ସମ୍ବିଧାନ ପୀଠ ଗଠନକୁ ବିରୋଧ :ଆବେଦନ ପ୍ରତ୍ୟାହାର କଲା କଂଗ୍ରେସ

ମହାଭିଯୋଗ ନୋଟିସ ମାମଲା

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ମାମଲା ଏବେ ନୂଆ ମୋଡ଼ ନେଇଛି। ମହାଭିଯୋଗ ନୋଟିସ୍‌କୁ ରାଜ୍ୟସଭା ଅଧ୍ୟକ୍ଷ ଖାରଜ କରିଥବାରୁ ଏହାକୁ ଚ୍ୟାଲେଂଜ କରି କଂଗ୍ରେସ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ଆଜି ଦଳ ପ୍ରତ୍ୟାହାର କରିନେଇଛି। ଏହି ମାମଲାର ଶୁଣାଣି ପାଇଁ ରାତାରାତି ୫ ଜଣିଆ ସମ୍ବିଧାନ ପୀଠ ଗଠନ କରାଯିବା ପରେ ଏହାର ପ୍ରତିବାଦରେ ଆବେଦନ ପ୍ରତ୍ୟାହାର କରାଯାଇଛି ବୋଲି ଦଳ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ କପିଲ ସିବ୍ଦଲ କହିଛନ୍ତି । କେଉଁ ଆଧାରରେ ଏବଂ କାହିଁକି ସମ୍ବିଧାନ ପୀଠ ଗଠନ କରିବାକୁ ଆଦେଶ ଦିଆଯାଇଥିଲା ତାହା ସ୍ପଷ୍ଟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏ ବାବଦ ପ୍ରଶାସନିକ ଆଦେଶର ନକଲ ପ୍ରଦାନ କରାଯିବାକୁ ଆଜି ସିବ୍ଦଲ କୋର୍ଟରେ ଦାବି କରିଥିଲେ। ତେବେ କୋର୍ଟ ସିବ୍ଦଲଙ୍କ ଦାବିକୁ ଆଦୌ ଗୁରୁତ୍ୱ ନଦେବାରୁ ସେ ମାମଲା ପ୍ରତ୍ୟାହାର କରିନେଇଥିଲେ। ଏହାପରେ କୋର୍ଟ ମଧ୍ୟ ଏହି ମାମଲା ଖାରଜ କରିଦିଆଯାଇଥିବା କହିିଥିଲେ।
ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଆଣିଥିବା ମହାଭିଯୋଗ ନୋଟିସ୍‌କୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଖାରଜ କରିଥିବାରୁ ଏହା ବିରୋଧରେ ଗତକାଲି ଦଳ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କଂଗ୍ରେସର ଦୁଇ ଜଣ ସାଂସଦ ସୁପ୍ରିମ୍‌ କୋର୍ଟର ବରିଷ୍ଠ ବିଚାରପତି ଜେ. ଚେଲମେଶ୍ୱରଙ୍କ ଅଦାଲତରେ ମାମଲା ଦାଏର କରିଥିଲେ। ତେବେ ମାମଲା ପ୍ରଧାନ ବିଚାରପତିଙ୍କ ବିରୋଧରେ ଥିବାରୁ ଏହାର ଶୁଣାଣି ପାଇଁ ସୋମବାର ରାତିରେ ୫ ଜଣିଆ ସମ୍ବିଧାନ ପୀଠକୁ ମାମଲା ପଠାଯାଇଥିଲା। ଆଜି ସକାଳେ ସମ୍ବିଧାନ ପୀଠ ଏହି ମାମଲାର ଶୁଣାଣି ଆରମ୍ଭ କରିବା ମାତ୍ରେ ଆବେଦନକାରୀଙ୍କ ଓକିଲ ସିବ୍ଦଲ ସମ୍ବିଧାନ ପୀଠ ଦ୍ୱାରା ମାମଲାର ଶୁଣାଣିକୁ ବିରୋଧ କରିଥିଲେ। ସମ୍ବିଧାନ ପୀଠ ଗଠନ କରିବା ସଂକ୍ରାନ୍ତ ପ୍ରଶାସନିକ ଆଦେଶର କପି ସେ ମାଗିଥିଲେ ଏବଂ ଏହାକୁ କୋର୍ଟରେ ଚ୍ୟାଲେଂଜ କରିବେ ବୋଲି କହିଥିଲେ। ସମ୍ବିଧାନ ପୀଠର ନେତୃତ୍ୱ ନେଉଥିବା ଜଷ୍ଟିସ ଏ.କେ. ସିକ୍ରି ସିବ୍ଦଲଙ୍କୁ କହିଥିଲେ ଯେ ସେ ମାମଲାର ଭିତ୍ତି ଆଧାରରେ ତର୍କ କରିବା ଆବଶ୍ୟକ। ତେବେ ସିବ୍ଦଲ ଏହାକୁ ଗ୍ରହଣ କରିନଥିଲେ ଏବଂ ମାମଲା ପ୍ରତ୍ୟାହାର କରିନେଇଥିଲେ।
ସିବ୍ଦଲ କହିଥିଲେ ଯେ ଧାରା ୧୪୫(୩) ଅନୁଯାୟୀ ଯଦି କୋର୍ଟ ଅନୁଭବ କରିବେ ଯେ ଆଇନର ପରିଭାଷା ସମ୍ବିଧାନ ସହିତ ସଂପୃକ୍ତ ତା’ହେଲେ ମାମଲା ୫ ଜଣିଆ ସମ୍ବିଧାନ ପୀଠକୁ ଯିବ। ତେବେ ଏହା ନ୍ୟାୟିକ ଆଦେଶ ହୋଇନଥିବାରୁ ଏ ବାବଦରେ ପ୍ରଶାସନିକ ଆଦେଶ କିଏ ଜାରି କରିଥିଲେ ତାହାର ନକଲ ପ୍ରଦାନ କରାଯିବାକୁ ସିବ୍ଦଲ ବାରମ୍ବାର ଦାବି ଦୋହରାଇଥିଲେ।
କୌଣସି ବିଚାରପତିଙ୍କ ବିରୋଧରେ ବ୍ୟକ୍ତିଗତ ଅଭିଯୋଗ ଆମର ନାହିଁ ବୋଲି ସିବ୍ଦଲ କହିଥିଲେ। କୋର୍ଟର ପ୍ରକ୍ରିୟା ସଂପୂର୍ଣ୍ଣ ସ୍ୱଚ୍ଛା ରହିବା ଆମେ ଚାହୁଛୁ ବୋଲି ସେ କହିଥିଲେ। ପ୍ରଧାନ ବିଚାରପତିଙ୍କ ପ୍ରଶାସନିକ ଆଦେଶକୁ କାହିଁକି ଚ୍ୟାଲେଂଜ କରାଯାଇ ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ସୂଚନାଯୋଗ୍ୟ ଜଷ୍ଟିସ ଜେ ଚେଲମେଶ୍ୱରଙ୍କ ଅଧ୍ୟକ୍ଷତାରେ ଥିବା ପୀଠ ଗତକାଲି ମାମଲାର ଶୀଘ୍ର ଶୁଣାଣି ପାଇଁ ଦାବିକୁ ଗ୍ରହଣ କରି ମଂଗଳବାର ଶୁଣାଣି ନିମନ୍ତେ ଧାର୍ଯ୍ୟ କରିଥିଲେ। ଏହାପରେ ସୁପ୍ରିମ୍‌ କୋର୍ଟ ଏହି ମାମଲାକୁ ଜଷ୍ଟିସ ଏ.କେ. ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠକୁ ପଠାଇଥିଲେ।

ସମ୍ବନ୍ଧିତ ଖବର