ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦ ମଧ୍ୟରେ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଭାରତ ଆକ୍ରମଣ ବନ୍ଦ କରେ, ଆମେ ମଧ୍ୟ ବନ୍ଦ କରିବାକୁ ପ୍ରସ୍ତୁତ। ସେ ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ଆଉ କୌଣସି କ୍ଷତି ଚାହୁଁନାହିଁ।

Advertisment

ଜିଓ ନ୍ୟୁଜ୍‌କୁ ସାକ୍ଷାତକାର ଦେଇ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇସାକ ଡାର କହିଛନ୍ତି, "ଆମେ ନିଜକୁ କ୍ଷତି ପହଞ୍ଚାଇବାକୁ ଚାହୁଁନାହୁଁ। ଆମେ ବିନାଶ ଏବଂ ଟଙ୍କାର ଅପଚୟ ଚାହୁଁନାହୁଁ। ପାକିସ୍ତାନ ସବୁବେଳେ ଶାନ୍ତି ଚାହେଁ ଏବଂ ଯଦି ଭାରତ ଏହି ସମୟରେ ଆକ୍ରମଣ ବନ୍ଦ କରେ, ତେବେ ଆମେ ମଧ୍ୟ ଶାନ୍ତି ବିଷୟରେ ବିଚାର କରିବୁ ଏବଂ ପ୍ରତିଶୋଧ ନେବୁ ନାହିଁ କିମ୍ବା କିଛି କରିବୁ ନାହିଁ। ଆମେ ପ୍ରକୃତରେ ଶାନ୍ତି ଚାହୁଁଛୁ।"

ଏହି ବିବୃତି ଏପରି ସମୟରେ ଆସିଛି ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅଶାନ୍ତି ବଢ଼ିବାରେ ଲାଗିଛି। ପାକିସ୍ତାନ ନିରନ୍ତର ଡ୍ରୋନ୍ ଏବଂ ମିସାଇଲ୍ ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି, ଯାହାର ଭାରତୀୟ ସେନା ମୁହଁତୋଡ ଜବାବ ଦେଉଛି। କୁହାଯାଉଛି ଯେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ ଡାରଙ୍କ ସହ କଥା ହେବା ପରେ ସେ ଏଭଳି ବିବୃତି ଦେଇଛନ୍ତି।। ଆମେରିକାର ବୈଦେଶିକ ବିଭାଗର ପ୍ରେସ୍ ବିବୃତି ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିଧାସଳଖ ଆଲୋଚନା ପାଇଁ ଏକ ଆବେଦନ କରାଯାଇଛି। ସଚିବ ରୁବିଓ ଉତ୍ତେଜନା ହ୍ରାସ ଏବଂ ସିଧାସଳଖ ଆଲୋଚନା ପୁନଃଆରମ୍ଭ ପାଇଁ ଆହ୍ୱାନ ଦେଇ କହିଛନ୍ତି, ଆଲୋଚନା ମାଧ୍ୟମରେ ଉତ୍ତେଜନା ହ୍ରାସ କରାଯିବା ଆବଶ୍ୟକ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ, ପାକିସ୍ତାନ ପୁଣି ଥରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ୨୬ଟି ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, ଯାହା ପରେ ଭାରତୀୟ ସେନା ମଧ୍ୟ ଏହାର ଉଚିତ ଜବାବ ଦେଇଥିଲା।