ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ସମସ୍ତ ୪ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟରରେ ନିପାତ କରାଯାଇ ଥିବାରୁ ଏହାକୁ ନେଇ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସୁଛି। ଏକ ବଡ଼ ବର୍ଗ ଏହି ପ୍ରସଙ୍ଗରେ ହାଇଦ୍ରାବାଦ ପୁଲିସକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକ ଏନ୍କାଉଣ୍ଟରକୁ ନେଇ ପ୍ରଶ୍ନ କରିଛନ୍ତି। ସାଂପ୍ରତିକ ସ୍ଥିତିରେ ଏଭଳି କାର୍ଯ୍ୟାନୁଷ୍ଠାନ ଜରୁରୀ ଥିଲା ବୋଲି ଅନେକ ମତ ଦେଇଥିବା ବେଳେ ଆଉ କେତେକ ନ୍ୟାୟିକ ପ୍ରକ୍ରିୟା ଏବଂ ମାନବାଧିକାର ଦିଗ ନେଇ ପ୍ରଶ୍ନ ଉଠାଇଛନ୍ତି।
ହାଇଦ୍ରାବାଦ ପୁଲିସକୁ ଅଶେଷ ଧନ୍ୟବାଦ। ଏହାଠାରୁ ଭଲ ନ୍ୟାୟ ଆଉ କିଛି ହୋଇପାରିବ ନାହିଁ। ଏବେ ଖୁବ୍ଶୀଘ୍ର ନିର୍ଭୟାଙ୍କ ଅପରାଧୀଙ୍କୁ ଫାଶୀ ଦଣ୍ଡ ମିଳିବା ଉଚିତ। ଦଣ୍ଡ ପ୍ରଦାନରେ ବିଳମ୍ବ ଯୋଗୁଁ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ଦିଲ୍ଲୀ ଗଣଦୁଷ୍କର୍ମ ପୀଡ଼ିତା ନିର୍ଭୟାଙ୍କ ମା’
ଏନ୍କାଉଣ୍ଟରରେ କ’ଣ ଘଟିଥିଲା ସେ ନେଇ ମୋ ପାଖରେ ବିସ୍ତୃତ ତଥ୍ୟ ନାହିଁ। କିନ୍ତୁ ଏହି ଘଟଣାର ତଦନ୍ତ ହେବା ଆବଶ୍ୟକ। ଏହି ଏନ୍କାଉଣ୍ଟର ଅସଲି ଥିଲା କି ନକଲି ତାହା ତଦନ୍ତ ହେଲେ ହିଁ ଜଣାପଡ଼ିବ। ଅପରାଧୀମାନେ ସତରେ ଫେରାର ହେବାକୁ ଚେଷ୍ଟା କରିଥିଲେ କି ନାହିଁ ତାହା ସ୍ପଷ୍ଟ କରାଯିବା ଆବଶ୍ୟକ।
ପି. ଚିଦମ୍ବରମ, କଂଗ୍ରେସ ନେତା
ଅଭିଯୁକ୍ତମାନେ ଏନ୍କାଉଣ୍ଟରରେ ନିପାତ ହେବା ଖବର ଶୁଣି ବହୁତ ଖୁସି ଲାଗିଲା। ଏହା ଏକ ଉଦାହରଣ। ରେକର୍ଡ ସମୟ ମଧ୍ୟରେ ଆମକୁ ନ୍ୟାୟ ମିଳିଛି। ଯେଉଁମାନେ ଆମ ସହିତ ସଙ୍କଟ ସମୟରେ ଛିଡ଼ା ହୋଇଛନ୍ତି ସେମାନଙ୍କୁ ଆମେ କୃତଜ୍ଞତା ଜଣାଉଛୁ।
ହାଇଦ୍ରାବାଦ ପୀଡ଼ିତାଙ୍କ ଭଉଣୀ
ଯାହା ହେଲା ତାହା ଦେଶପାଇଁ ଅତ୍ୟନ୍ତ ଭୟାନକ। ଆପଣ କାହାକୁ ଏଭଳି ହତ୍ୟା କରିପାରିବେ ନାହିଁ। ଆପଣ ଆଇନକୁ ହାତକୁ ନେଇପାରିବେ ନାହିଁ। ଅଭିଯୁକ୍ତମାନଙ୍କୁ କେବେ ନା କେବେ ଫାଶୀ ଦଣ୍ଡ ମିଳିଥାନ୍ତା।
ମେନକା ଗାନ୍ଧୀ, ବିଜେପି ସାଂସଦ
ଉତ୍ତର ପ୍ରଦେଶ ପୁଲିସ ହାଇଦ୍ରାବାଦ ପୁଲିସଠାରୁ କିଛି ଶିକ୍ଷା ଲାଭ କରିବା ଉଚିତ। ଉତ୍ତର ପ୍ରଦେଶରେ ଅପରାଧୀମାନଙ୍କୁ ଅତିଥିଙ୍କ ଭଳି ଦେଖାଯାଉଛି। ୟୁପିରେ ଏବେ ଜଙ୍ଗଲରାଜ ଚାଲିଛି।
ମାୟାବତୀ, ବିଏସ୍ପି ସୁପ୍ରିମୋ
ଦୁଷ୍କର୍ମକାରୀଙ୍କୁ ନିପାତ କରି ପୁଲିସ ଅତ୍ୟନ୍ତ ପ୍ରଶଂସନୀୟ କାର୍ଯ୍ୟ କରିଛି। ଏଭଳି ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଆବଶ୍ୟକ।
