ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ଆଜି ଲୋକସଭାରେ ଅପରେସନ୍ ସିନ୍ଦୂର ଉପରେ ବିତର୍କ ଆରମ୍ଭ ହୋଇଛି। ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍)ଉପରେ ବିତର୍କ ପାଇଁ ବିରୋଧୀ ଦଳଗୁଡ଼ିକ ଆରମ୍ଭରୁ ଅଡ଼ି ବସିବା ସହ ପାଟିତୁଣ୍ଡ କରିବାରୁ ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ଅପରାହ୍ଣ ୨ଟାରେ ଅପରେସନ୍ ସିନ୍ଦୂର ଉପରେ ବିତର୍କ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନା ଆରମ୍ଭ କରିଛନ୍ତି। ବିତର୍କ ପାଇଁ ପୂର୍ବରୁ ୧୬ ଘଣ୍ଟା ସମୟ ଧାର୍ଯ୍ୟ ହୋଇଛି। ଆଜି ରାତି ୧୨ଟା ପର୍ଯ୍ୟନ୍ତ ଏହା ଉପରେ ବିତର୍କ ଚାଲିବ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ବିତର୍କରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଲୋକସଭାରେ ଆସନ୍ତାକାଲି ଗୃହମନ୍ତ୍ରୀ ଶାହ ଆଲୋଚନା ଆରମ୍ଭ ଏବଂ ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ବକ୍ତବ୍ୟ ରଖିପାରନ୍ତି।
ଚାପରେ ଅପରେସନ୍ ସିନ୍ଦୂରକୁ ବନ୍ଦ କରାଯାଇଛି ବୋଲି ବିରୋଧୀଙ୍କ ଦାବି ଭୁଲ୍ ଏବଂ ଭିତ୍ତିହୀନ ବୋଲି ସେ କହିଛନ୍ତି। ଅପରେସନ୍ ସିନ୍ଦୂର ବନ୍ଦ ହୋଇନାହିଁ। ଯଦି ପାକିସ୍ତାନ ପୁନର୍ବାର କୌଣସି ଦୁଃସାହସ କରେ ତା’ହେଲେ ଏହା ପୁଣି ଆରମ୍ଭ ହେବ ବୋଲି ରାଜନାଥ ଇସଲାମାବାଦକୁ ସତର୍କ କରାଇଛନ୍ତି। ୪ ଦିନର ଅପରେସନ୍ ସମୟରେ କେତେ ଯୁଦ୍ଧ ବିମାନ ଭାରତର ନଷ୍ଟ ହୋଇଛି ବୋଲି ବିରୋଧୀ ପଚାରୁଥିବା ପ୍ରଶ୍ନର କଡ଼ା ସମାଲୋଚନା କରିଛନ୍ତି ରାଜନାଥ। ସେ କହିଛନ୍ତି ପରୀକ୍ଷା ଦେବା ସମୟରେ କେତେ ପେନସିଲ୍ ଭାଙ୍ଗିଛି ବା କେତେ କଲମ ହଜିଛି ସେ ନେଇ ଚିନ୍ତା ପ୍ରକଟ କରାଯିବା ଉଚିତ ନୁହେଁ। ଆମର ଲକ୍ଷ୍ୟ ହାସଲ ହୋଇଛି କି ନାହିଁ ତାହା ହିଁ ବିଷୟବସ୍ତୁ ହେବା ଉଚିତ। ସେନାର ଲକ୍ଷ୍ୟ ସଂପୂର୍ଣ୍ଣ ସଫଳ ହୋଇଛି ବୋଲି ରାଜନାଥ କହିଛନ୍ତି। ଭାରତ କେତେ ଲଢ଼ୁଆ ବିମାନ ହରାଇଲା ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି। କିନ୍ତୁ ଶତ୍ରୁ ପକ୍ଷର କେତେ ବିମାନ ନଷ୍ଟ ହୋଇଛି ସେ ନେଇ ପ୍ରଶ୍ନ କରାଯାଉ ନାହିଁ। ତେବେ ଭାରତ ଆତଙ୍କବାଦୀଙ୍କ ଆଡ଼ାକୁ ନଷ୍ଟ କରିଛି କି ବୋଲି ବିରୋଧୀ ଯଦି ପଚାରନ୍ତି ତା’ହେଲେ ଏହାର ଉତ୍ତର ହଁ ବୋଲି ରାଜନାଥ କହିଛନ୍ତି।
