ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲୋକସଭାରେ ଅପରେସନ୍ ସିନ୍ଦୂର ଉପରେ ବିତର୍କ ଆରମ୍ଭ କରିବା ପରେ ବିରୋଧୀ ଦଳ ପକ୍ଷରୁ ପ୍ରଥମେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଆଲୋଚନାରେ ଭାଗନେଇ ସରକାରଙ୍କୁ ଘେରିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ରୋକିବାରେ ସରକାର ବିଫଳ ହୋଇଥିବା ସେ ଅଭିଯୋଗ କରିଥିଲେ। ସରକାର ନିଜର ବିଫଳତାକୁ ସ୍ବୀକାର କରିବା ପରିବର୍ତ୍ତେ ଟୁର୍ ଅପରେଟରଙ୍କୁ ଦୋଷ ଦେଉଥିବାରୁ ସେ ଏହାର ସମାଲୋଚନା କରିଥିଲେ। ବିଦେଶ ଗସ୍ତରୁ ଫେରି ପ୍ରଧାନମନ୍ତ୍ରୀ ପହଲଗାମ କାହିଁକି ଗଲେ ନାହିଁ ବୋଲି ଗୋଗୋଇ ପ୍ରଶ୍ନ କରିଥିଲେ।
ସେ କହିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରୁଛନ୍ତି ୫ରୁ ୬ ଜେଟ୍ ନଷ୍ଟ ହୋଇଛି। ଗୋଟିଏ ଜେଟ୍ର ମୂଲ୍ୟ ବହୁତ। ତେଣୁ ପ୍ରତିରକ୍ଷା ମନ୍ତ୍ରୀ ସତ କ’ଣ କୁହନ୍ତୁ। କେତୋଟି ଜେଟ୍ ନଷ୍ଟ ହୋଇଛି ବୋଲି ସେ ସ୍ପଷ୍ଟ କରନ୍ତୁ। ସତ ଶୁଣିବାକୁ ଭାରତର ସାହସ ଅଛି ବୋଲି ସେ କହିଥିଲେ। ଇଣ୍ଡୋନେସିଆରେ କାର୍ଯ୍ୟରତ କ୍ୟାପଟେନ ଶିବ କୁମାର ଦାବି କରିଥିଲେ ଯେ ଅପରେସନ୍ ସିନ୍ଦୂରରେ ଭାରତୀୟ ବାୟୁସେନା ଲଢ଼ୁଆ ବିମାନ ହରାଇଥିଲା। ସରକାର କେବଳ ଆତଙ୍କବାଦୀ ଆଡ଼ା ନଷ୍ଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସାମରିକ ପ୍ରତିଷ୍ଠାନ ଏବଂ ସେମାନଙ୍କର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଉପରେ ଆକ୍ରମଣ କରିବାକୁ ବାରଣ କରାଯାଇଥିବାରୁ ଏପରି ହେଲା ବୋଲି କ୍ୟାପଟେନ କୁମାରଙ୍କ ମନ୍ତବ୍ୟକୁ ଉଦ୍ଧାର କରି ଗୋଗୋଇ କହିଥିଲେ। ଏଥିସହିତ ଗୋଗୋଇ ଏହା ମଧ୍ୟ କହିଥିଲେ ଯେ ସରକାର ଆତଙ୍କବାଦୀ ଟାର୍ଗେଟ ସଂଖ୍ୟା ୨୧ରୁ ୯କୁ କମାଇଥିଲେ। ଟାର୍ଗେଟ ସଂଖ୍ୟା ହ୍ରାସ କରିବାର ରାଜନୈତିକ କାରଣ କ’ଣ ବୋଲି ଗୋଗୋଇ ସରକାରଙ୍କୁ ପଚାରିଥିଲେ।
ପ୍ରଧାନମନ୍ତ୍ରୀ ପହଲଗାମ କାହିଁକି ଗଲେନାହିଁ
ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରି ଗୋଗୋଇ ଅପରେସନ୍ ସିନ୍ଦୂର ପଛର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ଭାରତ କୌଣସି ଅଞ୍ଚଳ ଅଧିଗ୍ରହଣ କିମ୍ବା ଯୁଦ୍ଧ ପାଇଁ ଅପରେସନ୍ କରି ନଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରି ଗୋଗୋଇ କହିଥିଲେ ଯଦି ଏବେ ଆମେ ପାକ୍ ଅଧିକୃତ କାଶ୍ମୀର ଦାବି କରିବା ନାହିଁ ତା’ହେଲେ କେବେ କରିବା? ଅତୀତରେ ଉରି ଏବଂ ପୁଲୱାମା ଆକ୍ରମଣ ସମୟରେ ମୋଦୀ ସରକାର ପାକିସ୍ତାନକୁ ଶିକ୍ଷା ଦିଆଯାଇଛି ଏବଂ ସେହି ଦେଶ ଆଉ ଆକ୍ରମଣ କରିବାକୁ ସାହସ କରିବ ନାହିଁ ବୋଲି କହିଥିଲେ। କିନ୍ତୁ ପୁଣି ପହଲଗାମ ଆକ୍ରମଣ ହେଲା। ୨୦୧୬ରେ ରାଜନାଥ କହିଥିଲେ ଆମ ଆକ୍ରମଣରେ ପାକିସ୍ତାନରେ ଆତଙ୍କବାଦୀ ଆଡ଼ା ନଷ୍ଟ ହେବ। ୨୦୧୯ରେ ମଧ୍ୟ ସେ ସେହି ସମାନ ଦାବି କରିଥିଲେ। କିନ୍ତୁ ଆଜି ବି ଲକ୍ଷ୍ୟ ହାସଲ ହୋଇନାହିଁ। କାରଣ ରାଜନାଥ ଏବେ ବି କହୁଛନ୍ତି ପାକିସ୍ତାନ ଭବିଷ୍ୟତରେ ପୁଣି ଆକ୍ରମଣ କରିପାରେ। କେତେ କାଳ ଏଭଳି କାର୍ଯ୍ୟ ଚାଲିଥିବ ବୋଲି ଗୋଗୋଇ ପ୍ରଶ୍ନ କରିଥିଲେ।
ମେ ୧୦ ତାରିଖରେ ରାଷ୍ଟ୍ରଦୂତ କହିଥିଲେ ଭାରତ ଜବାବ ଦେବ। କିନ୍ତୁ ସେହିଦିନ ସନ୍ଧ୍ୟା ସୁଦ୍ଧା ଅସ୍ତ୍ରବିରତି ରାଜିନାମା ଘୋଷଣା ହୋଇଗଲା। ଯଦି ପାକିସ୍ତାନ ଆଣ୍ଠେଇ ପଡ଼ିଥିଲା ତା’ହେଲେ ଆମେ କାହିଁକି ଅପରେସନ୍ ବନ୍ଦ କରିଦେଲେ। କାହା ପାଖରେ ଆମେ ନଇଁଗଲେ ବୋଲି ଗୋଗୋଇ ପ୍ରଶ୍ନ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଅସ୍ତ୍ରବିରତିର ଶ୍ରେୟ ପ୍ରଚାର କରୁଛନ୍ତି। ଦେଶର ଲୋକମାନଙ୍କୁ ସତ ଜାଣିବାର ହକ୍ ରହିଛି। ରାଜନାଥ ଏ ନେଇ ସ୍ପଷ୍ଟ କରନ୍ତୁ।
କିଛି କହିବାକୁ ମନା କଲେ ଥରୁର
ନୂଆଦିଲ୍ଲୀ: ସଂସଦର ଚଳିତ ଅଧିବେଶନରେ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ଏବଂ ଲୋକସଭାରେ ଦଳର ଉପନେତା ଅପରେସନ୍ ସିନ୍ଦୂର ଉପରେ ବକ୍ତବ୍ୟ ରଖିବା ପାଇଁ ଯୋଗାଯୋଗ କରିଥିଲେ। ତେବେ ଏହି ଅନୁରୋଧକୁ ସେ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଏହି ଅପରେସନ୍କୁ ନେଇ ସରକାରଙ୍କ ବିରୋଧରେ ଦଳର ବର୍ତ୍ତମାନର ସମାଲୋଚନାରେ ସେ ଭାଗ ନେଇ ପାରିବେ ନାହିଁ। ଅପରେସନ୍ ସିନ୍ଦୂର ସଫଳ ହୋଇଛି ଏବଂ ସେ ସେହି ଆକଳନରେ ଅଟଳ ରହିବେ ବୋଲି ଥରୁର ମତ ରଖିଛନ୍ତି।
ଥରୁର କହିଥିଲେ ଯେ ସେ ଏହି ପ୍ରସଙ୍ଗରେ ତାଙ୍କ ପୂର୍ବ ସାର୍ବଜନୀନ ବୟାନକୁ ବଦଳାଇବେ ନାହିଁ। ଯଦି ସେ ଭାଷଣ ଦେବେ ତେବେ ଦଳର ସମାଲୋଚନାମୂଳକ ଆଭିମୁଖ୍ୟ ଅନୁସରଣ କରିବେ ନାହିଁ। ତେଣୁ ଦଳ ବିରୋଧରେ ଯିବା ଅପେକ୍ଷା ସେ ବିତର୍କରେ ଭାଗ ନେବାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ। ସପ୍ତାହବ୍ୟାପୀ ହଟ୍ଟଗୋଳ ପରେ ଆଜି ମୌସୁମୀ ଅଧିବେଶନରେ ପହଲଗାମ ଆକ୍ରମଣ ଓ ଅପରେସନ୍ ସିନ୍ଦୂର ଉପରେ ସଂସଦରେ ଆଲୋଚନା ଆରମ୍ଭ ହୋଇଛି। ଆସନ୍ତାକାଲି ଏହା ଉପରେ ବି ଆଲୋଚନା ହେବ। ଶାସକ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଓ ବିରୋଧୀ ଦଳମାନେ ଆଲୋଚନା ପାଇଁ ନିଜ ନିଜର ଶୀର୍ଷ ନେତାଙ୍କୁ ଚୟନ କରିଛନ୍ତି।
ଆଜିର ବକ୍ତା ତାଲିକାରେ ରାଜନାଥ ସିଂହ, ବୈଜୟନ୍ତ ପଣ୍ଡା, ଡ. ଏସ୍ ଜୟଶଙ୍କର, ତେଜସ୍ୱୀ ସୂର୍ଯ୍ୟ, ସଞ୍ଜୟ ଜୟସ୍ୱାଲ, ଅନୁରାଗ ଠାକୁର, କମଲଜିତ୍ ସେହରାଵତ, ଲବୁ ଶ୍ରୀକୃଷ୍ଣ (ଟିଡିପି), ହରିଶ ବାଲଯୋଗୀ (ଟିଡିପି), ରମାଶଙ୍କର ରାଜଭର (ଏସ୍ପି), ଛୋଟେଲାଲ (ଏସ୍ପି), କଲ୍ୟାଣ ବାନାର୍ଜୀ (ଏଆଇଟିସି), ସାୟୋନି ଘୋଷ (ଏଆଇଟିସି), କେ ଫ୍ରାନ୍ସିସ୍ ଜର୍ଜ (କେସି), ଏ. ରାଜା (ଡିଏମ୍କେ), କେ. କାନିମୋଝି (ଡିଏମ୍କେ), ଅମର କାଲେ (ଏନ୍ସିପିଏସ୍ପି) ଓ ସୁପ୍ରିୟା ସୁଲେ (ଏନସିପିଏସ୍ପି)ଙ୍କ ଭଳି କିଛି ବଡ଼ ନେତାଙ୍କ ନାମ ରହିଛି। ସେହିପରି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବକ୍ତା ତାଲିକା ଅନୁଯାୟୀ ଗୌରବ ଗୋଗୋଇ ଆଜି ସଂସଦରେ ଆଲୋଚନା ଆରମ୍ଭ କରିଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଦୀପେନ୍ଦ୍ର ହୁଡା, ପ୍ରଣୀତି ସିନ୍ଦେ, ସପ୍ତଗିରି ଉଲାକା ଓ ବିଜେନ୍ଦ୍ର ଓଲା ପ୍ରମୁଖ ଆଲୋଚନା ରେ ଭାଗ ନେଇଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆସନ୍ତାକାଲି ଭାଷଣ ଦେବା କାର୍ଯ୍ୟକ୍ରମ ରହିଛି।