ଏବେ ଜାରି ରହିଛି ଚୀନ ବିରୋଧରେ ଭାରତୀୟ ସେନାର ‘ଅପରେସନ ସ୍ନୋ ଲିଓପାର୍ଡ’

ଶ୍ରୀନଗର : ଚୀନ ସହ ବିଭିନ୍ନ ପର୍ଯ୍ୟାୟର ଆଲୋଚନା ସତ୍ତ୍ବେ ଏବେ ବି କେତେକ ଅଞ୍ଚଳରେ ଚୀନ ସେନା ପଛକୁ ଫେରିବାର ନାଁ ଧରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ବି ସର୍ବାଧିକ ସତର୍କ ରହିଛି ।

ଭାରତୀୟ ସେନାର ଉତ୍ତରାଞ୍ଚଳ କମାଣ୍ଡର ମୁଖ୍ୟ ବା କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଓ୍ବାଇ.କେ.ଜୋଷୀ କହିଛନ୍ତି ଯେ ଅପରେସନ ସ୍ନୋ ଲିଓପାର୍ଟ ଏବେ ବି ଜାରି ରହିଛି । ୨୦୨୦ ଜୁନରେ ଚୀନ ସେନା ସହ ଗଲଓ୍ବାନ ସଂଘର୍ଷ ହେବା ପରେ ଭାରତୀୟ ସେନା ଚୀନ ସୈନ୍ୟଙ୍କ ଅନୁପ୍ରବେଶର ମୁକାବିଲା କରିବାକୁ ଅପରେସନ ସ୍ନୋ ଲିଓପାର୍ଡ ଆରମ୍ଭ କରିଥିଲା । ଗତ ଦୁଇ ବର୍ଷ ମଧ୍ୟରେ ଚୀନ ସହ ଆଲୋଚନା ପରେ କେତେକ ଅଞ୍ଚଳରୁ ଶାନ୍ତିପୂର୍ଣ୍ଣ ଭାବେ ସୈନ୍ୟ ଅପସାରଣ ହୋଇଥିଲା । କିନ୍ତୁ ଏବେ ବି କେତେକ ଅଞ୍ଚଳରେ ଚୀନ ସେନା ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ବି ଏଲଏସିର ବିଭିନ୍ନ ବରଫାବୃତ୍ତ ଅଞ୍ଚଳରେ ସତର୍କ ରହିଛି ଓ ଚୀନ ଗତିବିଧି ଉପରେ ନଜର ରଖିଛି । ଶ୍ରୀନଗରଠାରେ ଥିବା ଉତ୍ତରାଞ୍ଚଳ କମାଣ୍ଡର ଇନଭେଷ୍ଟିଚର ସମାରୋହରେ ଯୋଗ ଦେଇ ସେ ଏକଥା କହିଛନ୍ତି ।

ସେ କହିଛନ୍ତି ଯେ ଶତ୍ରୁପକ୍ଷର ଷଡ଼ଯନ୍ତ୍ରକୁ ଭାରତୀୟ ସେନା ସଫଳତାର ସହ ମୁକାବିଲା କରିଚାଲିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜମ୍ମୁ ଓ କଶ୍ମୀର ଲୋକ ଆତଙ୍କବାଦକୁ ପସନ୍ଦ କରୁନାହାନ୍ତି । ଏଥିପାଇଁ ଗତ ବର୍ଷ ଆତଙ୍କବାଦୀ କାର୍ଯ୍ୟକଳାପ ସଂଖ୍ୟା ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର