ଯୋଗୀଙ୍କ ବିରୋଧ‌ରେ ବର୍ଷିଲେ ବିରୋଧୀ, କାନ୍‌ପୁର ଏନ୍‌କାଉଣ୍ଟର ଗୁଣ୍ଡାରାଜ୍‌ର ବଳିଷ୍ଠ ପ୍ରମାଣ

ନୂଆଦିଲ୍ଲୀ: କାନ୍‌ପୁର ଏନକାଉଣ୍ଟରରେ ୮ ପୁଲିସଙ୍କ ମୃତ୍ୟୁ ଘଟଣାକୁ ବିରୋଧ କରି ଉତ୍ତରପ୍ରଦେଶରେ ବିରୋଧୀ ଦଳଗୁଡ଼ିକ ଯୋଗୀ ସରକାକୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ କେହି ବି ସୁରକ୍ଷିତ ନାହାନ୍ତି ବୋଲି ବିରୋଧୀଦଳମାନେ କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଏଭଳି ଏକ ଘଟଣା ରାଜ୍ୟରେ ‘ଗୁଣ୍ଡାରାଜ୍‌’ର ଅନ୍ୟ ଏକ ବଳିଷ୍ଠ ପ୍ରମାଣ। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଏକ ଟ୍ବିଟ୍‌ କରି ସମ୍ପୃକ୍ତ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରିୟଙ୍କା କହିଛନ୍ତି ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି। ଅପରାଧୀମାନଙ୍କର ଭୟ ନାହିଁ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୁଲିସ ପର୍ଯ୍ୟନ୍ତ ରାଜ୍ୟରେ କେହି ବି ସୁରକ୍ଷିତ ନାହାନ୍ତି।

ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ। ତେବେ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌। ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ଉତ୍ତରପ୍ରଦେଶ ଏକ ହତ୍ୟାପ୍ରଦେଶ ହୋଇଛି। ଏକ ଟ୍ବିଟ୍‌ କରି ସପା ପକ୍ଷରୁ କୁହାଯାଇଛି ‘ରୋଗୀ ସରକାର’ ଜଙ୍ଗଲରାଜ୍‌ରେ ଯୁପି ଏକ ହତ୍ୟାପ୍ରଦେଶରେ ପରିଣତ ହୋଇଛି। ଉକ୍ତ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତ ପୁଲିସଙ୍କ ପରିବାର ସଦସ୍ୟଙ୍କ ପାଇଁ ତୁରନ୍ତ ୧ କୋଟି ଘୋଷଣା କରିବାକୁ ସପା ପକ୍ଷରୁ ଦାବି ହୋଇଛି। ବିଏସ୍‌ପି ସୁପ୍ରିମୋ ମାୟାବତୀ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଲଜ୍ଜାଜନକ। ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ, ରାଜ୍ୟ ସରକାର ଆଇନ ଶୃଙ୍ଖଳା ସ୍ଥିତି ନେଇ ଅଧିକ ସଚେତନ ହେବାକୁ ପଡ଼ିବ।

ବିକାଶ ଦୁବେ କିଏ ?
ଲକ୍ଷ୍ନୌ: ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଗିରଫ କରିବାକୁ ଯାଇ ରାଜ୍ୟର ୮ ଜଣ ପୁଲିସଙ୍କ ଜୀବନ ଯାଇଛି। ଅପରାଧୀ ବିକାଶ ଦୁବେକୁ ପୁଲିସ ଅନେକ ଥର ଗିରଫ କରିଛି। କିନ୍ତୁ ଆଇନର ଫାଙ୍କ ଦେଇ ସେ ଖସିଯିବାକୁ ସକ୍ଷମ ହୋଇଛି। ତା’ ବିରୋଧରେ ୧୦ରୁ ଅଧିକ ହତ୍ୟା ମାମଲା ସମେତ ୬୦ଟି ଅପରାଧିକ ମାମଲା ଥିଲା। ସମସ୍ତ ଅପରାଧ ମାମଲାରେ ଗୋଟିଏ ଥାନାରେ ରହିଥିବା ଜଣାପଡ଼ିଛି। ବାରମ୍ବାର ପୁଲିସ୍‌ ବିକାଶକୁ ଗିରଫ କରିଥିଲେ ମଧ୍ୟ ସେ ଖସି ପଳାଇଆସିଛି। କିନ୍ତୁ ଚଳିତ ଥର ପୁଲିସର ସମସ୍ତ ଯୋଜନା ସମ୍ପର୍କରେ ବିକାଶ ଦୁବେ ଖବର ପାଇଥିଲା। ୫୦ ବର୍ଷୀୟ ଦୁବେ ପୂର୍ବରୁ ପୁଲିସ ଉପରେ ବଡ଼ ଆକ୍ରମଣ ପାଇଁ ଯୋଜନା କରିଥିଲା ଏବଂ ଏଥିରେ ସଫଳ ହେଲା। ବିକାଶ ଦୁବେର ଅପରାଧ ଇତିହାସ ବହୁତ ଲମ୍ବା। ୧୯୯୦ରୁ ତା’ର ଅପରାଧ ରେକର୍ଡ ଆରମ୍ଭ ହୋଇଥିଲା। ଏକ ହତ୍ୟା ମାମଲା ସହ ଦୁବେର ଅପରାଧ ରେକର୍ଡ ଆରମ୍ଭ ହୋଇଥିଲା। ପରେ ପରେ ତା’ ବିରୋଧରେ ହତ୍ୟା ଉଦ୍ୟମ, ଅପହରଣ, ଦାଦାବଟି ଆଦାୟ ଏବଂ ଦଙ୍ଗା ମାମଲା ରହିଥିଲା। ୨୦୦୧ରେ ଦୁବେ ବିରୋଧରେ କାନପୁର ବିଜେପି ନେତା ସନ୍ତୋଷ ଶୁକ୍ଳାଙ୍କୁ ହତ୍ୟା ଘଟଣାରେ ହତ୍ୟା ମାମଲା ରୁଜୁ ହୋଇଥିଲା। ୨୦୦୨ରେ ଡୁବେ ପୁଲିସରେ ଆତ୍ମସମର୍ପଣ କରିଥିଲା। କିନ୍ତୁ ପରେ ତାକୁ ଦୋଷମୁକ୍ତ କରାଯାଇଥିଲା। ଡୁବେର ରାଜନୈତିକ ସମ୍ପୃକ୍ତ ମଧ୍ୟ ରହିଛି। ସେ ଅତିତ‌ରେ ଏକ ରାଜନୈତିକ ଦଳର ସଦସ୍ୟ ଥିଲା। ତେବେ ତା’ ଗ୍ରାମରେ ସେ ଅନେକ ଭଡ଼ାଟିଆ ଗୁଣ୍ଡାଙ୍କୁ ରଖିଛି। ସେ ରହୁଥିବା ଅଞ୍ଚଳରେ ତାକୁ ଲୋକମାନେ ବହୁତ ଭୟ କରନ୍ତି। ତା’ର ପତ୍ନୀ ଜିଲ୍ଲା ପରିଷଦ ସଭ୍ୟ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର