ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ଅନୁଷ୍ଠିତ ନିତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସମସ୍ତ ମୁଖ୍ୟମନ୍ତ୍ରୀ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଏକ ସ୍ବରରେ ନିନ୍ଦା କରିବା ସହ ଆତଙ୍କବାଦ ବିରୋଧରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୂର’କୁ ଭୂୟସୀ ପ୍ରଶଂସା କରିଛନ୍ତି। ନିତି ଆୟୋଗ ସିଇଓ ବିଭିଆର ସୁବ୍ରମଣ୍ୟମ କହିଛନ୍ତି, ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନାର ‘ଅପରେସନ ସିନ୍ଦୂର’କୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପୂର୍ଣ୍ଣ ସମର୍ଥନ କରିଛନ୍ତି।
ସାମରିକ ଓ ସାମାଜିକ ଶକ୍ତିର ପ୍ରତିଫଳନ: ମୋଦୀ
ଦଳୀୟସ୍ତରରେ ଏକତା ଓ ପ୍ରତିବଦ୍ଧତାର ଭାବନା ପ୍ରକାଶ ପାଇଥିବା ବେଳେ ଏହା ଆମ ସାମରିକ ଓ ସାମାଜିକ ଶକ୍ତିର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜାତୀୟ ନିରାପତ୍ତା ସପକ୍ଷରେ ଆଦର୍ଶଗତ ପାର୍ଥ୍ୟକରୁ ଉପରକୁ ଉଠି ବିରୋଧୀ ଦଳମାନେ କାମ କରିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଛନ୍ତି। ପାକିସ୍ତାନ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବଡ଼ ବୈଠକ ଥିଲା। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ୨୦୪୭ର ପରିକଳ୍ପନା ପାଇଁ କେନ୍ଦ୍ର ଓ ସମସ୍ତ ରାଜ୍ୟ ମଧ୍ୟରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ‘ଅପରେସନ ସିନ୍ଦୂର’ ପାଇଁ ଯେଭଳି ମିଳିତ ଆଭିମୁଖ୍ୟ ଦେଖିବାକୁ ମିଳିଲା ସେଭଳି ଆଭିମୁଖ୍ୟ ବିକଶିତ ଭାରତ ପାଇଁ ମଧ୍ୟ ଆବଶ୍ୟକ।