ତେଲ ଅବିବ: ଇରାନର ପ୍ରମୁଖ ସାମରିକ ଏବଂ ପରମାଣୁ ପ୍ରତିଷ୍ଠାନ ଉପରେ ଇସ୍ରାଏଲ ଆଜି ପ୍ରଚଣ୍ଡ ଆକ୍ରମଣ କରିଛି। ପରମାଣୁ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଇସ୍ରାଏଲ ଏଭଳି ଆଗୁଆ ଆକ୍ରମଣ କରିଥିବା ବେଳେ ଏହାକୁ ନେଇ ମଧ୍ୟପ୍ରାଚ୍ୟ ଏକ ଭୀଷଣ ସଂଘର୍ଷର ଦ୍ବାରଦେଶରେ ପହଞ୍ଚିଯାଇଛି। ଇସ୍ରାଏଲ ଆକ୍ରମଣରେ ଇରାନର ୬ଟି ପରମାଣୁ କେନ୍ଦ୍ର ସମେତ ବିଭିନ୍ନ ସାମରିକ ପ୍ରତିଷ୍ଠାନ ଧ୍ବସ୍ତ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଇସ୍ରାଏଲ ସେନାମୁଖ୍ୟ ହୁସେନ ସଲାମୀ, ୨୦ରୁ ଅଧିକ ଶୀର୍ଷ କମାଣ୍ଡର ଏବଂ ଅନେକ ପରମାଣୁ ବୈଜ୍ଞାନିକଙ୍କ ସମେତ ୮୦ ଜଣଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଆଜି ସକାଳେ ଅପରେସନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବା ଘୋଷଣା କରିଥିବା ବେଳେ ହଠାତ ଆଜି ରାତିରେ ଦ୍ବିତୀୟ ପର୍ଯ୍ୟାୟ ଆକ୍ରମଣ ଆରମ୍ଭ କରିଛି। ଇରାନ୍‌ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଇସ୍ରାଏଲ ଆକ୍ରମଣକୁ ରୋକିବାରେ ବିଫଳ ହୋଇଛି। ଇସ୍ରାଏଲ ବାୟୁସେନାର ଶତାଧିକ ବିମାନ ସାମିଲ ହୋଇଥିବା ଜଣାପଡ଼ିଛି। 

Advertisment

ସେନାମୁଖ୍ୟ, ୨୦ ଶୀର୍ଷ କମାଣ୍ଡର ସମେତ ଅନେକ ପରମାଣୁ ବୈଜ୍ଞାନିକ ନିହତ
୮୦ ମୃତ, ୨୫୦ରୁ ଅଧିକ ଆହତ
ଇରାନର ଡ୍ରୋନ୍‌ ଆକ୍ରମଣକୁ ପଣ୍ଡ କଲା ଇସ୍ରାଏଲ

ଇରାନର ସରକାରୀ ଗଣମାଧ୍ୟମ ମଧ୍ୟ ତେହେରାନର ଆବାସିକ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ  ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରିଛି। ଇରାନ, ଇସ୍ରାଏଲ ଆକ୍ରମଣର ଜବାବରେ ଶତାଧିକ ଡ୍ରୋନ୍‌ ଆକ୍ରମଣ କରିଥିବା ବେଳେ ଇସ୍ରାଏଲ ସମସ୍ତ ଡ୍ରୋନ୍‌କୁ ସଫଳତାର ସହ ଖସାଇ ଦେଇଥିବା ଦାବି କରିଛି। ସକାଳୁ ଇସ୍ରାଏଲ ଆଡ଼କୁ ନିକ୍ଷେପିତ ଇରାନୀ ଡ୍ରୋନର ମୁକାବିଲା ପାଇଁ ଇସ୍ରାଏଲ ବାୟୁସେନା  ଲଢୁଆ ବିମାନ ମୁତୟନ କରିଥିଲା। ସାମରିକ କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ଯେ ଏହି ଇଣ୍ଟର୍‌ସେପ୍ସନ୍ ଅପରେସନ୍ ଇସ୍ରାଏଲ ସୀମା ବାହାରେ ହୋଇଥିଲା ଏବଂ ଗୋଟିଏ ବି ଡ୍ରୋନ୍‌ ଇସ୍ରାଏଲ ସୀମାରେ ପ୍ରବେଶ କରିବାକୁ ସକ୍ଷମ ହୋଇନାହିଁ।  

ଅନ୍ୟପକ୍ଷରେ  ଇରାନ  ବହୁତ ବଡ଼ ପ୍ରତିଶୋଧ ନେବା  ସମ୍ଭାବନା ଥିବାରୁ ଇସ୍ରାଏଲରେ ସର୍ବାଧିକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି।   ଇରାନ ଅତି ଦ୍ରୁତ ଗତିରେ ପରମାଣୁ ଅସ୍ତ୍ର ବିକଶିତ କରିବା ବିରୋଧରେ ଇସ୍ରାଏଲର ଏଭଳି ଆକ୍ରମଣକୁ ଆମେରିକା ଯଥାର୍ଥ ଦର୍ଶାଇଛି।  ଇସ୍ରାଏଲର ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଜରୁରି ଥିଲା  ଏବଂ ଇରାନ ଏବେ ପରମାଣୁ ଚୁକ୍ତି କରିବାକୁ ବାଧ୍ୟ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।    ଇରାନ ବିରୋଧରେ ଇସ୍ରାଏଲର ଯୋଜନାବଦ୍ଧ ଆକ୍ରମଣ ବିଷୟରେ ମୁଁ ପୂର୍ବରୁ ଅବଗତ ଥିଲି ବୋଲି ଟ୍ରମ୍ପ କହିଛନ୍ତି। ଇରାନ ପାଖରେ ପରମାଣୁ ବୋମା ରହିପାରିବ ନାହିଁ ଏବଂ ଆମେ ଆଲୋଚନା ଟେବୁଲକୁ ଫେରିବାକୁ ଆଶା କରୁଛୁ ବୋଲି ସେ  କହିଛନ୍ତି। ଗତ କିଛି ଦିନ ମଧ୍ୟରେ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଏକାଧିକ ଥର ଆଲୋଚନା କରିଛନ୍ତି। ତେବେ ଏହି ଆକ୍ରମଣରେ ଆମେରିକାର କୌଣସି ସମ୍ପୃକ୍ତି ନାହିଁ ବୋଲି ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଛି।