ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ‘ଅପରେସନ ସିନ୍ଦୂର’ ପ୍ରସଙ୍ଗରେ ସରକାରକୁ ଟାର୍ଗେଟ୍ କରିଛନ୍ତି। ‘ଅପରେସନ୍ ସିନ୍ଦୂର’ ଅଧୀନରେ ଭାରତ ପାକିସ୍ତାନ ଏବଂ ପିଓକେରେ ଆତଙ୍କବାଦୀଙ୍କ ଆଡ଼ା ସ୍ଥଳ ଉପରେ ଆକ୍ରମଣ କରିବା ନେଇ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ପାକିସ୍ତାନକୁ ଆଗୁଆ ସୂଚନା ଦେଇଥିଲେ ବୋଲି ରାହୁଲ ଅଭିଯୋଗ କରିଛନ୍ତି ଏବଂ ଏହା ଏକ ଅପରାଧ ବୋଲି ସେ କହିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ ସେୟାର କରି ବିରୋଧୀ ଦଳ ନେତା ରାହୁଲ ଜୟଶଙ୍କରଙ୍କୁ ଟାର୍ଗେଟ୍ କରି ସରକାରକୁ ଘେରିଛନ୍ତି। ଭାରତ ସରକାର ଅପରେସନ୍ ସିନ୍ଦୂର ଆରମ୍ଭ କରିବା ପୂର୍ବରୁ ପାକିସ୍ତାନକୁ ଅବଗତ କରିଥିବା ଜୟଶଙ୍କର ସର୍ବସାଧାରଣରେ କହିଛନ୍ତି ବୋଲି ରାହୁଲ ଦାବି କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ରାହୁଲ ଲେଖିଛନ୍ତି, ‘ ଆମ ଆକ୍ରମଣର ଆରମ୍ଭରୁ ପାକିସ୍ତାନକୁ ସୂଚନା ଦେବା ଏକ ଅପରାଧ ଥିଲା। ବିଦେଶ ବ୍ୟାପାର ମନ୍ତ୍ରୀ ସର୍ବସାଧାରଣରେ ସ୍ବୀକାର କରିଛନ୍ତି ଯେ ଭାରତ ସରକାର ଏହି ଆକ୍ରମଣ କରିଛନ୍ତି। ରାହୁଲ ପୁଣିଥରେ ପ୍ରଶ୍ନ କରିଛନ୍ତି ଯେ ଏଥିପାଇଁ କିଏ ଅନୁମତି ଦେଲା ଏବଂ ଅପରେସନ୍ରେ ଭାରତୀୟ ବାୟୁସେନାର କେତେ ବିମାନ ନଷ୍ଟ ହୋଇଛି ?
ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ଜୟଶଙ୍କରଙ୍କର ଏକ ଭିଡିଓ ସେୟାର୍ କରିଛନ୍ତି ଯେଉଁଥିରେ ତାରିଖ ନାହିଁ କିନ୍ତୁ ଜୟଶଙ୍କର ପାକିସ୍ତାନରେ ଆତଙ୍କବାଦୀଙ୍କ ଭିତ୍ତିଭୂମି ଉପରେ ଆକ୍ରମଣ କରିବା ପୂର୍ବରୁ ଏହାକୁ ଜଣାଇଥିବା କହୁଥିବା ଶୁଣିବାକୁ ମିଳିଛି। ରାହୁଲ କହିଛନ୍ତି, ଅପରେସନ୍ ଆରମ୍ଭରେ ଆମେ ପାକିସ୍ତାନକୁ ଏକ ବାର୍ତ୍ତା ଦେଲୁ ଯେ ଆମେ ଆତଙ୍କବାଦୀଙ୍କ ଭିତ୍ତିଭୂମି ଉପରେ ଆକ୍ରମଣ କରୁଛୁ ଏବଂ ସାମରିକ ପ୍ରତିଷ୍ଠାନ ଉପରେ ନୁହେଁ। ପରେ ପିଆଇବି (ପ୍ରେସ୍ ଇନଫରମେସନ୍ ବ୍ୟୁରୋ) ଏହି ଖବରକୁ ମିଥ୍ୟା କହି ଖଣ୍ଡନ କରିଛି। ପିଆଇବିର ଫ୍ୟାକ୍ଟ ଚେକ୍ ବିଭାଗ ଏକ୍ସରେ ଏକ ପୋଷ୍ଟ୍ କରି ସ୍ପଷ୍ଟୀକରଣ ଦେଇଛନ୍ତି ଯେ ମନ୍ତ୍ରୀ ଏଭଳି ଟିପ୍ପଣୀ ଦେଇନାହାନ୍ତି ଏବଂ ତାଙ୍କ ଟିପ୍ପଣୀକୁ ଭୁଲ୍ ବ୍ୟାଖ୍ୟା କରାଯାଇଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମଧ୍ୟ ଶନିବାର ସନ୍ଧ୍ୟାରେ ଏକ ବିବୃତି ଜାରି କରି ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବିଦେଶ ବ୍ୟାପାର ମନ୍ତ୍ରୀ କହିଥିଲେ ଆମେ ଆରମ୍ଭରୁ ପାକିସ୍ତାନକୁ ଚେତାବନୀ ଦେଇଥିଲୁ। ଏହା ସ୍ପଷ୍ଟ ସୂଚାଉଛି ଯେ ଅପରେସନ୍ ସିନ୍ଦୂର ଆରମ୍ଭ ହେବାର ପ୍ରଥମ ପର୍ଯ୍ୟାୟ। କିନ୍ତୁ ଏହାକୁ ଅପରେସନ୍ ପୂର୍ବରୁ କହି ଭୁଲ୍ ବ୍ୟାଖ୍ୟା କରାଯାଇଛି। ଏଭଳି ବିଭ୍ରାନ୍ତି ସୃଷ୍ଟି କରାଯିବା କଦାପି ଗ୍ରହଣୀୟ ନୁହେଁ ବୋଲି ବିଦେଶ ମନ୍ତ୍ରାଳୟ କହିଛି।