ସେହିଭଳି ଅପରେସନ୍ ସିନ୍ଦୂର ମଧ୍ୟ ସଫଳ ହୋଇଛି ବୋଲି ସେ କହିଥିଲେ। ଯେଉଁ ଆତଙ୍କବାଦୀମାନେ ଆମ ଭଉଣୀଙ୍କ ସିନ୍ଦୂର ପୋଛିଥିଲେ ସେମାନଙ୍କ ମାଷ୍ଟରଙ୍କୁ ହତ୍ୟା କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣଠାରୁ ଆରମ୍ଭ କରି ଅପରେସନ୍ ସିନ୍ଦୂର ଏବଂ ଅସ୍ତ୍ରବିରତି ସଂପର୍କରେ ରାଜନାଥ ବିସ୍ତୃତ ସୂଚନା ଦେଇଥିଲେ। ଅପରେସନ୍ ସିନ୍ଦୂର ଆରମ୍ଭ ପୂର୍ବରୁ ଆମର ସେନାବାହିନୀ ପରିସ୍ଥିତିର ସବୁଦିଗକୁ ଅନୁଧ୍ୟାନ କରିଥିଲା। ଅପରେସନ୍ ସିନ୍ଦୂରକୁ ରାଜନାଥ ପ୍ରଶଂସା କରିବା ସହିତ ସେନା ମଧ୍ୟରେ ସମନ୍ବୟକୁ ଅତୁଳନୀୟ ଉଦାହରଣ ବୋଲି ମତ ଦେଇଥିଲେ। ବାୟୁସେନା ଆକାଶମାର୍ଗରୁ ଆକ୍ରମଣ କରିବା ସମୟରେ ସ୍ଥଳସେନା ସ୍ଥଳଭାଗକୁ ସମ୍ଭାଳୁଥିଲା। ଉତ୍ତର ଆରବ ସାଗରେ ନୌସେନାର ଦୃଢ଼ ଉପସ୍ଥିତି ରହିଥିଲା।
ଭାରତୀୟ ସେନା ଆତଙ୍କବାଦୀଙ୍କ ୯ଟି ଆଡ଼ାକୁ ନଷ୍ଟ କରିଛି। ଲସ୍କର ଏ ତୋଇବା ଏବଂ ହିଜବୁଲ୍ ମୁଜାହିଦ୍ଦିନର ତାଲିମଦାତାଙ୍କ ଠାରୁ ଆରମ୍ଭ କରି ୧୦୦ରୁ ଅଧିକ ଆତଙ୍କବାଦୀଙ୍କର ଏଥିରେ ମୃତ୍ୟୁ ହୋଇଛି। ସମସ୍ତ ରାଜନୈତିକ ଏବଂ ସାମରିକ ଲକ୍ଷ୍ୟ ହାସଲ ପରେ ଏହି ଅପରେସନ୍କୁ ବନ୍ଦ କରାଯାଇଥିଲା। ସେନାବାହିନୀକୁ ସଂପୂର୍ଣ୍ଣ ସ୍ବାଧୀନତା ଦିଆଯାଇଥିଲା। ଯେତେବେଳେ ଭାରତୀୟ ବାୟୁସେନା ବାୟୁସେନା ଘାଟି ଉପରେ ଆକ୍ରମଣ କଲା ସେତେବେଳେ ପାକିସ୍ତାନ ପରାଜୟ ସ୍ବୀକାର କଲା। ସେମାନେ ଡିଜିଏମ୍ଓ ସହ କଥା ହେଲେ। ଏହାପରେ ଭାରତ ଅପରେସନ୍ ସିନ୍ଦୂରକୁ ସ୍ଥଗିତ ରଖିଲା। ଯଦି ପାକିସ୍ତାନ ପଟୁ ପୁନର୍ବାର ଦୁଃସାହସ କରାଯାଏ ତା’ହେଲେ ଏହି ଅପରେସନ୍ ପୁଣିଥରେ ଆରମ୍ଭ ହେବ ବୋଲି ରାଜନାଥ ଚେତାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆତଙ୍କବାଦ ବିରୋଧରେ ଭାରତ ଯେକୌଣସି ସ୍ତରକୁ ଯାଇପାରେ ବୋଲି ରାଜନାଥ କହିଛନ୍ତି। ପାକିସ୍ତାନର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ମଧ୍ୟ ରାଜନାଥ ବ୍ୟଙ୍ଗ କରିଛନ୍ତି। ଭାରତକୁ ବାଘ ଏବଂ ପାକିସ୍ତାନକୁ ବେଙ୍ଗ ସହିତ ତୁଳନା କରି ସେ କହିଛନ୍ତି ବାଘ ବେଙ୍ଗକୁ ମାରିବା ଠିକ୍ ନୁହେଁ। ତେବେ ଆତଙ୍କବାଦ ବିରୋଧରେ ଲଢ଼େଇକୁ ରାଜନାଥ ଯଥାର୍ଥ ବୋଲି ଦର୍ଶାଇଛନ୍ତି।