ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ ଆତାଶୀତ ଭାବେ ସଫଳ ହୋଇଥିବାରୁ ଚୀନ୍‌ ଏବେ ଭାରତକୁ ଗୌଣ ଦେଖାଇବା ପାଇଁ ଷଡ୍‌ଯନ୍ତ୍ରରେ  ଲିପ୍ତ ରହିଛି। ଏହି ଅପରେସନରେ ଫ୍ରାନ୍ସ ନିର୍ମିତ ଯୁଦ୍ଧ ବିମାନ ରାଫେଲ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।  ତେବେ ପାକିସ୍ତାନ ରାଫେଲ ସମେତ ଭାରତର ୬ଟି ବିମାନକୁ ଖସାଇ ଦେଇଥିବା ଦାବି କରିଥିଲା, ଯାହାକୁ ଭାରତୀୟ ସେନା ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲା। ଏହାପରେ ଅନେକ ଦେଶରେ ରାଫେଲ ବିମାନକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଥିଲା। ଏବେ ଏ ବାବଦ ସତ୍ୟ ସାମ୍ନାକୁ ଆସିଛି। ଫ୍ରାନ୍ସର ସାମରିକ ଓ ଗୁଇନ୍ଦା ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ଚୀନ୍ ଏହାର ଦୂତାବାସଗୁଡ଼ିକୁ ଫ୍ରାନ୍ସର ପ୍ରମୁଖ ଲଢୁଆ ବିମାନର ବିକ୍ରିକୁ ଖରାପ କରିବା ଏବଂ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ପାଇଁ ବ୍ୟବହାର କରିଛି। ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ରାଫେଲକୁ ବଦନାମ କରିବା ପାଇଁ ଚୀନ୍‌ ଉଦ୍ୟମ କରିଥିଲା ଏବଂ ଏଥିପାଇଁ ଦୂତାବାସଗୁଡ଼ିକ ମାଧ୍ୟମରେ ବିଭିନ୍ନ ଭୁଲ୍‌ ତଥ୍ୟର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ହୋଇଥିଲା।

Advertisment

ଭାରତର ସଫଳ ସାମରିକ ଅଭିଯାନ ଚୀନ୍‌ ପାଇଁ ଅସହ୍ୟ

ଚୀନ୍ ବିଦେଶୀ ଦୂତାବାସଗୁଡ଼ିକର ପ୍ରତିରକ୍ଷା ଅଧିକାରୀମାନେ ରାଫେଲ୍ ବିକ୍ରିକୁ ଦୁର୍ବଳ କରିବା ପାଇଁ ଏକ ଅଭିଯାନର ନେତୃତ୍ୱ ନେଉଥିଲେ ଏବଂ ଚୀନ୍‌ ନିର୍ମିତ ଯୁଦ୍ଧ ବିମାନ ରାଫେଲଠାରୁ ଉନ୍ନତ ବୋଲି ଦର୍ଶାଇବାକୁ ପ୍ରୟାସ କରୁଥିଲେ। ଚୀନ୍‌ ରାଫେଲକୁ ବଦନାମ କରିବା ପାଇଁ ଅପରେସନ ସିନ୍ଦୂରରେ ଭାରତର ପ୍ରାୟ ୬ଟି ଯୁଦ୍ଧ ବିମାନକୁ ପାକିସ୍ତାନ ଖସାଇ ଦେଇଛି ବୋଲି ପ୍ରଚାର କରିବା ସହ ଅପରେସନ ସିନ୍ଦୂରର ସଫଳତାକୁ ନେଇ ସନ୍ଦେହର ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରିଛି। ଏଭଳି ସ୍ଥିତିରେ ଅନ୍ୟ ଦେଶମାନେ ରାଫେଲର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ।

ରାଫେଲ ଯୁଦ୍ଧ ବିମାନ ନିର୍ମାଣ କରୁଥିବା କମ୍ପାନି ଡାସଲ୍ଟ ଏଭିଏସନ୍‌ ସିଇଓ ଏରିକ୍ ଟ୍ରାପିୟର ନିକଟରେ ପାକିସ୍ତାନର ଏହି ଦାବିକୁ ମିଥ୍ୟା ବୋଲି ଖଣ୍ଡନ କରିଛନ୍ତି। ଫ୍ରାନ୍ସ ପତ୍ରିକା ଚ୍ୟାଲେଞ୍ଜକୁ ସାକ୍ଷାତକାର ଦେଇ ସେ ଇସଲାମାବାଦର ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ଭାରତର ଅପରେସନ ସନ୍ଦୂର ଅତ୍ୟନ୍ତ ସଫଳ ରହିଥିଲା ଏବଂ ଗୋଟିଏ ବି ରାଫେଲ ଖସିଥିବା ଖବର ଆମ ପାଖରେ ନାହିଁ ।
ଆଜି ଫ୍ରାନ୍ସ କର୍ତ୍ତୃପକ୍ଷ କହିଛନ୍ତି ଯେ ଚୀନ୍‌ ଅଧିକାରୀମାନେ ରାଫେଲକୁ ବଦନାମ କରିବା ଏବଂ ଅନ୍‌ଲାଇନରେ ମିଥ୍ୟା ସୂଚନା ପ୍ରଚାର କରିବା ପାଇଁ ପାକିସ୍ତାନକୁ ଏକ ଅସ୍ତ୍ର ଭଳି ବ୍ୟବହାର କରିଥିଲେ। ଫ୍ରାନ୍ସ କହିଛି ଯେ ଏଆଇ ଦ୍ୱାରା ନିର୍ମିତ ବିଷୟବସ୍ତୁକୁ ରାଫେଲ ଭଗ୍ନାବଶେଷର ଦୃଶ୍ୟ ବୋଲି ଦେଖାଇ ସୋସିଆଲ ମିଡିଆରେ ଏହାର ବହୁଳ ପ୍ରସାର କରାଯାଇଥିଲା।  ଏବେ ଚୀନ୍‌ର ପ୍ରତ୍ୟେକଟି ଚାଲ୍‌ର ପର୍ଦ୍ଦାଫାସ ହୋଇଛି ବୋଲି ଫ୍ରାନ୍ସ କହିଛି।