ନୂଆଦିଲ୍ଲୀ: ଭାରତ-ପାକ୍ ଯୁଦ୍ଧ ଉତ୍ତେଜନା ଏବେ ବିଶ୍ବ ଗଣମାଧ୍ୟମର ଶୀର୍ଷକ ପାଲଟିଥିବା ବେଳେ ଭାରତର କୂଟନୈତିକ ଯୁଦ୍ଧ ମଧ୍ୟ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଏପ୍ରିଲ ୨୨ ପହଲଗାମ ଆକ୍ରମଣ ପରେ ଭାରତ ପୁଣି ଥରେ ନିଜର ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଉପରେ ପ୍ରଚଣ୍ଡ କୂଟନୈତିକ ପ୍ରହାର ଜାରି ରଖିଛି। ଯୁଦ୍ଧ କ୍ଷେତ୍ରରେ ଜେନେରାଲମାନେ ସେନାର ନେତୃତ୍ୱ ନେଉଥିବା ବେଳେ ଭାରତର କୂଟନୀତିଜ୍ଞମାନେ ସେମାନଙ୍କ ସ୍ତରରେ କାମ ଜାରି ରଖିଛନ୍ତି। ଆତଙ୍କବାଦ ବିରୋଧୀ ଯୁଦ୍ଧରେ ପାକିସ୍ତାନର ଦୋମୁହାଁ ନୀତିର ପର୍ଦ୍ଦାଫାସ କରିବା ସହ ବିଶ୍ୱସ୍ତରୀୟ ସମର୍ଥନ ହାସଲ କରିବା ପାଇଁ ସାରା ବିଶ୍ୱରେ ଥିବା ଭାରତୀୟ ରାଷ୍ଟ୍ରଦୂତମାନେ ସ୍ଥାନୀୟ ସରକାର ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଯୋଗାଯୋଗ କରୁଛନ୍ତି। ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବା ପରଠାରୁ ସମଗ୍ର ବିଶ୍ୱରେ ୨୦୦ରୁ ଅଧିକ ଭାରତୀୟ ଦୂତାବାସ ସକ୍ରିୟ ଅଛନ୍ତି। ପ୍ରମୁଖ ଦେଶର ରାଷ୍ଟ୍ରଦୂତମାନେ ବିଶେଷ କରି ବ୍ରିଟେନ ଓ ଆମେରିକାରେ ସର୍ବାଧିକ ପ୍ରଭାବ ସୁନିଶ୍ଚିତ କରିବା ପାଇଁ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇଛନ୍ତି। ବିଭିନ୍ନ ମିସନରେ ଥିବା ଅନ୍ୟ କୂଟନୀତିଜ୍ଞମାନେ ମଧ୍ୟ ମିସନ ଓ ସରକାରୀ ସ୍ତରରେ ସେମାନଙ୍କ ସମକକ୍ଷଙ୍କୁ ବ୍ୟକ୍ତିଗତଭାବେ ସୂଚନା ଦେବା ପାଇଁ ଭେଟିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଖବରକାଗଜ ଓ ଟିଭି ମିଡିଆରେ ଯେକୌଣସି ମିଥ୍ୟା ଖବରକୁ ତୁରନ୍ତ ପ୍ରତିହତ କରିବା। ନିକଟରେ ବ୍ରିଟେନରେ ଅବସ୍ଥାପିତ ଭାରତୀୟ ହାଇକମିସନର ବିକ୍ରମ ଦୋରାଇସ୍ୱାମୀ ନିଷିଦ୍ଧ ଆତଙ୍କବାଦୀଙ୍କୁ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର ପାଇଁ ପାକିସ୍ତାନ ସେନାକୁ ସମାଲୋଚନା କରିବା ସହ ପଡ଼ୋଶୀ ଶତ୍ରୁତା ବଢ଼ାଇଲେ ଭାରତ ସମାନ ଢଙ୍ଗରେ ଜବାବ ଦେବ ବୋଲି କହିଥିଲେ।
ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା ସିଏନ୍ଏନ୍କୁ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି ଯେ ଭାରତ ଆତଙ୍କବାଦ ଓ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ସହ ଯୁଦ୍ଧ କରୁଛି। ଆମେ ପାକିସ୍ତାନ ଓ ପିଓକେର ୯ଟି ସ୍ଥାନରେ ଥିବା ଆତଙ୍କବାଦୀ ଶିବିରକୁ ଧ୍ବଂସ କରିଥିଲୁ। ଆତଙ୍କବାଦୀଙ୍କୁ ଉତ୍ତରଦାୟୀ କରିବା ଓ ପୀଡ଼ିତଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଛି ବୋଲି ସେ କହିଛନ୍ତି। କିନ୍ତୁ ପାକିସ୍ତାନର ସାମରିକ କାର୍ଯ୍ୟାନୁଷ୍ଠାନ ସୂଚାଉଛି ଯେ ସେମାନେ ଆତଙ୍କବାଦୀଙ୍କ ସହ ଠିଆ ହୋଇଛନ୍ତି। ପାକିସ୍ତାନକୁ ଅଧିକ ପାଣ୍ଠି ଯୋଗାଣ ନେଇ ନିଷ୍ପତ୍ତି ନେବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଏହି ରାଷ୍ଟ୍ରଦୂତଙ୍କ ଏହି କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ। ପାକିସ୍ତାନର ‘ଗ୍ରେ’ ତାଲିକାରେ ପୁନର୍ବାର ପ୍ରବେଶ ଉପରେ ଭାରତ ଜୋର୍ ଦେଉଛି, ଯାହା ପାକିସ୍ତାନକୁ ଆଇଏମ୍ଏଫ୍ଠାରୁ ଅନ୍ତର୍ଜାତୀୟ ସହାୟତା ଓ ଅନ୍ୟାନ୍ୟ ଆର୍ଥିକ ପ୍ୟାକେଜ୍ ପାଇବାରେ ବାଧା ସୃଷ୍ଟି କରିପାରେ।
ରାତିରେ ଡ୍ରୋନ୍ ଓ ଦିନରେ ନକଲି ଭିଡିଓ ଛାଡ଼ୁଛି ପାକିସ୍ତାନ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପାକିସ୍ତାନ ରାତିରେ ଭାରତକୁ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଛାଡ଼ୁଛି, ଯାହାକୁ ଭାରତର ଏୟାର୍ ଡିଫେନ୍ସ ସିଷ୍ଟମ୍ ନଷ୍ଟ କରୁଛି। ଦିନରେ ଏହା ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରକୁ ଅନ୍ୟତମ ଅସ୍ତ୍ର ଭାବେ ବ୍ୟବହାର କରୁଛି। ଏହା ପାକିସ୍ତାନ ସମର୍ଥକ ଅନେକ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଦ୍ୱାରା ମିଥ୍ୟା ଖବର ପ୍ରସାର କରିବା ଓ ଜନମତକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି। ନକଲି ସୋସିଆଲ ମିଡିଆ ଆକାଉଣ୍ଟଠାରୁ ଆରମ୍ଭ କରି ପାକିସ୍ତାନୀ ରାଜନେତାଙ୍କ ଭେରିଫାଏଡ୍ ହ୍ୟାଣ୍ଡେଲ ପର୍ଯ୍ୟନ୍ତ ଅପପ୍ରଚାର ମେସିନ୍ ଅତ୍ୟଧିକ କାମ କରୁଛି। କେବଳ ଦ୍ୱନ୍ଦ୍ୱରେ ପକାଇବା ପାଇଁ ନୁହେଁ, ବରଂ ଇସ୍ଲାମାବାଦ ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ନକଲି ଭିଡିଓ ଓ ଡିଜିଟାଲି ମଡିଫାଏଡ୍ ସାଟେଲାଇଟ୍ ଫଟୋ ପ୍ରସାର କରୁଛି।
ପୁରୁଣା ଛବି, ନୂତନ ଦାବି
ଜମ୍ମୁ ବାୟୁସେନା ଘାଟିରେ ଏକାଧିକ ବିସ୍ଫୋରଣ ଘଟିଥିବା ଏକ ଫଟୋରେ ଦାବି କରାଯାଇଛି। ତେବେ ପିଆଇବି ଫ୍ୟାକ୍ଟ ଚେକ୍ ସ୍ପଷ୍ଟ କରିଛି ଯେ, ଏହି ଫଟୋଟି ଏବେକାର ନୁହେଁ କି ଭାରତର ନୁହେଁ। ଏହି ଫଟୋ ଅଗଷ୍ଟ ୨୦୨୧ରେ କାବୁଲ ବିମାନ ବନ୍ଦର ବୋମା ବିସ୍ଫୋରଣର ଯାହାକୁ ସାମ୍ପ୍ରତିକ ଘଟଣା ସହିତ ମିଥ୍ୟା ଭାବରେ ଯୋଡ଼ାଯାଇଛି।
ଗୁଜୁରାଟ ବନ୍ଦରରେ ଆକ୍ରମଣ ହୋଇଥିବାର ମିଥ୍ୟା ଦାବି
ଗୁଜରାଟର ହାଜିରା ବନ୍ଦର ଉପରେ ହୋଇଥିବା ଆକ୍ରମଣର ଆଉ ଏକ ଭିଡିଓ ଭାଇରାଲ ହୋଇଛି। ଯାଞ୍ଚ ପରେ ଏହା ୨୦୨୧ ଜୁଲାଇ ୭ ତାରିଖରେ ଏକ ତେଲ ଟ୍ୟାଙ୍କର ବିସ୍ଫୋରଣର ଫୁଟେଜ୍ ବୋଲି ଜଣାପଡ଼ିଥିଲା। ଏହି ଭିଡିଓର ଗୁଜୁରାଟ କିମ୍ବା ବର୍ତ୍ତମାନର କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ସହିତ ସମ୍ପର୍କ ନାହିଁ।
ନକଲି ଡ୍ରୋନ୍ ଆକ୍ରମଣ ଅଭିଯୋଗ
ଜଳନ୍ଧରରେ ଡ୍ରୋନ୍ ଆକ୍ରମଣର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ପିଆଇବି ଫ୍ୟାକ୍ଟ ଚେକ୍ ନିଶ୍ଚିତ କରିଛି ଯେ, ଏହି କ୍ଲିପ୍ ପ୍ରକୃତରେ ଏକ ଚାଷଜମିର ନିଆଁକୁ ଦର୍ଶାଉଛି, ଯେଉଁଥିରେ ଏକ ପୁରୁଣା ଦିନର ସନ୍ଧ୍ୟା ୭.୩୯ର ଟାଇମ୍ଷ୍ଟାମ୍ପ୍ ରହିଛି।
ନକଲି ଭିଡିଓ, ନକଲି ବାଟାଲିୟନ
ପାକିସ୍ତାନୀ ହ୍ୟାଣ୍ଡେଲ୍ ଦ୍ୱାରା ପ୍ରସାରିତ ଏକ ଭିଡିଓରେ ଦାବି କରାଯାଇଛି ଯେ ପାକିସ୍ତାନୀ ଆକ୍ରମଣରେ ‘୨୦ ରାଜ ବାଟାଲିୟନ’ ଦ୍ୱାରା ପରିଚାଳିତ ଭାରତୀୟ ସେନାର ଏକ ପୋଷ୍ଟ ଧ୍ୱଂସ ହୋଇଯାଇଛି। ପିଆଇବି ଫ୍ୟାକ୍ଟ ଚେକ୍ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଖଣ୍ଡନ କରିଛି। ଭାରତୀୟ ସେନାରେ ଏଭଳି କୌଣସି ୟୁନିଟ୍ ନାହିଁ।
ନକଲି ପାକିସ୍ତାନ, ନକଲି ଆକ୍ରମଣ
ପାକିସ୍ତାନ ଭାରତ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ବୋଲି ଦାବି କରିଛି। ଏହି ଦାବିକୁ ସମର୍ଥନ କରିବା ପାଇଁ ବ୍ୟବହୃତ ଭିଡିଓ ୨୦୨୦ ମସିହାରେ ଲେବାନନ୍ର ବେରୁତ ବନ୍ଦରରେ ହୋଇଥିବା ବିସ୍ଫୋରଣର ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/10/pHnVHjcZwttcZIpDWYhV.jpg)