ନୂଆଦିଲ୍ଲୀ: ଭାରତ-ପାକ୍ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଅତି ଗମ୍ଭୀର ସ୍ଥିତି ଉପୁଜିଛି ଏବଂ ଉତ୍ତର ଭାରତରେ ବିଭିନ୍ନ ସହର ଓ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ପାକିସ୍ତାନ ଆଜି ରାତିରେ ପୁଣି ଡ୍ରୋନ୍ ଆକ୍ରମଣ କରିଛି। ଭାରୀ ଯୁଦ୍ଧାସ୍ତ୍ରରୁ ଗୁଳିଗୋଳା ମାଡ଼ ଓ ଡ୍ରୋନ୍ ଆକ୍ରମଣ ଯୋଗୁ ଜମ୍ମୁ କାଶ୍ମୀର ଓ ପଞ୍ଜାବର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କ ଲାଗି ରହିଛି। ଭାରତୀୟ ସେନା ପାକ୍ ଡ୍ରୋନ୍ ଆକ୍ରମଣର ସଫଳ ମୁକାବିଲା କରୁଛି। ଜମ୍ମୁ, ସାମ୍ବା, ଉରି, କୁପୱାଡ଼ା, ହନ୍ଦୱାଡ଼ା, ପୁଞ୍ଚରେ ପାକିସ୍ତାନ ପଟୁ ଜୋରଦାର ଗୋଳାମାଡ଼ ହୋଇଛି। ଜମ୍ମୁ, ସାମ୍ବା, ପଞ୍ଜାବର ପଠାନକୋଟ, ରାଜସ୍ଥାନର ପୋଖରାନ, ଜୈସଲମେର ଓ ବାର୍ମେରରେ ପାକିସ୍ତାନ ପୁଣିଥରେ ଡ୍ରୋନ୍ ଆକ୍ରମଣ ଉଦ୍ୟମ କରିଥିବା ବେଳେ ସବୁ ଆକ୍ରମଣ ପଣ୍ଡ ହୋଇଛି। ସାମ୍ବା ସେକ୍ଟରରେ ପ୍ରବଳ ଗୋଳାମାଡ଼ ସାଙ୍ଗକୁ ଡ୍ରୋନ୍ ଆକ୍ରମଣ ଜାରି ରହିଛି। ଭାରତୀୟ ସେନା ୭ଟି ସ୍ଥାନରେ ପାକ୍ ଆକ୍ରମଣ ଉଦ୍ୟମର ଜବାବ ଦେଉଥିବା ଜଣାପଡ଼ିଛି। ସମସ୍ତ ସହରାଞ୍ଚଳରେ ପାକିସ୍ତାନୀ ଡ୍ରୋନ୍କୁ ଭାରତୀୟ ଇଣ୍ଟରସେପ୍ଟର ଖସାଉଛି। ଅମୃତସରରେ ମଧ୍ୟ ୪ ଥର ବିସ୍ଫୋରଣ ହୋଇଛି। ରାଜସ୍ଥାନର ପୋଖରାନରେ ଏକ ସାମରିକ ଜୋନ୍ ନିକଟରେ ଡ୍ରୋନ୍ ଆକ୍ରମଣକୁ ବିଫଳ କରାଯାଇଛି।
ଉତ୍ତର ଭାରତରେ ଡ୍ରୋନ୍ ଆକ୍ରମଣ
ଜମ୍ମୁ, ଶ୍ରୀନଗର, ପଠାନକୋଟ ବ୍ଲାକ୍ଆଉଟ୍
ଆକ୍ରମଣ ବିଫଳ କରୁଛି ଭାରତୀୟ ସେନା
ଅମୃତସରରେ ଲଗାତାର ବିସ୍ଫୋରଣ
ପୋଖରାନ୍ରେ ଡ୍ରୋନ୍ ଆକ୍ରମଣ ପଣ୍ଡ
ଏଲ୍ଓସିରେ ପାକ୍ର ଘନଘନ ଗୋଳାମାଡ଼ ଯୋଗୁଁ କମାଲକୋଟ, କାଲ୍ଗାଇ ଏବଂ ସଲାମବାଦ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ସୀମାନ୍ତ ଜିଲ୍ଲାରେ ଗୋଳାମାଡ଼ ଜାରି ରହିଥିବାବେଳେ ଜମ୍ମୁ, ଶ୍ରୀନଗର ଏବଂ ପଠାନକୋଟ ସମେତ ପ୍ରମୁଖ ସହର ବ୍ଲାକଆଉଟ୍ ରହିଛି। ତୀବ୍ର ଉତ୍ତେଜନା ମଧ୍ୟରେ ଶ୍ରୀନଗର ବିମାନବନ୍ଦରକୁ ମେ’ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ବାରମୂଳା ଓ ସାମ୍ବା ସେକ୍ଟରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଶୁକ୍ରବାର ଭୋର୍ ସମୟରେ ପାକିସ୍ତାନ ସେନା ଦ୍ବାରା ପ୍ରବଳ ଗୁଳିଗୋଳା ମାଡ଼ ହେବାରୁ ଜଣେ ୪୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ୫ ଜଣ ଆହତ ହୋଇଛନ୍ତି। ଉରି ଓ ସାମ୍ବା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଉରିରେ ନର୍ଗିସ ବେଗମ ନାମକ ଜଣେ ମହିଳାଙ୍କର ପାକିସ୍ତାନ ଗୋଳାମାଡ଼ରେ ମୃତ୍ୟୁ ହୋଇଛି। ଜମ୍ମୁ ବିମାନବନ୍ଦର ନିକଟରେ ଆଜି ପୁଣିଥରେ ଏୟାର ରେଡ୍ ସାଇରନ୍ ବାଜିଛି।