ନୂଆଦିଲ୍ଲୀ: ଅପରେସନ୍‌ ସିନ୍ଦୂର ପରେ ପାକିସ୍ତାନର ନିଦ ହଜି ଯାଇଛି। ପାଲଟା ଆକ୍ରମଣ କରିବା ପାଇଁ ଏହି ଦେଶ ଯଥାସମ୍ଭବ ପ୍ରୟାସ ଚଳାଇଛି। ଗୁରୁବାର ରାତିରେ ପାକିସ୍ତାନ ପଟୁ ଅନ୍ତର୍ଜାତୀୟ ସୀମା ନିକଟରେ ଜମ୍ମୁ କାଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଏକାଧିକ ସ୍ଥାନକୁ ଟାର୍ଗେଟ୍‌ କରି ବହୁସଂଖ୍ୟାରେ ‌ରକେଟ୍‌, ଡ୍ରୋନ୍‌ ଏବଂ ଗୋଳା ବର୍ଷା କରିଛି ପାକିସ୍ତାନ। ଭାରତ ଏହି ସମସ୍ତ ଆକ୍ରମଣକୁ ପଣ୍ଡ କରିଛି ଏବଂ ଏଭଳି ଆକ୍ରମଣ ଯୋଗୁଁ  ଲଢ଼େଇ ଭୀଷଣ ରୂପ ନେଇଛି। ପାକିସ୍ତାନର ଗୋଟିଏ ଡ୍ରୋନ୍ ଜମ୍ମୁ ବିମାନବନ୍ଦରରେ ମାଡ଼ ହୋଇଛି। ଜମ୍ମୁର ଏକାଧିକ ସ୍ଥାନକୁ ଟାର୍ଗେଟ୍‌ କରି ପାକିସ୍ତାନ ରକେଟ୍‌ ମାଡ଼ କରିଛି। ଆକ୍ରମଣ ପରେ ରାତି ୮ଟାରେ ଜମ୍ମୁକୁ ବ୍ଲାକ୍‌ଆଉଟ୍‌ କରି ଦିଆଯାଇଛି। ଜମ୍ମୁ ସହରରେ ମୋବାଇଲ ସେବା ବାଧାପ୍ରାପ୍ତ ହୋଇଛି। ଜମ୍ମୁ ସହରର ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକମାନଙ୍କୁ ଖାଲି କରାଯାଉଛି। ଜୈସଲମେର୍‌ ବିମାନବନ୍ଦର ଉପରେ ହୋଇଥିବା ପାକିସ୍ତାନର ଆକ୍ରମଣକୁ ଭାରତୀୟ ସେନା ପଣ୍ଡ କରିଛି। 

Advertisment

 ପାକ୍‌ ଛାତି ଉପରେ ଭାରତର ଭୀଷଣ ଆକ୍ରମଣ
ଲାହୋର, କରାଚୀ, ରାୱଲପିଣ୍ଡିରେ ଡ୍ରୋନ୍‌ ତାଣ୍ଡବ
ଏଫ୍‌୧୬, ଜେଏଫ୍‌୧୭ ଖସାଇଲା ଭାରତ
ଭାରତର ଉଗ୍ରରୂପ ଦେଖି ପାକ୍‌ ଆତଙ୍କିତ
‘ଅାୱାକସ୍‌’କୁ ମଝି ଆକାଶରେ ଧ୍ବସ୍ତ କଲା ଭାରତ

ପଠାନକୋଟ, ଉଧମପୁର ଏବଂ ଜମ୍ମୁ ସହରରେ ଭାରତୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର ୩ଟି ଡ୍ରୋନ୍‌କୁ ଖସାଇ ଦେଇଛି। ଜମ୍ମୁ ବିଶ୍ବବିଦ୍ୟାଳୟ ନିକଟରେ ୨ଟି ଡ୍ରୋନ୍‌କୁ ଖସାଇ ଦିଆଯାଇଛି। ଭାରତୀୟ ପ୍ରତିରକ୍ଷା ବାହିନୀ ପାକିସ୍ତାନ ଦ୍ବାରା ବ୍ୟବହୃତ ଆମେରିକୀୟ ଯୁଦ୍ଧବିମାନ ଏଫ୍‌-୧୬ ଓ ଚୀନ ନିର୍ମିତ ୨ଟି ଜେଏଫ୍‌-୧୭ ଯୁଦ୍ଧବିମାନକୁ ଖସାଇ ଦେଇଛି। ଦୁଇଟି ଜେଏଫ୍‌-୧୭ ଯୁଦ୍ଧବିମାନ ଖସାଇଥିବା ଖବରକୁ ପାକିସ୍ତାନ ସ୍ବୀକାର କରିଥିଲେ ମଧ୍ୟ ଏଫ୍‌-୧୬ ବିମାନ ନେଇ ନିରବ ରହିଛି। ଜମ୍ମୁ କାଶ୍ମୀର ସମେତ ପଞ୍ଜାବ ଓ ରାଜସ୍ଥାନ ଆଦି ପ୍ରଦେଶଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି। ପଞ୍ଜାବର ଗୁରୁଦାସପୁର, ରାଜସ୍ଥାନର ବାରମେର୍‌, ଜୈସଲମେର୍‌, ଜମ୍ମୁର ବେସାମରିକ ବିମାନବନ୍ଦର, ସାମ୍ବା, ଆର୍‌ଏସ୍‌ପୁରା, ଆର୍ନିଆ ଏବଂ ଏହାର ଆଖପାଖ ଅଞ୍ଚଳକୁ ଟା‌ର୍ଗେଟ କରି ପାକିସ୍ତାନ ୮ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ସୁରକ୍ଷାକର୍ମୀମାନେ ସ୍ପଷ୍ଟ କରିଛନ୍ତି। ତେବେ ଏସବୁକୁ ଭାରତର ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସଫଳତାର ସହ ଧ୍ବଂସ କରିଦେଇଛି। ଜମ୍ମୁର ଏକାଧିକ ସ୍ଥାନରେ ବଡ଼ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ଲୋକମାନେ ଏଥିଯୋଗୁ ଭୟଭୀତ ହୋଇ ପଡ଼ିଛନ୍ତି। ପାକିସ୍ତାନ ପଟୁ ରକେଟ୍‌ ଓ ଗୋଳାମାଡ଼ ପରେ ଜମ୍ମୁକୁ ବ୍ଲାକ୍‌ଆଉଟ୍‌ କରି ଦିଆଯାଇଛି। ପଞ୍ଜାବର ଗୁରୁଦାସପୁର ଓ ପଠାନକୋଟ, ରାଜସ୍ଥାନର ବାରମେର‌୍, ଜୈସଲମେର୍‌ ଓ ଯୋଧପୁରକୁ ପ୍ରତିଦିନ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ବ୍ଲାକଆଉଟ୍‌ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ରାଜସ୍ଥାନର ବିକାନେର୍‌ ଓ ଶ୍ରୀଗଙ୍ଗାନଗରରେ ଡ୍ରୋନ୍‌ ଉଡ଼ାଣ ଏବଂ ବାଣ ଫୁଟାଇବା ଉପରେ ସ୍ଥାନୀୟ ପ୍ରଶାସନ ପ୍ରତିବନ୍ଧକ ଲଗାଇଛି। ଜମ୍ମୁର ସାମ୍ବାରେ ଜୋର୍‌ଦାର ଗୋଳାମାଡ଼ ଓ ଡ୍ରୋନ୍‌ ଆକ୍ରମଣ ହୋଇଛି। ଜମ୍ମୁର ଚନ୍ନି ଅଞ୍ଚଳକୁ ଟାର୍ଗେଟ୍‌ କରି ପାକିସ୍ତାନ ପଟୁ ରକେଟ୍‌ ନିକ୍ଷେପ କରାଯାଇଛି। ଉଧମପୁର, ଅଖନୁର, ପଠାନକୋଟ, ସାମ୍ବା, ଚନ୍ନି, ବାରମୁଳା, କୁପୱାଡ଼ା ଆଦି ସ୍ଥାନରେ ପାକିସ୍ତାନ ରକେଟ୍‌, ଡ୍ରୋନ୍ ଓ ଗୋଳା ମାଡ଼ କରୁଛି।

adazzxzxds

ରାଜସ୍ଥାନ, ପଞ୍ଜାବରେ ପାକ୍‌ ଆକ୍ରମଣ
ଜମ୍ମୁ ବିମାନବନ୍ଦରରେ ଡ୍ରୋନ୍‌ ମାଡ଼
୩ ରାଜ୍ୟର ଏକାଧିକ ସହର ବ୍ଲାକ୍‌ଆଉଟ୍‌
ଏସ୍‌-୪୦୦ ସାଜିଲା ଭାରତର ରକ୍ଷା କବଚ
ପାକ୍‌ର ସବୁ ଆକ୍ରମଣକୁ ପଣ୍ଡ କରୁଛି ଭାରତ

ରାଜସ୍ଥାନର ପୋଖରାନ ଉପରେ ପାକିସ୍ତାନ କ୍ଷେପଣାସ୍ତ୍ର ମାଡ଼ର ଧୃଷ୍ଟତା କରିଛି। କିନ୍ତୁ ଭାରତର ସୁରକ୍ଷା ବ୍ୟବସ୍ଥା ତାହାକୁ ଆକାଶମାର୍ଗରେ ନଷ୍ଟ ‌କରିଦେଇଛି। ରାଜସ୍ଥାନର ଫଲୋଦି ବାୟୁସେନା ଘାଟି ଠାରୁ ୨୦ କିମି ଦୂରରେ ହୋଇଥିବା ଡ୍ରୋନ୍‌ ଆକ୍ରମଣକୁ ମଧ୍ୟ ବିଫଳ କରାଯାଇଛି। ଆକଶମାର୍ଗ ଜରିଆରେ ପାକିସ୍ତାନ ପକ୍ଷରୁ କରାଯାଉଥିବା ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ଏହାର ଏସ୍‌-୪୦୦ ସୁଦର୍ଶନ ଚକ୍ର, ଏଲ୍‌-୭୦, ଜେଡ୍‌ଏସ୍‌ୟୁ-୨୩, ସିଲ୍‌କା ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ ରଖିଛି। ଜୈସଲମେରରେ ସେନା ମୁଖ୍ୟାଳୟ ଉପରେ ପାକିସ୍ତାନ ଆକ୍ରମଣ ଉଦ୍ୟମ କରିଥିଲା। ତାହାକୁ ଭାରତ ପକ୍ଷରୁ ପଣ୍ଡ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜମ୍ମୁ କାଶ୍ମୀରର ସମସ୍ତ ସେନା ପ୍ରତିଷ୍ଠାନଗୁଡ଼ିକୁ ବ୍ଲାକ୍‌ଆଉଟ୍‌ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପଞ୍ଜାବର କେତେକ ସ୍ଥାନରେ କୋର୍ଟ ୫ ଦିନ ପାଇଁ ବନ୍ଦ କରାଯାଇଛି। ଗୁଜରାଟ କଚ୍ଛରେ ମଧ୍ୟ ବ୍ଲାକଆଉଟ୍‌ କରାଯାଇଛି। ଦିଲ୍ଲୀ ସରକାର ଏହାର ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛନ୍ତି। ଜମ୍ମୁ-ଶ୍ରୀନଗର ରାଜପଥରେ ପ୍ରଚଣ୍ଡ ବିସ୍ଫୋରଣ ଶଦ୍ଦ ହୋଇଛି।