ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଲୋକସଭାରେ କହିଛନ୍ତି ଯେ ଶ୍ରୀନଗରରେ ସୋମବାର ହୋଇଥିବା ‘ଅପରେସନ ମହାଦେବ’ରେ ନିହତ ହୋଇଥିବା ତିନି ଜଣ ଆତଙ୍କବାଦୀ ପାକିସ୍ତାନୀ ନାଗରିକ ଥିଲେ - ଯେଉଁମାନେ ଏପ୍ରିଲ ୨୨ରେ ପହଲଗାମରେ ନରସଂହାର କରିଥିଲେ। ନିକଟରେ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ ଆକ୍ରମଣକାରୀମାନେ ‘ଦେଶୀ’ ହୋଇଥାଇ ପାରନ୍ତି ଏବଂ ପାକିସ୍ତାନୀ ଲିଙ୍କ୍ର ପ୍ରମାଣ ଉପରେ ପ୍ରଶ୍ନ ଉଠାଇଥିଲେ, ଏହାର ଜବାବ ଦେଇ ଶାହ କହିଛନ୍ତି ଯେ ସେମାନଙ୍କ ପରିଚୟ ଓ ଉତ୍ପତ୍ତି ବିଷୟରେ ଭାରତ ପାଖରେ ଅଖଣ୍ଡ ପ୍ରମାଣ ରହିଛି। ଚିଦମ୍ବରମ୍ ଏଭଳି ବୟାନ ଦେଇ ପାକିସ୍ତାନକୁ କ୍ଲିନ୍ ଚିଟ୍ ଦେଇଥିବା ସେ ଅଭିଯୋଗ କରିଛନ୍ତି।
ତିନି ମୃତ ଆତଙ୍କବାଦୀଙ୍କ ଭୋଟର ପରିଚୟପତ୍ର ମିଳିଛି
ପାକିସ୍ତାନକୁ କ୍ଲିନ୍ ଚିଟ୍ ଦେଉଛନ୍ତି ପି ଚିଦମ୍ବରମ୍
ସରକାରଙ୍କ ନିକଟରେ ନିର୍ଦ୍ଦିଷ୍ଟ ପ୍ରମାଣ ରହିଛି ବୋଲି କହି ଶାହ କହିଛନ୍ତି ଯେ ଦୁଇ ଜଣ ଆତଙ୍କବାଦୀଙ୍କ ପାଖରେ ପାକିସ୍ତାନୀ ଭୋଟର ପରିଚୟ ନମ୍ବର ରହିଛି ଏବଂ ସେମାନଙ୍କଠାରୁ ମିଳିଥିବା ଚକୋଲେଟ୍ ମଧ୍ୟ ପାକିସ୍ତାନରେ ତିଆରି ହୋଇଛି। ଆଉ କ’ଣ ପ୍ରମାଣ ଦରକାର? ଚିଦମ୍ବରମ୍ଙ୍କ ବୟାନ ଉପରେ ଶାହ କହିଛନ୍ତି, ଗତକାଲି ପୂର୍ବତନ ଗୃହମନ୍ତ୍ରୀ ଚିଦମ୍ବରମ୍ ପାକିସ୍ତାନରୁ ଆସୁଥିବା ଆତଙ୍କବାଦୀଙ୍କ ପ୍ରମାଣକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କାହାକୁ ବଞ୍ଚାଇବାକୁ ଚାହୁଛନ୍ତି? ପାକିସ୍ତାନକୁ ରକ୍ଷା କରି ସେ କ’ଣ ପାଇବେ? ସେମାନେ ପାକିସ୍ତାନୀ ନୁହନ୍ତି କହି ଚିଦମ୍ବରମ୍ ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି ଯେ ପାକିସ୍ତାନ ଉପରେ କାହିଁକି ଆକ୍ରମଣ କରାଗଲା। ପାକିସ୍ତାନକୁ ବଞ୍ଚାଇବା ପାଇଁ ସେମାନଙ୍କ (କଂଗ୍ରେସର) ଷଡ୍ଯନ୍ତ୍ର ଉପରେ ୧୩୦ କୋଟି ଲୋକ ନଜର ରଖିଛନ୍ତି। ନିଜ ସମାଲୋଚନାକୁ ଶାଣିତ କରି ଶାହ ଆହୁରି କହିଛନ୍ତି, ଗତକାଲି ସେମାନେ (କଂଗ୍ରେସ) ଆମକୁ ପଚାରୁଥିଲେ ଯେ ଆତଙ୍କବାଦୀମାନେ କେଉଁଠୁ ଆସିଛନ୍ତି ଏବଂ ଏଥିପାଇଁ କିଏ ଦାୟୀ। ଅବଶ୍ୟ ଆମେ କ୍ଷମତାରେ ଥିବାରୁ ଏହା ଆମର ଦାୟିତ୍ୱ। ଆମ ପାଖରେ ଥିବା ଅକାଟ୍ୟ ପ୍ରମାଣ ସଂପର୍କରେ ସେମାନଙ୍କୁ ଚିନ୍ତା କରିବାକୁ ପଡ଼ିବ। ପାକିସ୍ତାନକୁ ବଞ୍ଚାଇ କଂଗ୍ରେସ କ’ଣ ପାଇବ ବୋଲି ଗୃହମନ୍ତ୍ରୀ ପ୍ରଶ୍ନ କରିଛନ୍ତି।
