇଁ ପ୍ରଚଣ୍ଡ ଝଟ୍‌କା ହୋଇଛି। ନସ୍‌ରଲ୍ଲାର ଝିଅ ଜେନବ୍‌ ନସରଲ୍ଲା ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡ଼ିଛି।

Advertisment

ଏବେ ବିଶ୍ୱକୁ ଆତଙ୍କିତ କରି ରଖିବାର ସମୟ ଶେଷ: ଇସ୍ରାଏଲ

୪ ଶୀର୍ଷ କମାଣ୍ଡର ସମେତ ୧୨ ନିହତ
ଇରାନ୍‌ର ସର୍ବୋଚ୍ଚ ନେତା ଖେମିନିଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ହେଜବୁଲ୍ଲା ମୁଖ୍ୟାଳୟ ଏବଂ ଏହା ସଂଲଗ୍ନ କୋଠା ଓ ବଙ୍କରରେ ଥିବା ଶତାଧିକ ହେଜବୁଲ୍ଲା ସଦସ୍ୟ ଗୁରୁତର ଆହତ ହୋଇଥିବା ବେଳେ ଭଗ୍ନସ୍ତୂପ ତଳେ ୨ ଶହରୁ ଅଧିକ ଫସି ରହିଥିବା ଜଣାପଡ଼ିଛି। ଶୁକ୍ରବାର ରାତିରେ ହୋଇଥିବା ଏହି ପ୍ରଚଣ୍ଡ ଆକ୍ରମଣ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ କରାଯାଇଥିଲା ଏବଂ ନସ୍‌ରଲ୍ଲାକୁ ସୁରକ୍ଷା ଦେଉଥିବା ହେଜବୁଲ୍ଲାର ସ୍ବତନ୍ତ୍ର ବାହିନୀ ଏହାର ସାମାନ୍ୟତମ ଟେର୍‌ ପାଇନଥିଲା। ଗତକାଲି ଜାତିସଂଘରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଭାଷଣ ପରେ ଏହି ଆକ୍ରମଣ ହୋଇଥିଲା। ସମଗ୍ର ଇସ୍‌ଲାମିକ ଜଗତରେ ପ୍ରଭାବ ବିସ୍ତାର କରିଥିବା ନସ୍‌ରଲ୍ଲା ଇରାନର ସର୍ବୋଚ୍ଚ ନେତା ସୟଦ ଅଲି ଖେମିନିଙ୍କ ଅତ୍ୟନ୍ତ ପ୍ରିୟ ଥିଲା ଏବଂ ଇରାନ୍‌ ହେଜବୁଲ୍ଲାକୁ ଇସ୍ରାଏଲ ବିରୋଧରେ ସବୁଠାରୁ ବଡ଼ ଅସ୍ତ୍ର କରିଥିଲା। ନସ୍‌ରଲ୍ଲାକୁ ନିପାତ କରିବା ପାଇଁ ଇସ୍ରାଏଲ ଏହି ସାମରିକ ଅଭିଯାନର ନାମ ରଖିଥିଲା ‘ଅପରେସନ ନ୍ୟୁ ଅର୍ଡର’। ୧୯୯୨ମସିହାରେ ହେଜବୁଲ୍ଲା ସଂଗଠନର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ନସ୍‌ରଲ୍ଲାର ମୃତ୍ୟୁକୁ ମଧ୍ୟ ହିଜବୁଲ୍ଲା ନିଶ୍ଚିତ କରିଛି ଏବଂ ଏହି ଘଟଣା ଇସ୍ରାଏଲର ଶତ୍ରୁ ମହଲରେ ଆତଙ୍କ ଖେଳାଇ ଦେଇଛି।

ଇସ୍ରାଏଲ ସେନା କହିଛି ଯେ ବାୟୁସେନାର ‘ଅପରେସନ ନ୍ୟୁ ଅର୍ଡର’ ସଫଳ ହୋଇଛି ଏବଂ ହସନ ନସ୍‌ରଲ୍ଲା ଆଉ ବିଶ୍ୱକୁ ଆତଙ୍କିତ କରିପାରିବ ନାହିଁ। ହେଜବୁଲ୍ଲାକୁ ମୂଳପୋଛ କରାଯିବା ପର୍ଯ୍ୟନ୍ତ ଅପରେସନ ଜାରି ରହିବ ବୋଲି ଆଇଡିଏଫ୍‌ କହିଛି। ଅନ୍ୟପକ୍ଷରେ ଲେବାନନ୍‌ ପରେ ଇରାନରେ ମଧ୍ୟ ଇସ୍ରାଏଲ ବଡ଼ ଆକ୍ରମଣ କରିପାରେ ବୋଲି ଆଶଙ୍କା କରି ହାଇଆଲର୍ଟ ଜାରି ହୋଇଛି। ଇରାନର ସର୍ବୋଚ୍ଚ ନେତା ଅଲି ଖେମିନିଙ୍କୁ କଡ଼ା ସୁରକ୍ଷା ବଳୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲେବାନନ୍‌ ଉପରେ ଇସ୍ରାଏଲ ଆକ୍ରମଣକୁ ଆଜି ଇରାନ କଡ଼ା ନିନ୍ଦା କରିବା ସହ ଇସ୍‌ଲାମିକ ସହଯୋଗ ସଂଗଠନ(ଓଆଇସି)କୁ ଜରୁରୀ ବୈଠକ ଡକାଇବାକୁ ପ୍ରସ୍ତାବ ଦେଇଛି। ଇତିମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କ ଆମେରିକା ଗସ୍ତ କାଣ୍ଟଛାଣ୍ଟ କରି ତେଲ୍‌ ଅବିବ୍‌ ଫେରିଆସିଛନ୍ତି। ନସ୍‌ରଲ୍ଲାକୁ ହତ୍ୟାର ପ୍ରତିଶୋଧ ନେବାପାଇଁ ଇରାନ୍, ସିରିୟା, ଇରାକ୍‌, ଲେବାନନ୍ ଓ ୟେମେନରୁ ଇସ୍ରାଏଲ ଉପରେ ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ ଆଶଙ୍କା ରହିଛି। ଏହାର ମୁକାବିଲା ପାଇଁ ଇସ୍ରାଏଲର ଶୀର୍ଷ କମାଣ୍ଡରମାନେ ଆଜି ଏକ ଜରୁରୀ ବୈଠକରେ ରଣନୀତି ନିର୍ଦ୍ଧାରଣ କରିଛନ୍ତି।