ହାଇଦ୍ରାବାଦ: ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ ସମୟରେ ଭାରତୀୟ ପ୍ରତିରକ୍ଷା ବାହିନୀର ଯେଉଁ କ୍ଷତି ହୋଇଛି, ସେ ସଂପର୍କରେ ସରକାର ସ୍ବଚ୍ଛତା ଅବଲମ୍ବନ କରି ସମସ୍ତ ତଥ୍ୟ ସାର୍ବଜନୀନ କରିବାକୁ କଂଗ୍ରେସ ଦାବି କରିଛି। ତେଲେଙ୍ଗାନା ମନ୍ତ୍ରୀ ଏନ୍‌ ଉତ୍ତମ କୁମାର ରେଡ୍ଡୀ ଏ ବାବଦ ବିବରଣୀ ପ୍ରକାଶ କରିବାକୁ ସରକାର ଯଥାଶୀଘ୍ର ପଦକ୍ଷେପ ନେବାକୁ ଦାବି କରିଛନ୍ତି। ବରିଷ୍ଠ ସାମରିକ ଅଧିକାରୀଙ୍କ ବୟାନକୁ ଉଲ୍ଲେଖ କରି ତେଲେଙ୍ଗାନାର ଜଳସେଚନ ମନ୍ତ୍ରୀ ତଥା ବାୟୁସେନାର ପୂର୍ବତନ ଲଢୁଆ ପାଇଲଟ  ରେଡ୍ଡୀ କହିଛନ୍ତି ଯେ ପାକିସ୍ତାନ କେତେଟା ଭାରତୀୟ ବିମାନକୁ ଖସାଇ ଦେଇଛି ତାହା ସରକାର ପ୍ରକାଶ କରିବାର ସମୟ ଆସିଛି। 

Advertisment

ଲଢୁଆ ବିମାନକୁ ଗୁଳିକରି ଖସାଇ ଦିଆଯାଇଥିବା ନେଇ ପାକିସ୍ତାନର ଦାବି ପରିପ୍ରେକ୍ଷୀରେ ଭାରତ ସରକାର ମଧ୍ୟ ତଥ୍ୟ ଜାରି କରିବା ଉଚିତ ବୋଲି ରେଡ୍ଡୀ କହିଛନ୍ତି।  ସିଡିଏସ୍  ଅନୀଲ ଚୌହାନ ନିଜେ ଭାରତୀୟ ବାୟୁସେନାର ବିମାନ ନଷ୍ଟ ହୋଇଥିବା ସ୍ବୀକାର କରିଥିବା ବେଳେ ଏହା ପୂର୍ବରୁ ଏୟାର ମାର୍ଶଲ ଭାରତୀ ଡିଜିଏମଓଙ୍କ ସହ ତାଙ୍କ ବ୍ରିଫିଂ ରିପୋର୍ଟରେ ପରୋକ୍ଷରେ ଏହା ଉଲ୍ଲେଖ କରିଥିଲେ। ଭୁଲ୍‌କୁ ସ୍ୱୀକାର କରିବା ଏବଂ ସୁଧାରିବାର ଗୁରୁତ୍ୱ ଉପରେ ସିଡିଏସ୍‌ ବୟାନ ଦେଇଥିବା ବେଳେ  ରେଡ୍ଡୀ ଏହା ସହ ସହମତ ହୋଇଛନ୍ତି।  ସୂଚନାଯୋଗ୍ୟ, ଅପରେସନ ପରେ ଭାରତର କ୍ଷୟକ୍ଷତି ସମ୍ପର୍କରେ ଅଧିକ ସୂଚନା ପାଇଁ  ବିରୋଧୀ ଦଳ ନେତା  ରାହୁଲ ଗାନ୍ଧୀ ବାରମ୍ବାର ଦାବି କରିଆସୁଛନ୍ତି।  ସରକାର ଓ ସେନାକୁ ବଦନାମ କରିବା ଉଦ୍ଦେଶ୍ୟରେ  ରାହୁଲ ଏଭଳି କରୁଥିବା ବିଜେପି  ଅଭିଯୋଗ କରିଛି ।  ନିକଟରେ ବିଜେପିର  ମୁଖପାତ୍ର ଗୌରବ ଭାଟିଆ ରାହୁଲ ଗାନ୍ଧୀଙ୍କୁ ‘ଦାୟିତ୍ୱହୀନ’ ଏବଂ ‘ନିଶାନ-ଏ-ପାକିସ୍ତାନ’ ବୋଲି  କହି ସମାଲୋଚନା କରିଛନ୍ତି। ଅପରେସନ ସିନ୍ଦୂରରେ ଭାରତ ବିମାନ ହରାଇବା ନେଇ କେବଳ କଂଗ୍ରେସ ଚିନ୍ତିତ ନୁହେଁ ବରଂ ରାଫେଲ, ଫ୍ରାନ୍ସ ଓ  ଭାରତୀୟ ସେନାକୁ ବଦନାମ କରିବା ପାଇଁ ରାହୁଲ ଗାନ୍ଧୀ ସର୍ବଦା ଆଗଭର ବୋଲି ବିଜେପି କହିଛି।