ଅନୁପମ ଖେର୍, ଅଭିନେତା
ବିଳମ୍ବରେ ହେଲେ ମଧ୍ୟ ପୁଲିସ ବହୁତ ଭଲ ପଦକ୍ଷେପ ନେଇଛି।
ଜୟା ବଚ୍ଚନ, ସମାଜବାଦୀ ପାର୍ଟି ସାଂସଦ
ଏନ୍କାଉଣ୍ଟରକୁ ନେଇ ଲୋକେ ଖୁସି ଜାହିର କରୁଛନ୍ତି। କିନ୍ତୁ ଏହାଦ୍ବାରା ଆଇନ ବ୍ୟବସ୍ଥା ଉପରୁ ଭରସା ଉଠିଯାଉଛି। ଏ ବାବଦରେ ସବୁ ସରକାର ମିଶି ଚିନ୍ତା କରିବା ଆବଶ୍ୟକ।
ଅରବିନ୍ଦ କେଜ୍ରିୱାଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ନ୍ୟୟିକ ବ୍ୟବସ୍ଥାକୁ ଏଡ଼ାଇ ଦେଇ ଏଭଳି ଏନ୍କାଉଣ୍ଟର ଗ୍ରହଣୀୟ ହୋଇପାରିବ ନାହିଁ। ଅପରାଧୀମାନେ ଯଦି ବନ୍ଧୁକ ଛଡ଼ାଇ ଆକ୍ରମଣ କରିଥିବେ, ତା’ହେଲେ ହିଁ ପୁଲିସ ନିଜ କାର୍ଯ୍ୟାନୁଷ୍ଠାନକୁ ସଠିକ୍ ସାବ୍ୟସ୍ତ କରିପାରିବ। ଆଇନରେ ଚାଲୁଥିବା ସମାଜରେ ଏଭଳି କାର୍ଯ୍ୟାନୁଷ୍ଠାନକୁ ଉଚିତ ବୋଲି କୁହାଯାଇ ପାରିବ ନାହିଁ।
ଶଶି ଥରୁର୍, କଂଗ୍ରେସ ନେତା
ଏନ୍କାଉଣ୍ଟର ନାମରେ ଏଭଳି ହତ୍ୟାକୁ ଗ୍ରହଣ କରାଯାଇ ପାରିବ ନାହିଁ। ଏହା କେବେ ବି ନ୍ୟାୟର ବିକଳ୍ପ ହୋଇପାରିବ ନାହିଁ। ୨୦୧୨ ନିର୍ଭୟା କାଣ୍ଡ ପରେ ଦେଶରେ ଲାଗୁ ହୋଇଥିବା କଠୋର ଆଇନ ଠିକ୍ ଭାବରେ କାମ କରୁନାହିଁ ବୋଲି ଏହା ଦ୍ବାରା ପ୍ରମାଣିତ ହୋଇଛି।
ସୀତାରାମ ୟେଚୁରି, ସିପିଏମ୍ ନେତା
ପୁଲିସ ଯେଉଁଭଳି ପଦକ୍ଷେପ ନେଇଛି ତାହା ଅତ୍ୟନ୍ତ ସାହସପୂର୍ଣ୍ଣ। ମୁଁ ଭାବୁଛି ଏହା ଦ୍ବାରା ନ୍ୟାୟ ମିଳିଛି। ଏହା ଦ୍ବାରା ଦେଶବାସୀଙ୍କୁ ଆଶ୍ବସ୍ତି ମିଳିଛି।
ବାବା ରାମଦେବ, ଯୋଗ ଗୁରୁ
ହାଇଦ୍ରାବାଦ କାଣ୍ଡର ୪ ଅଭିଯୁକ୍ତଙ୍କୁ ପୁଲିସ ନିପାତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଏହାକୁ କାର୍ଯ୍ୟକାରୀ କରିଥିବା ସମସ୍ତ ପୁଲିସ କର୍ମୀଙ୍କୁ ଅଭିନନ୍ଦନ। ଅପରାଧୀଙ୍କୁ ତତ୍କାଳ ଶାସ୍ତି ଦେବାପାଇଁ ରାସ୍ତା ବାହାରିବା ଦରକାର।
ଉମା ଭାରତୀ, ବିଜେପି ଉପାଧ୍ୟକ୍ଷ
ଦେଶର ନାଗରିକ ଭାବେ ପୁଲିସର କାର୍ଯ୍ୟାନୁଷ୍ଠାନରେ ମୁଁ ଖୁସି ପ୍ରକାଶ କରୁଛି। ଆମେ ସମସ୍ତେ କିଛି ଏଭଳି ହିଁ ଚାହୁଥିଲେ। କିନ୍ତୁ ଏହା ଆଇନଗତ ଭାବେ ହୋଇଥିଲେ ଭଲ ହୋଇଥାନ୍ତା।
ରେଖା ଶର୍ମା, ଜାତୀୟ ମହିଳା କମିସନ ଅଧ୍ୟକ୍ଷା
ଏଭଳି ଏନ୍କାଉଣ୍ଟରକୁ ମୁଁ ଦୃଢ଼ ବିରୋଧ କରୁଛି। ସୁପ୍ରିମ୍ କୋର୍ଟଙ୍କ ପୂର୍ବ ଆଦେଶ ଅନୁଯାୟୀ ପ୍ରତ୍ୟେକ ଏନ୍କାଉଣ୍ଟରର ତଦନ୍ତ ହେବା ଜରୁରୀ। ଜାତୀୟ ମାନବାଧିକାର କମିସନ ଏବେ ଏହାର ତଦନ୍ତ କରିବ।
ଅସଉଦ୍ଦିନ ଅୱେସି, ଏଆଇଏମ୍ଆଇଏମ୍ ନେତା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/dg87h87gdh8dg7hdg7hdg987hdgh9dghgd98h7dg98h.jpg)