ଉନ୍ନାଓ କାଣ୍ଡ, ବିଜେପିକୁ ଘେରିଲେ ବିରୋଧୀ

ଲକ୍ଷ୍ନୌ: ଉନ୍ନାଓ କାଣ୍ଡକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଗଣଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ପରିବାରକୁ ଶେଷ କରିଦେବା ପାଇଁ ତାଙ୍କ କାର୍‌କୁ ଟ୍ରକ୍‌ ଦ୍ବାରା ଚୁର୍‌ମାର କରିଦିଆଯାଇଛି ଏବଂ ଏଥିରେ ବିଧାୟକ କୁଲଦୀପ ସେଂଗରଙ୍କ ହାତ ଥିବା ନେଇ ସନ୍ଦେହ ବଳବତ୍ତର ହୋଇଛି। ଆଜି କେନ୍ଦ୍ର ସରକାର ଏହି ମାମଲାର ତଦନ୍ତ ଭାର ସିବିଆଇକୁ ନ୍ୟସ୍ତ କରିଛନ୍ତି। ଗଣଦୁଷ୍କର୍ମ ମାମଲାର ତଦନ୍ତ ସିବିଆଇ କରୁଥିବା ବେଳେ ଏବେ ଦୁର୍ଘଟଣାର ତଦନ୍ତ ଭାର ମଧ୍ୟ ସିବିଆଇକୁ ଦେବାପାଇଁ ଆଜି ରାଜ୍ୟ ସରକାର ସୁପାରିସ କରିଥିଲେ। ଲୋକସଭାରେ ଉନ୍ନାଓ କାଣ୍ଡ ନେଇ ଆଜି ଜୋର୍‌ଦାର ହଙ୍ଗାମା ହୋଇଥିଲା । କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଏହି ମାମଲାରେ ଗୃହମନ୍ତ୍ରୀ ଜବାବ ରଖିବାକୁ ଦାବି କରିଥିଲେ। ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହି ମାମଲାରେ ସରକାରଙ୍କ ବିରୋଧରେ ଏକଜୁଟ ହୋଇଛନ୍ତି। ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ପୀଡ଼ିତ ପରିବାରକୁ ଭେଟିବା ସହ ସେମାନଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଦୌ ଭରସା କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଏବଂ ମାୟାବତୀ ମଧ୍ୟ ସରକାରଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଆଜି ପୀଡ଼ିତ ପରିବାରକୁ ଭେଟିଛନ୍ତି। ଲକ୍ଷ୍ନୌରେ କଂଗ୍ରେସର ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ବେଳେ ଏହି ମାମଲାକୁ ନେଇ ଉନ୍ନାଓ ଅଂଚଳରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସେଂଗର ଭଳି ଲୋକଙ୍କ ହାତରୁ କ୍ଷମତା ଛଡ଼ାଇ ନିଆଯିବା ଉଚିତ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟକୁ କଂଗ୍ରେସ କର୍ମୀମାନେ ଘେରାଉ କରିବାକୁ ପହଞ୍ଚିବା ପରେ ସେଠାରେ ପୁଲିସ ସେମାନଙ୍କୁ ବଳ ପ୍ରୟୋଗ କରି ଅଟକାଇଥିଲେ। ରାଜ୍ୟ ବିଜେପି ସଭାପତି ସ୍ବତନ୍ତ୍ର ଦେବ ସିଂହ କହିଛନ୍ତି ଯେ ରାଜ୍ୟ ସରକାର ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ସିବିଆଇ ତଦନ୍ତରୁ ସତ୍ୟ ନିଶ୍ଚିତ ଭାବେ ସାମ୍ନାକୁ ଆସିବ।

ଅଭିଯୁକ୍ତ ବିଧାୟକଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଛି: ବିଜେପି
ଲ‌କ୍ଷ୍ନୌ: ଦୁଷ୍କର୍ମ ଅଭିଯୁକ୍ତ ଉନ୍ନାଓ ବିଧାୟକଙ୍କୁ ଦଳରୁ ବହିଷ୍କାର କରିବା ନେଇ ବିରୋଧୀ ଦଳ ପକ୍ଷରୁ ଜୋରଦାର ଦାବି ହେବାପରେ ଆଜି ଉତ୍ତରପ୍ରଦେଶ ବିଜେପି ପକ୍ଷରୁ କୁହାଯାଇଛି ଯେ ଅଭିଯୁକ୍ତ ବିଧାୟକଙ୍କୁ ବହୁତ ପୂର୍ବରୁ ଦଳରୁ ନିଲମ୍ବନ କରାଯାଇଥିଲା। ବିଧାୟକ ‌ଯେହେତୁ ଗିରଫ ହୋଇ ଜେଲ୍‌ରେ ଥିଲେ ସେଥିପାଇଁ ଦଳ ପକ୍ଷରୁ କିଛି ବିଧିବଦ୍ଧ ଘୋଷଣା କରାଯାଇ ନଥିଲା ବୋଲି କୁହାଯାଇଛି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା କହିଛନ୍ତି ସେଙ୍ଗରଙ୍କ ମାମଲା ସାମ୍ନାକୁ ଆସିବା ମାତ୍ରେ ଦଳରୁ ନିଲମ୍ବନ କରାଯାଇଛି। ତେବେ ବିରୋଧୀ ଦଳମାନେ ବିଜେପିର ଏହି ସଫେଇକୁ ଗ୍ରହଣ କରିନାହାନ୍ତି। ଆରଜେଡି ନେତା ଅନୀଲ ଦୁବେ କହିଛନ୍ତି, ସେଙ୍ଗରଙ୍କୁ ନିଲମ୍ବନ କରିବା‌ନେଇ ବିଜେପି କରିଥିବା ଦାବି ସନ୍ଦେହ ସୃଷ୍ଟି କରିଛି। ବିଜେପି ଏତେ ସମାଲୋଚନାର ଶିକାର ହେବା ପରେ ବି ଏ ପର୍ଯ୍ୟନ୍ତ କିଭଳି ଚୁପ୍‌ ଥିଲା ବୋଲି ଅନୀଲ ପ୍ରଶ୍ନ କରିଛନ୍ତି। ସେଙ୍ଗର ପୂର୍ବରୁ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିରେ ଥିଲେ ଏବଂ ପରେ ୨୦୧୭ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ।

ଦୁର୍ଘଟଣା ପୂର୍ବରୁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ ପୀଡ଼ିତା
ଲକ୍ଷ୍ନୌ: ଉନ୍ନାଓ ପୀଡ଼ିତା କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣାର କିଛିଦିନ ପୂର୍ବରୁ ପୀଡ଼ିତାଙ୍କ ପରିବାର ସଦସ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନିକଟକୁ ‌ଏକ ଚିଠି ଲେଖିଥିଲେ। ସେମାନଙ୍କୁ ବାରମ୍ବାର କିଛି ଲୋକ ଧମକ ଦେଉଛନ୍ତି, ସେମାନଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପୀଡ଼ିତାଙ୍କ ପରିବାର ସଦସ୍ୟ ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଥିଲେ। ଜୁଲାଇ ୧୨ ତାରିଖରେ ଏହି ଚିଠି ଲେଖାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ଜୁଲାଇ ୭-୮ ତାରିଖରେ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କର କିଛି ଲୋକ ଆସି ସେମାନଙ୍କୁ ଭୟାନକ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଥିଲେ।ଏହି ଚିଠିଟିକୁ ମଧ୍ୟ ଆହ୍ଲାବାଦ ହାଇକୋର୍ଟ ଏବଂ ଉତ୍ତରପ୍ରଦେଶ ସରକାରଙ୍କ କିଛି ବରିଷ୍ଠ ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା।

ସମ୍ବନ୍ଧିତ ଖବର