ଗୃହରେ ଶାହଙ୍କୁ ଘେରିଲେ ପ୍ରିୟଙ୍କା
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଆଜି ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ୨୦୦୮ ବାଟ୍ଲା ହାଉସ୍ ଏନ୍କାଉଣ୍ଟର ଉପରେ ସୋନିଆ ଗାନ୍ଧୀଙ୍କ ପ୍ରତିକ୍ରିୟାକୁ ନେଇ ଅମିତ ଶାହ ଦେଇଥିବା ଟିପ୍ପଣୀ ପାଇଁ ପ୍ରିୟଙ୍କା ତାଙ୍କ ଉପରେ ବର୍ଷିଛନ୍ତି। ବିଜେପି ନିଜର ସୁରକ୍ଷା ବିଫଳତା ପାଇଁ ଉତ୍ତରଦାୟିତ୍ବକୁ ଏଡ଼ାଇ ଦୁଃଖକୁ ଅସ୍ତ୍ର କରୁଛି ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ଲୋକସଭାରେ ଟ୍ରେଜରି ବେଞ୍ଚ୍କୁ ଉଦ୍ବୋଧନ ଦେଇ ପ୍ରିୟଙ୍କା କହିଛନ୍ତି, ‘ମୋ ମା’ଙ୍କ ଲୁହ ଆତଙ୍କବାଦୀଙ୍କ ପାଇଁ ନଥିଲା, ସେମାନେ ଯେତେବେଳେ ମୋ ବାପାଙ୍କୁ ହତ୍ୟା କରିଥିଲେ ସେତେବେଳେ ଲୁହ ଝରିଥିଲା।
ପୂର୍ବରୁ, ଶାହ ବାଟଲା ହାଉସ୍ ଏନ୍କାଉଣ୍ଟର ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ଟେଲିଭିଜନରେ ପ୍ରସାରିତ ମନ୍ତବ୍ୟର ଉଦାହରଣ ଦେଇ କହିଥିଲେ, ‘ସେ (ଖୁର୍ସିଦ) କହିଛନ୍ତି ଯେ ଏନ୍କାଉଣ୍ଟର ଫଟୋ ଦେଖିବା ପରେ ସୋନିଆ ଗାନ୍ଧୀ ଭାଙ୍ଗି ପଡ଼ିଥିଲେ। ଯଦି କେହି କାହା ପାଇଁ କାନ୍ଦିବା ଉଚିତ, ତେବେ ସେ ହେଉଛନ୍ତି ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମା। ଆତଙ୍କବାଦୀଙ୍କ ପାଇଁ ଲୁହଗଡ଼ାଇବା ଲଜ୍ଜାଜନକ’। ପ୍ରିୟଙ୍କା ପୁଣିଥରେ କହିଛନ୍ତି,‘ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ଗୋଟିଏ ଘଣ୍ଟାରୁ ଅଧିକ ସମୟ ଧରି ଭାଷଣ ଦେଇଥିଲେ। ସେ ଆତଙ୍କବାଦ ଏବଂ ଜାତୀୟ ସୁରକ୍ଷା ବିଷୟରେ କହିଥିଲେ। କିନ୍ତୁ ଗୋଟିଏ ପ୍ରଶ୍ନ ଅନୁତ୍ତରିତ ହୋଇ ରହିଲା: ତାହା ହେଲା ପହଲଗ୍ରାମ ଆକ୍ରମଣ କିପରି ହେଲା’। ଆତଙ୍କବାଦୀମାନେ ଆକ୍ରମଣ କରିବା ସମୟରେ ବୈସାରଣ ଘାଟିରେ ଜଣେ ହେଲେ ସୁରକ୍ଷା କର୍ମୀ କାହିଁକି ଉପସ୍ଥିତ ତାହାର ଜବାବ ଦେବାରୁ ସରକାର ଖସି ପାରିବେ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି।