ପରିବାର ବିରୋଧ କରିବାରୁ ଫେସ୍‌ବୁକ୍‌ରେ ବାହାଘର ଲାଇଭ୍‌ଷ୍ଟ୍ରିମ୍‌ କଲେ ପ୍ରେମିକ-ପ୍ରେମିକା

ବେଙ୍ଗାଲୁରୁ: ପରିବାରର ଦୃଢ଼ ବିରୋଧ ସତ୍ତ୍ୱେ ୨୫ ବର୍ଷିୟ କିରଣ କୁମାର ଓ ୧୯ ବର୍ଷୀୟ ଟି ଅର୍ପିତା ଏକତ୍ର ରହିବାକୁ ଦୃଢ଼ ନିଷ୍ପତ୍ତି ନେଇଥିଲେ। ଶୁକ୍ରବାର ଦିନ ଉତ୍ତର ବେଙ୍ଗାଲୁରୁ ଅନ୍ତର୍ଗତ ହେସରାଘଟ୍ଟ ମନ୍ଦିରରେ ଟୁମାକୁରୁ ଜିଲ୍ଲା ଅନ୍ତଗର୍ଗତ ମଧୁଗିରିର ପ୍ରେମିକ-ପ୍ରେମିକାଙ୍କ ହସ୍ତଗଣ୍ଠି ପଡ଼ିବା ବେଳର ଦୃଶ୍ୟକୁ ଦୁନିଆ ଦେଖୁ ବୋଲି ସେମାନେ ଠିକ୍‌ କରିଥିଲେ। ଫେସ୍‌ବୁକ୍‌ରେ ତାଙ୍କ ବାହାଘରର ଲାଇଭ୍‌ଷ୍ଟ୍ରିମ୍‌ କରାଯାଇଥିଲା।

ସେମାନଙ୍କ ସମ୍ପର୍କକୁ ବିରୋଧ କରି ପରିବାର ଲୋକେ ଥାନାରେ ନିରୁଦ୍ଦେଶ ଅଭିଯୋଗ କରିବା ପରେ ସେମାନେ ଏମିତି କରିବାକୁ ସ୍ଥିର କରିଥିଲେ। କିରଣ ଜଣେ ବ୍ୟବସାୟୀ ଏବଂ ଅର୍ପିତା ଦ୍ୱିତୀୟ ବାର୍ଷିକ ବାଣିଜ୍ୟ ଛାତ୍ରୀ। ଉଭୟ ଭିନ୍ନ ଜାତିର ହୋଇଥିବାରୁ ଏକତ୍ର ରହିବା ପାଇଁ ସେମାନେ ନିଜ ନିଜର ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଅବଶ୍ୟ ପିତାମାତାଙ୍କୁ ବୁଝାଇବାକୁ ସେମାନେ କିଛି ସପ୍ତାହ ଅପେକ୍ଷା କରିଥିଲେ। କିନ୍ତୁ ମଧୁଗିରିର ରାଜନେତା ଝିଅର ବାପା ପୁଲିସରେ ଏତଲା ଦେବାରୁ ମାମଲା ସଙ୍ଗୀନ ହୋଇଥିଲା।

କିରଣ କହନ୍ତି: ଆମେ ଚାହୁଁଥିଲୁ ଆମ ପରିବାର ଏକତ୍ର ହୋଇ ଆମ ବାହାଘର ବ୍ୟବସ୍ଥା କରନ୍ତୁ। କିନ୍ତୁ, କେହି ଆମ ଭାବନା ପ୍ରତି ଭ୍ରୁକ୍ଷେପ ବି କଲେ ନାହିଁ। ଉପାୟ ନ ଥିବାରୁ ଆମେ ମନ୍ଦିରରେ ବାହା ହେବାକୁ ନିଷ୍ପତ୍ତି ନେଲୁ।

ଭିଡିଓକୁ ପ୍ରମାଣ ଭାବେ ଗ୍ରହଣ କରି ପୁଲିସ ଏବେ ମାମଲା ବନ୍ଦ କରିବାକୁ ଯୋଜନା କରୁଛି। ପୁଲିସ କହିଛି: ଆମେ ଝିଅର ବୟାନ ନେବାକୁ ଚାହୁଁଛୁ। ସେ ନାବାଳିକା ନୁହନ୍ତି ତେଣୁ ତାଙ୍କ ପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିବାରୁ ଆମେ ତାଙ୍କୁ ଅଟକାଇ ପାରିବୁ ନାହିଁ।

ସମ୍ବନ୍ଧିତ ଖବର