ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସମୁଦାୟ ଭାରତ ସହିତ ଦୃଢ଼ତାର ସହ ଠିଆ ହୋଇଥିବା ବେଳେ କଂଗ୍ରେସ ଦଳ ଅପରେସନ୍ ସିନ୍ଦୂରକୁ ନେଇ ସଶସ୍ତ୍ର ବାହିନୀକୁ କୌଣସି ସମର୍ଥନ ଦେଇନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଲୋକସଭାରେ ପହଲଗାମ ଆକ୍ରମଣ ଓ ଅପରେସନ୍ ସିନ୍ଦୂର ଉପରେ ଦୁଇ ଦିନ ଧରି ଚାଲିଥିବା ବିତର୍କର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତକୁ ସମଗ୍ର ବିଶ୍ୱର ସମର୍ଥନ ମିଳିଛି, କିନ୍ତୁ ଦୁର୍ଭାଗ୍ୟଜନକ ଯେ କଂଗ୍ରେସ ଭାରତୀୟ ବୀର ସୈନିକଙ୍କ ସହ ଠିଆ ହୋଇନାହିଁ। ରାଜନୈତିକ ଫାଇଦା ପାଇଁ କଂଗ୍ରେସ ନେତାମାନେ ମୋତେ ଟାର୍ଗେଟ୍ କରିଥିଲେ, କିନ୍ତୁ ସେମାନଙ୍କ ତୁଚ୍ଛ ବୟାନ ଆମ ବୀର ସୈନିକମାନଙ୍କୁ ନିରୁତ୍ସାହିତ କରିଥିଲା।
ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ ଦଳ ଭାରତୀୟ ସେନା ଉପରେ ବିଶ୍ୱାସ କରେ ନାହିଁ। ଯେଉଁଥିପାଇଁ ସେମାନେ ଅପରେସନ୍ ସିନ୍ଦୂରକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଭାରତର ଆଭିମୁଖ୍ୟ ସ୍ପଷ୍ଟ ହୋଇଥିଲେ ମଧ୍ୟ କିଛି ଲୋକ ଆମ ସଶସ୍ତ୍ର ବାହିନୀ ଦ୍ୱାରା ଦିଆଯାଇଥିବା ତଥ୍ୟକୁ ନେଇ ପାକିସ୍ତାନର ମିଥ୍ୟା ପ୍ରଚାରକୁ ପ୍ରୋତ୍ସାହିତ କରିବାରେ ବ୍ୟସ୍ତ ଅଛନ୍ତି। କଂଗ୍ରେସ ନେତାମାନେ ରାଜନୈତିକ ଫାଇଦା ପାଇଁ ଭିତ୍ତିହୀନ ବୟାନ ଦେଉଛନ୍ତି। ଯାହା ଭାରତର ସଶସ୍ତ୍ର ବାହିନୀର ମନୋବଳକୁ ହ୍ରାସ କରୁଛି। ବିରୋଧୀମାନେ ମୋ ଉପରେ ଆକ୍ରମଣ କରି ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିପାରନ୍ତି, କିନ୍ତୁ ଏହା ସେମାନଙ୍କୁ ଦେଶର ଲୋକଙ୍କ ହୃଦୟରେ ସ୍ଥାନ ଦେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପାକିସ୍ତାନର କିଛି ଏୟାର୍ବେସ୍ ଏବେ ବି ଆଇସିୟୁରେ
୧୦୦୦ ପାକ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ନଷ୍ଟ କରାଯାଇଛି
