ନୂଆଦିଲ୍ଲୀ: ଇରାନରୁ ପ୍ରଥମ ବ୍ୟାଚ୍ରେ ୧୧୦ ଭାରତୀୟ ଛାତ୍ରଙ୍କୁ ଧରି ଆସୁଥିବା ଏକ ସ୍ବତନ୍ତ୍ର ବିମାନ ଆଜି ଦିଲ୍ଲୀ ପହଞ୍ଚିଛି। ‘ଅପରେସନ୍ ସିନ୍ଧୁ’ ଅଧୀନରେ ଏହା ପ୍ରଥମ ସଫଳ ଉଦ୍ଧାର କାର୍ଯ୍ୟ। ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଭୀଷଣ ହେଉଥିବା ବେଳେ ଏହି ସମୟରେ ଭାରତ ଇରାନ୍ରୁ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବାପାଇଁ ‘ଅପରେସନ୍ ସିନ୍ଧୁ’ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରମାନଙ୍କୁ ତେହରାନରୁ ଆର୍ମେନିଆ ଅଣାଯାଇଥିଲା ଏବଂ ଏହାପରେ ସେମାନଙ୍କୁ ଦିଲ୍ଲୀ ଅଣାଗଲା।
ଇସ୍ରାଏଲରୁ ନାଗରିକଙ୍କୁ ଖାଲି କରିବ ଭାରତ
ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଉକ୍ତ ଉଦ୍ଧାର ଉଦ୍ୟମ ପ୍ରସଙ୍ଗରେ ସ୍ପଷ୍ଟ କରିଛନ୍ତି। ଅପରେସନ ସିନ୍ଧୁ ଅଧୀନରେ ଇରାନରୁ ଭାରତୀୟ ନାଗରିକଙ୍କୁ ସଫଳତାର ସହ ଖାଲି କରାଯାଉଥିବା ବେଳେ ଇସ୍ରାଏଲରୁ ମଧ୍ୟ ଭାରତ ଏହାର ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏକ ସରକାରୀ ବିବୃତି ଅନୁଯାୟୀ ଭାରତୀୟ ନାଗରିକଙ୍କୁ ଇସ୍ରାଏଲର ସ୍ଥଳ ସୀମା ଦେଇ ଖାଲି କରାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ସେମାନଙ୍କୁ ବାୟୁସୀମା ଦେଇ ଭାରତ ଆଣିବାପାଇଁ ବ୍ୟବସ୍ଥା କରାଯିବ। ଯେଉଁମାନେ ଇସ୍ରାଏଲ ଛାଡ଼ିବାକୁ ଚାହୁଛନ୍ତି ସେମାନେ ତେଲ୍ ଅଭିଭ୍ ସ୍ଥିତ ଭାରତୀୟ ଦୁତାବାସରେ ନିଜ ନାଁ ପଞ୍ଜୀକରଣ କରିବାପାଇଁ କୁହାଯାଇଛି। ନାଗରିକଙ୍କ ପାଇଁ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି।