ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ମେ ମାସରେ ସଶସ୍ତ୍ର ବାହିନୀ ଆରମ୍ଭ କରିଥିବା ‘ଅପରେସନ ସିନ୍ଦୂର’ ସମୟରେ ଭାରତ ଗୋଟିଏ ସୀମାରେ ତିନି ଶତ୍ରୁଙ୍କ ସହ ଲଢ଼େଇ କରୁଥିଲା ବୋଲି ଉପସେନାଧ୍ୟକ୍ଷ ରାହୁଲ ଆର୍ ସିଂହ ଶୁକ୍ରବାର କହିଛନ୍ତି। ଇଣ୍ଡଷ୍ଟ୍ରି ଚାମ୍ବର ଏଫ୍ଆଇସିସିଆଇରେ ଉଦ୍ବୋଧନ ଦେଇ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ଯେ ଚୀନ୍ ମଧ୍ୟ ଭାରତ-ପାକିସ୍ତାନ ବିବାଦକୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ପରୀକ୍ଷଣ ପାଇଁ ଉପଲବ୍ଧ ‘ଲାଇଭ୍ ଲ୍ୟାବ୍’ ଭଳି ବ୍ୟବହାର କରିଥିଲା।
‘ଅପରେସନ୍ ସିନ୍ଦୂର’ ସମୟରେ ଆମର ଗୋଟିଏ ସୀମା ଓ ଦୁଇଟି ଶତ୍ରୁ ଥିଲେ ବୋଲି ଯାହା କୁହାଯାଉଛି ତାହା ବାସ୍ତବରେ ତିନିଟି। ଆଗରେ ଥିଲା ପାକିସ୍ତାନ। ଚୀନ୍ ସବୁ ପ୍ରକାର ସାମରିକ ଓ ଉପଗ୍ରହ ସହଯୋଗ ଯୋଗାଇ ଦେଉଥିଲା। ତୁର୍କୀ ମଧ୍ୟ ଡ୍ରୋନ୍ ଆଦି ପ୍ରଦାନ କରି ପାକିସ୍ତାନକୁ ଯେଉଁ ପ୍ରକାର ସମର୍ଥନ ପ୍ରଦାନ କରିଛି ତାକୁ ତୃତୀୟ ଶତ୍ରୁଭାବେ ବିବେଚନା କରାଯାଇପାରେ ବୋଲି ‘ଡେପୁଟି ଚିଫ୍ ଅଫ୍ ଆର୍ମି ଷ୍ଟାଫ୍’ କହିଛନ୍ତି। ସେନାର ଶୀର୍ଷ ଜେନେରାଲ କହିଛନ୍ତି ଯେ, ଭାରତ ସହ ସଂକ୍ଷିପ୍ତ ସଂଘର୍ଷ ସମୟରେ ବ୍ୟବହୃତ ପାକିସ୍ତାନର ୮୧ ପ୍ରତିଶତ ସାମରିକ ହାର୍ଡୱେର ଚୀନ୍ ଦ୍ୱାରା ନିର୍ମିତ । ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିପ୍ରି) ଅନୁଯାୟୀ, ଚୀନ୍ ୨୦୧୫ରୁ ପାକିସ୍ତାନକୁ ୮.୨ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକିଛି। ୨୦୨୦ରୁ ୨୦୨୪ ମଧ୍ୟରେ ଚୀନ୍ ବିଶ୍ୱର ଚତୁର୍ଥ ବୃହତ୍ତମ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ଦେଶ ଭାବେ ମାନ୍ୟତା ପାଇଛି। ସେଥିମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ବା ୬୩ ପ୍ରତିଶତ ରପ୍ତାନି ପାକିସ୍ତାନକୁ ହୋଇଥିଲା, ଯାହା ଇସଲାମାବାଦକୁ ଚୀନ୍ର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଗ୍ରାହକ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଏବେ ଚୀନ୍ଠାରୁ ୪୦ଟି ଶେନୟାଙ୍ଗ ଜେ-୩୫ ପଞ୍ଚମ ପିଢ଼ିର ଷ୍ଟେଲ୍ଥ ଲଢୁଆ ବିମାନ ସାମିଲ କରିବାକୁ ଯାଉଛି। ତେଣୁ ଚୀନ୍-ପାକିସ୍ତାନର ମୁକାବିଲା ପାଇଁ ଆମକୁ ଏକ ସୁଦୃଢ଼ ଏୟାର୍ ଡିଫେନ୍ସ ସିଷ୍ଟମ୍ର ଆବଶ୍ୟକତା ରହିଛି ବୋଲି ବରିଷ୍ଠ ସେନା ଅଧିକାରୀ କହିଛନ୍ତି। ଅପରେସନ ସିନ୍ଦୂରରୁ ଭାରତ ବହୁତ କିଛି ଶିକ୍ଷା କରିଥିବା ବେଳେ ଏହା ଆମର ଭବିଷ୍ୟ ରଣନୀତିକୁ ଆହୁରି ସୁଦୃଢ଼ କରିବ ଏବଂ ଦେଶର ସୁରକ୍ଷା ପ୍ରସଙ୍ଗରେ ଭାରତୀୟ ନେତୃତ୍ୱର ରଣନୈତିକ ବାର୍ତ୍ତା ସ୍ପଷ୍ଟ ବୋଲି ଉପସେନାଧ୍ୟକ୍ଷ କହିଛନ୍ତି।
ସୂଚନାଯୋଗ୍ୟ, ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ମେ ୭ରେ ପାକିସ୍ତାନ ନିୟନ୍ତ୍ରିତ ଅଞ୍ଚଳରେ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରି ଅପରେସନ ସିନ୍ଦୂରର ଆରମ୍ଭ କରିଥିଲା। ୪ ଦିନ ଧରି ପାକିସ୍ତାନ ସହ ତୀବ୍ର ସଂଘର୍ଷ ହୋଇଥିଲା।
ଅପରେସନ ସିନ୍ଦୂର, ‘ଗୋଟିଏ ସୀମା, ତିନିଟି ଶତ୍ରୁ’
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ମେ ମାସରେ ସଶସ୍ତ୍ର ବାହିନୀ ଆରମ୍ଭ କରିଥିବା ‘ଅପରେସନ ସିନ୍ଦୂର’ ସମୟରେ ଭାରତ ଗୋଟିଏ ସୀମାରେ ତିନି ଶତ୍ରୁଙ୍କ ସହ ଲଢ଼େଇ କରୁଥିଲା ବୋଲି ଉପସେନାଧ୍ୟକ୍ଷ ରାହୁଲ ଆର୍ ସିଂହ ଶୁକ୍ରବାର କହିଛନ୍ତି।
/sambad/media/media_files/2025/07/05/poiuytrewqasdf-2025-07-05-06-48-57.jpg)