ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତର ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ ଏକ ନିର୍ଣ୍ଣାୟକ ଅଧ୍ୟାୟ ସାବ୍ୟସ୍ତ ହୋଇଛି। ଏପ୍ରିଲ ୨୨ ତାରିଖରେ କାଶ୍ମୀରରେ ଆତଙ୍କବାଦୀମାନେ ପହଲଗାମରେ ବର୍ବର ଆକ୍ରମଣ କରି ୨୬ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପରେ ଏହାର ପ୍ରତିଶୋଧ  ନେବାପାଇଁ ଭାରତ ମେ ୭ ତାରିଖରେ  ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା। ଏହି କାର୍ଯ୍ୟାନୁଷ୍ଠାନରେ  ଭାରତ ପିଓକେ ଓ ପାକିସ୍ତାନ ସ୍ଥିତ ବିଭିନ୍ନ ଆତଙ୍କୀ ଶିବିର ଓ ତାଲିମ କେନ୍ଦ୍ର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାରୁ  ଭାରତ ଓ ପାକିସ୍ତାନ ତିକ୍ତତା ଚରମ ପର୍ଯ୍ୟାୟରେ  ପହଞ୍ଚିଥିଲା। ସୀମାପାର ଆତଙ୍କବାଦକୁ ସମର୍ଥନ କରି ପାକିସ୍ତାନ ସମଗ୍ର କ୍ଷେତ୍ରକୁ ଅସ୍ଥିରତା ଆଡ଼କୁ ଟାଣି ନେଉଥିବାରୁ ଏହାର ମୁକାବିଲା ପାଇଁ ଭାରତର ଉଦ୍ୟମ ଜାରି ରହିଥିଲାବେଳେ ଏହା ଉପରେ ସମଗ୍ର ବିଶ୍ବର ନଜର ରହିଛି।  ଭାରତ-ପାକ୍‌ ଯୁଦ୍ଧ ଉତ୍ତେଜନା ଚରମରେ ଥିବାବେଳେ  ଆଜି ଉଭୟ ପକ୍ଷ ଅସ୍ତ୍ରବିରତି ଘୋଷଣା କରିଛନ୍ତି।

Advertisment

ଅପରେସନ ସିନ୍ଦୂର ମାଧ୍ୟମରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୯ ଆତଙ୍କୀ ଆଡ଼ା ଧ୍ବସ୍ତ ହେବା ସହ ଶତାଧିକ ଆତଙ୍କବାଦୀ ନିହତ ହୋଇଥିବା ସରକାର ସ୍ପଷ୍ଟ କରିଥିବାରୁ ଏହା ଏକ ବଡ଼ ଉପଲବ୍ଧି ବୋଲି କୁହାଯାଉଛି। ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ସୀମାବର୍ତ୍ତୀ ସହର ଓ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରି ପାକିସ୍ତାନ କରିଥିବା ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣକୁ ଭାରତ ପଣ୍ଡ କରିବାରେ ସଫଳ ହୋଇଛି।  ଉଭୟ ଦେଶର ସେନା ମଧ୍ୟରେ ଅଭୂତପୂର୍ବ ଗୁଳିବିନିମୟ, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ବିନିମୟ  ଏହି ଅଞ୍ଚଳକୁ  ସବୁଠାରୁ ଗମ୍ଭୀର ସଙ୍କଟ ଭିତରକୁ ଠେଲି ଦେଇଛି।  ଆଜି ଘୋଷଣା ହୋଇଥିବା ସଂପୂର୍ଣ୍ଣ ଅସ୍ତ୍ରବିରତି  ନେଇ ପାକ୍‌ ସେନାର ଆଭିମୁଖ୍ୟ ସ୍ପଷ୍ଟ ହେଉନଥିବାରୁ ଅନିଶ୍ଚିତତା ଲାଗି ରହିଛି। ତେବେ ‘ଅପରେସନ ସିନ୍ଦୂର’ର ସଫଳତା ଆତଙ୍କବାଦ ବିରୋଧରେ ବୈଶ୍ବିକ ଲଢ଼େଇକୁ ମଧ୍ୟ ନୂଆ ଶକ୍ତି ପ୍ରଦାନ କରିଛି। ଇସ୍‌ଲାମିକ ଆତଙ୍କବାଦ ବିରୋଧରେ ଭବିଷ୍ୟତ ଯୁଦ୍ଧ ପାଇଁ  ମଧ୍ୟ ଏହି ଅପରେସନ ବିଶାଳ କ୍ଷେତ୍ର ପ୍ରସ୍ତୁତ କରିଛି।