ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜିତ ହୋଇଛି। ପରାଜୟ ପରେ ଏହି ଦଳର ରାଜ୍ୟସଭା ସଦସ୍ୟ ଦିଗବିଜୟ ସିଂହ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠାଇବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ବିରୋଧୀଙ୍କୁ ଟାର୍ଗେଟ କରିଛି।
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ କହିଛନ୍ତି, ଚିପ୍ ଥିବା ଯେକୌଣସି ମେସିନ୍ ହ୍ୟାକ୍ ହୋଇପାରେ ଏବଂ ୨୦୦୩ରୁ ସେ ଇଭିଏମ୍ରେ ମତଦାନକୁ ବିରୋଧ କରୁଛନ୍ତି। ସେହିଭଳି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇ ବାଲଟ୍ ପେପର ଜରିଆରେ ନିର୍ବାଚନ ଦାବି କରିଛନ୍ତି। ସେ କହିଛନ୍ତି ଯଦି ଆମେରିକା ଓ ଜାପାନରେ ବାଲଟ୍ ପେପର ବ୍ୟବସ୍ଥା ଅଛି, ତେବେ ଆମେ ମଧ୍ୟ ଏହାକୁ ଗ୍ରହଣ କରିବା ଉଚିତ। ତରବରିଆ ଭାବେ ନୁହେଁ, ସମୟ ନେଇ ଗଣତି କରିବା ଉଚିତ୍। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ସିଂହ କିନ୍ତୁ ବିରୋଧୀଙ୍କ ଏଭଳି ମତକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ପରାଜୟର ସମ୍ମୁଖୀନ ହେବା ପରେ ହିଁ ଏସବୁ ଅଭିଯୋଗ ଆଣିଥାଏ। ତେଲେଙ୍ଗାନା, ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ କଂଗ୍ରେସ ଜିତିଥିବା ସମୟରେ ଇଭିଏମ୍ କଥା କହିନଥିଲେ। କଂଗ୍ରେସ ନେତା ପ୍ରମୋଦ କ୍ରିଷ୍ଣା ଠିକ୍ କହିଥିଲେ, ଯଦି ଆପଣ ସନାତନ ଧର୍ମକୁ ଅପମାନିତ କରିବେ ତେବେ ଏହା ହିଁ କଂଗ୍ରେସର ଭାଗ୍ୟ ହେବ। ଏହା ଇଣ୍ଡିଆ ମେଣ୍ଟ ନୁହେଁ ବରଂ ଅହଂକାରର ମେଣ୍ଟ। ଏହା ଭାଙ୍ଗିବା ନିଶ୍ଚିତ ବୋଲି ଗିରିରାଜ କହିଛନ୍ତି।
ଦିଗ୍ବିଜୟ ଓ ଅଖିଳେଶଙ୍କ ଭଳି ଅନ୍ୟ କେତେକ ବିରୋଧୀ ଦଳ ନେତା ଇଭିଏମକୁ ଦୋଷ ଦେଇଥିଲେ ମଧ୍ୟ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ୍ କହିଛନ୍ତି ଯେ ଇଭିଏମ୍ ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି। କାର୍ତ୍ତି କହିଛନ୍ତି, ମୁଁ ଜାଣେ ଦଳର ଅନେକ ସହକର୍ମୀଙ୍କ ଭିନ୍ନ ଭିନ୍ନ ମତ ଅଛି କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ଇଭିଏମ୍କୁ ନେଇ ସବୁବେଳେ ବହୁତ ଆତ୍ମବିଶ୍ୱାସୀ ରହିଆସିଛି। ଏନ୍ସି ନେତା ଫାରୁକ ଅବଦୁଲ୍ଲା ମଧ୍ୟ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଥିବା ବିରୋଧୀ ନେତାଙ୍କ ମଧ୍ୟରେ ଅଛନ୍ତି। ସେ କହିଛନ୍ତି, ଯେତେବେଳେ କଂଗ୍ରେସ ଶାସନ ସମୟରେ ଏହି ମେସିନ୍ ପ୍ରଚଳନ କରାଯାଇଥିଲା ସେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି। ସେହି ସମୟରେ ଆମେ ନିର୍ବାଚନ କମିସନଙ୍କୁ ପଚାରିଥିଲୁ ଯେ କୌଣସି ଚୋରି ହୋଇପାରେ କି, ସେମାନେ କହିଥିଲେ ଯେ ହଁ ଏହା ସମ୍ଭବ। ଏହି ମେସିନ୍କୁ ସୁଧାରିବା ପାଇଁ ଏକ ପଦ୍ଧତି ଖୋଜିବାକୁ ପଡ଼ିବ ଯାହାଦ୍ୱାରା ଏହା ଉପରେ ଲୋକଙ୍କ ବିଶ୍ୱାସ ରହିବ ବୋଲି ଫାରୁକ୍ କହିଛନ୍ତି।