ମେଳି ବାନ୍ଧୁଛନ୍ତି ବିରୋଧୀ: ମୋଦି ସରକାର ବିରୋଧରେ ଅନାସ୍ଥା ନୋଟିସ୍‌

କଂଗ୍ରେସ, ଟିଏମ୍‌ସି ଓ ବାମଦଳଙ୍କ ସମର୍ଥନ, ବିଜେଡି ନିଷ୍ପତ୍ତି ନେଇନାହିଁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ବିହାର ଉପନିର୍ବାଚନରେ ସମସ୍ତ ୩ଟି ଲୋକସଭା ଆସନରେ ପରାଜିତ ହୋଇଥିବା ବିଜେପିକୁ ଆଜି ଆଉ ଏକ ବଡ଼ ଝଟ୍‌୍‌କା ଲାଗିଛି । କେନ୍ଦ୍ର ସରକାରରୁ ନିକଟରେ ଓହରିଯାଇଥିବା ତେଲୁଗୁ ଦେଶମ୍‌ ପାର୍ଟି ଆଜି ଏନ୍‌୍‌ଡିଏ ମେଣ୍ଟରୁ ମଧ୍ୟ ବାହାରି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦୀର୍ଘ ୪ ବର୍ଷ ଧରି ମେଣ୍ଟ କାଏମ ରଖିଥିବା ନାଇଡ଼ୁ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରି ଏନ୍‌୍‌ଡିଏ ଛାଡ଼ିଛନ୍ତି। ଏନ୍‌୍‌ଡିଏ ଛାଡ଼ିବା ପରେ ଓ୍ଵାଇଏସ୍‌ଆର କଂଗ୍ରେସ ପରେ ଟିଡିପି ମଧ୍ୟ ନିଜ ଆଡ଼ୁ ଅନାସ୍ଥା ପ୍ରସ୍ତାବ ପାଇଁ ନୋଟିସ୍‌ ଦେଇଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇଛନ୍ତି। ଟିଡିପିର ଅନାସ୍ଥା ପ୍ରସ୍ତାବକୁ କଂଗ୍ରେସ, ଟିଏମ୍‌୍‌ସି ଏବଂ ବାମଦଳମାନେ ମଧ୍ୟ ସମର୍ଥନ ଘୋଷଣା କରିଛି । ଅସଉଦ୍ଦିନ ଅେଓ୍ଵସିଙ୍କ ଦଳ ଏଆଇଏମ୍‌ଆଇଏମ୍‌ ଟିଡିପିକୁ ସମର୍ଥନ କରିବାକୁ ଘୋଷଣା କରିଛି। ପ୍ରସ୍ତାବକୁ ବିଜେଡି ସମର୍ଥନ କରିବ କି ନାହିଁ ସେ ନେଇ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ ବୋଲି ବିଜେଡି ସଂସଦୀୟ ଦଳ ମୁଖପାତ୍ର କଳିକେଶ ନାରାୟଣ ସିଂହଦେଓ କହିଛନ୍ତି।

ଆଜି ଟିଡିପି ପକ୍ଷରୁ ଲୋକସଭାରେ ଦଳର ନେତା ଥୋଟା ନରସିଂହମ ଅନାସ୍ଥା ନୋଟିସ୍‌ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନର ଦଶମ ଦିବସରେ ଅନାସ୍ଥା ନୋଟିସ୍‌ ଏବଂ ଅନ୍ୟ ପ୍ରସଙ୍ଗରେ ପ୍ରବଳ ହଙ୍ଗାମା ଯୋଗୁଁ ଉଭୟ ଗୃହରେ କୌଣସି କାର୍ଯ୍ୟ ହୋଇପାରିନଥିଲା। ଲୋକସଭାରେ ବାଚସ୍ପତି ସୁମିତ୍ରା ମହାଜନ ଅନାସ୍ଥା ପ୍ରସ୍ତାବ ପ୍ରତି ସହମତି ଥିବା ସାଂସଦମାନଙ୍କ ଗଣତି ଆରମ୍ଭ କରିବା ପାଇଁ ସେମାନଙ୍କୁ ନିଜ ନିଜ ଆସନରେ ବସିବାକୁ କହିଥିଲେ। କିନ୍ତୁ ବାଚସ୍ପତିଙ୍କ ଅନୁରୋଧକୁ କର୍ଣ୍ଣପାତ ନକରି ବିରୋଧୀ ଦଳ ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ଜାରି ରଖିଥିଲେ। ଏଭଳି ସ୍ଥିତିରେ ଗଣତି ସମ୍ଭବ ହୋଇପାରିବ ନାହିଁ ବୋଲି ବାଚସ୍ପତି କହିବା ସହ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏନ୍‌୍‌ଡିଏ ଛାଡ଼ିବା ପାଇଁ ଟିଡିପିର ନିଷ୍ପତ୍ତିକୁ ଶିବସେନା ଆଜି ସମର୍ଥନ କରିବା ସହ ମୋଦି ସରକାରଙ୍କ ଜିଦ୍‌୍‌ଖୋର ମନୋଭାବକୁ ତୀବ୍ର ସମାଲୋଚନା କରିଛି। ଆନ୍ଧ୍ର ପ୍ରଦେଶ ପ୍ରତି ଅନ୍ୟାୟ କରି ସରକାର କିଭଳି ରାଜନୈତିକ ସ୍ୱାର୍ଥ ହାସଲ କରିବାକୁ ଚାହୁଛନ୍ତି ବୋଲି ଦଳର ବରିଷ୍ଠ ନେତା ସଂଜୟ ରାଉତ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଟିଡିପି ଏନ୍‌୍‌ଡିଏ ଛାଡ଼ିବା ଦୁର୍ଭାଗ୍ୟଜନକ ବୋଲି ଏନ୍‌୍‌ଡିଏର ଅନ୍ୟତମ ସହଯୋଗୀ ଦଳ ଜେଡିୟୁ କହିଛି। ମତଭେଦ ସତ୍ତ୍ୱେ ଟିଡିପି ମେଣ୍ଟରେ ରହିବା ଉଚିତ ଥିଲା ବୋଲି ଦଳର ବରିଷ୍ଠ ନେତା କେସି ତ୍ୟାଗୀ କହିଛନ୍ତି। ସିପିଏମ୍‌ ନେତା ସୀତାରାମ ୟେଚୁରି କହିଛନ୍ତି ବିଜେପି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସିପିଏମ୍‌ ସମର୍ଥନ କରୁଛି ଏବଂ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ନଦେବା ଦ୍ୱାରା ଏହି ରାଜ୍ୟ ପ୍ରତି ଅନ୍ୟାୟ କରାଯାଉଛି। ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଡିପିର ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସବୁ ବିରୋଧୀ ଦଳ ଏନ୍‌୍‌ଡିଏ ସରକାରଙ୍କ ସ୍ୱେଚ୍ଛାଚାରୀ ନିଷ୍ପତ୍ତିକୁ ବିରୋଧ କରିବାକୁ ଆହ୍ଵାନ ଦେଇଛନ୍ତି।

ଅନ୍ୟପକ୍ଷରେ ଟିଡିପି ଏନ୍‌୍‌ଡିଏ ଛାଡ଼ିବା ପରେ ଆଜି ବିଜେପି ତା’ର ରଣନୀତିରେ କୌଣସି ସାଲିସ କରିବା ପରିବର୍ତ୍ତେ ଏହାକୁ ଅଧିକ ଆକ୍ରମଣାତ୍ମକ କରିଛି। ଆନ୍ଧ୍ର ପ୍ରଦେଶର ବରିଷ୍ଠ ନେତାଙ୍କୁ ତୁରନ୍ତ ଦିଲ୍ଲୀ ଡକାଯାଇ ପରବର୍ତ୍ତୀ ପଦକ୍ଷେପ ପାଇଁ ଆଲୋଚନା ହୋଇଛି। ଆନ୍ଧ୍ର ପ୍ରଦେଶରେ ଦଳର ସାଂଗଠନିକ ଶକ୍ତି ବୃଦ୍ଧି ଏବଂ ଜନସମର୍ଥନ ହାସଲ ପାଇଁ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରିବାକୁ କୁହାଯାଇଛି। ୨୦୧୯ ନିର୍ବାଚନରେ ପରାଜୟ ଭୟରେ ଟିଡିପି ଏବେ ରାଜ୍ୟରେ ନିଜର ସ୍ଥିତି ବଂଚାଇବାକୁ ଚାଲ ଖେଳୁଛି ବୋଲି ବରିଷ୍ଠ ବିଜେପି ନେତା ଜିଭିଏଲ୍‌ ନରସିଂହ ରାଓ କହିଛନ୍ତି।

ସମ୍ବନ୍ଧିତ ଖବର