ଅପରେସନ୍ ସିନ୍ଦୂର ପଛର ଉଦ୍ଦେଶ୍ୟ ସମ୍ପର୍କରେ ମୋଦୀ କହିଛନ୍ତି ଯେ ପହଲଗାମ ଆକ୍ରମଣକାରୀଙ୍କୁ ସମର୍ଥନ କରିଥିବା ଆତଙ୍କବାଦର କେନ୍ଦ୍ରସ୍ଥଳରେ ଆକ୍ରମଣ କରିବାକୁ ଭାରତ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ସହ ସାମରିକ ସଂଘର୍ଷ ବନ୍ଦ କରିବାକୁ ବିଶ୍ୱର କୌଣସି ନେତା ଭାରତକୁ କହିନାହାନ୍ତି ଏବଂ ନୂଆଦିଲ୍ଲୀ ସମ୍ପୂର୍ଣ୍ଣ ଭାବରେ ନିଜ ସର୍ତ୍ତରେ କାର୍ଯ୍ୟ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଦାବି କରି ଆସୁଛନ୍ତି ଯେ ମେ ମାସରେ ଅପରେସନ୍ ସିନ୍ଦୂର ସମୟରେ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରିବାରେ ସାହାଯ୍ୟ କରିଥିଲେ। ମୋଦୀ କହିଛନ୍ତି, ମେ ୯ ତାରିଖ ରାତିରେ ଆମେରିକୀୟ ଉପରାଷ୍ଟ୍ରପତି ମୋ ପାଖରେ ୩-୪ ଥର ପହଞ୍ଚିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମୁଁ ସଶସ୍ତ୍ର ବାହିନୀ ସହ ବୈଠକରେ ବ୍ୟସ୍ତ ଥିଲି। ଯେତେବେଳେ ମୁଁ ଫୋନ୍ ଉଠାଇଲି, ଆମେରିକୀୟ ଉପରାଷ୍ଟ୍ରପତି ମୋତେ ପାକିସ୍ତାନ ଆଡ଼ୁ ବଡ଼ ଆକ୍ରମଣ ପାଇଁ ଚେତାବନୀ ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ଅପରେସନ୍ ସିନ୍ଦୂର ଉପରେ ବକ୍ତବ୍ୟ ରଖି କହିଛନ୍ତି ଯେ ଭାରତର ଆକ୍ରମଣ ଏପରି ଥିଲା ଯେ ପାକିସ୍ତାନର କିଛି ଏୟାର୍ବେସ୍ ଓ ସାମରିକ ସମ୍ପତ୍ତି ଏବେ ବି ଆଇସିୟୁରେ ରହିଛି। ଭାରତ ପ୍ରମାଣିତ କରିଛି ଯେ ପରମାଣୁ ବ୍ଲାକ୍ମେଲିଂ ଆଉ କାମ କରିବ ନାହିଁ ଏବଂ ଭାରତ ମଧ୍ୟ ଏହି ବ୍ଲାକ୍ମେଲିଂ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ପାକିସ୍ତାନର ଏୟାର୍ବେସ୍ ଓ ସମ୍ପତ୍ତିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନ ଦ୍ୱାରା ଉତ୍କ୍ଷେପଣ କରାଯାଇଥିବା ୧୦୦୦ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍କୁ ଭାରତୀୟ ସଶସ୍ତ୍ର ବାହିନୀ ସଫଳତାର ସହ ନଷ୍ଟ କରିଥିଲା। ଏପ୍ରିଲ ୨୨ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆମେ ୨୨ ମିନିଟ୍ ମଧ୍ୟରେ ପାକିସ୍ତାନ ଭିତରେ ଥିବା ଆତଙ୍କୀ ସ୍ଥଳଗୁଡ଼ିକୁ ଧ୍ୱଂସ କରିଥିଲୁ ବୋଲି ଗୃହରେ ପ୍ରଧାନମନ୍ତ୍ରୀ କହିଥିଲେ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସେନାର ଧାରଣା ଥିଲା ଯେ ଭାରତ ପ୍ରକୃତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେମାନେ ପରମାଣୁ ଧମକ ଦେବା ଆରମ୍ଭ କଲେ। ମେ ୬-୭ ରାତିରେ ଭାରତ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଅପରେସନ୍ ସିନ୍ଦୂରର ପଞ୍ଚମ ଦିଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ପ୍ରଥମ ଥର ପାଇଁ ବିଶ୍ୱ ଆତ୍ମନିର୍ଭର ଭାରତର ଶକ୍ତିକୁ ସ୍ୱୀକୃତି ଦେଇଛି। ଭାରତରେ ନିର୍ମିତ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ପାକିସ୍ତାନର ଅସ୍ତ୍ରଶସ୍ତ୍ର ବ୍ୟବସ୍ଥାକୁ ପଦାରେ ପକାଇଛି।
ଟ୍ରମ୍ପଙ୍କୁ ସାର୍ବଜନୀନ ଭାବେ ‘ମିଛୁଆ’ କୁହନ୍ତୁ ମୋଦୀ: ରାହୁଲ
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ଅସ୍ତ୍ରବିରତି ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଲୋକସଭାରେ କହିଥିଲେ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜଣେ ମିଥ୍ୟାବାଦୀ ଏବଂ ଆମେ କୌଣସି ବିମାନ ହରାଇନାହୁଁ ବୋଲି ପ୍ରଧାନମନ୍ତ୍ରୀ ଲୋକସଭାରେ କହିବା ଉଚିତ। ଟ୍ରମ୍ପ ବାରମ୍ବାର ଅସ୍ତ୍ରବିରତି ପାଇଁ ଶ୍ରେୟ ନେଉଥିବାରୁ ପ୍ରଧାନମନ୍ତ୍ରୀ ଲୋକସଭାରେ ଏ ନେଇ ସ୍ଥିତି ସ୍ପଷ୍ଟ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଏବେ ଦେଶପାଇଁ ଅତ୍ୟନ୍ତ ବିପଜ୍ଜନକ ସମୟ ଏବଂ ଆମେ ଏପରି ଜଣେ ପ୍ରଧାନମନ୍ତ୍ରୀଙ୍କୁ ବରଦାସ୍ତ କରିପାରିବୁ ନାହିଁ ଯିଏ ସେନାକୁ କିପରି ବ୍ୟବହାର କରିବାକୁ ହୁଏ ଜାଣନ୍ତି ନାହିଁ। ବିଶ୍ବ ଏବେ ଭାରତକୁ ପାକିସ୍ତାନ ସହ ତୁଳନା କରୁଛି ଏବଂ ଏଭଳି ସ୍ଥିତି ଆମକୁ ଗୌଣ କରିଦେଇଛି। ଅପରେସନ୍ ପୂର୍ବରୁ ପାକିସ୍ତାନକୁ ଅଣ-ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ନେଇ ଆଗୁଆ ସୂଚନା ଦିଆଯିବା ଦୁର୍ଭାଗ୍ୟଜନକ। ସେହିଭଳି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମିଛୁଆ ବୋଲି କହିବାକୁ ମଧ୍ୟ ସାହସ ନଥିବା ଜଣେ ପ୍ରଧାନମନ୍ତ୍ରୀଙ୍କୁ ଆମେ ସହ୍ୟ କରିବୁ ନାହିଁ ବୋଲି ରାହୁଲ କହିଥିଲେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଆଜି ତାଙ୍କ ଉଦ୍ବୋଧନରେ ସ୍ପଷ୍ଟ କରିଦେଇଛନ୍ତି ଯେ ଅପରେସନ୍ ସିନ୍ଦୂର ସମୟରେ ଅସ୍ତ୍ରବିରତି ପାଇଁ କୌଣସି ବିଶ୍ବନେତା ହସ୍ତକ୍ଷେପ କରିନଥିଲେ। ଭାରତ ଏହି ଅପରେସନ୍ରେ ତା’ର ଲକ୍ଷ୍ୟ ହାସଲ କରିବା ସହ ପାକିସ୍ତାନର ଅନୁରୋଧକ୍ରମେ ଅସ୍ତ୍ରବିରତି ଆଲୋଚନା କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।