ନୂଆଦିଲ୍ଲୀ: ବୁଧବାର ସଂସଦରେ ଆଗତ ହୋଇଥିବା ୩ଟି ବିଲ୍କୁ ଅନୁମୋଦନ ମିଳିଲେ ଲଗାତାର ୩୦ ଦିନ ଧରି ଗିରଫ ହେବା ପରେ ଜଣେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ପଦ ହରାଇପାରନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ସଂସଦରେ ବିଲ୍ଗୁଡ଼ିକ ଉପସ୍ଥାପିତ ହୋଇଥିବା ବେଳେ ବିରୋଧୀ ଏହାକୁ ଡ୍ରାକୋନିଆନ (କଠୋର) ବୋଲି କହିଛନ୍ତି। ବିରୋଧୀଙ୍କ ଏକ ପ୍ରମୁଖ ଆଶଙ୍କା ହେଉଛି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ମନଇଚ୍ଛା ଗିରଫ କରି ବିରୋଧୀ-ଶାସିତ ରାଜ୍ୟଗୁଡ଼ିକୁ ଅସ୍ଥିର କରିବା ପାଇଁ ସରକାର ଏହି ଆଇନକୁ ବ୍ୟବହାର କରିବେ। ଆଜି ବିଲ୍କୁ ନେଇ ସଂସଦରେ ନୂଆ ଝଡ଼ ଆରମ୍ଭ ହୋଇଯାଇଥିବା ବେଳେ ଆଗାମୀ ଦିନରେ ଏହା ଅଧିକ ତୀବ୍ର ହେବା ଅନୁମାନ କରାଯାଉଛି ।
କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭି ଟ୍ୱିଟ୍ କରି କହିଛନ୍ତି, ବିରୋଧୀଙ୍କୁ ଅସ୍ଥିର କରିବାର ଏହା ସର୍ବୋତ୍ତମ ଉପାୟ। ସରକାର ବିରୋଧୀ ମୁଖ୍ୟମନ୍ତ୍ରୀମାନଙ୍କୁ ଗିରଫ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିର ଉପଯୋଗ କରିବେ ଏବଂ ନିର୍ବାଚନରେ ସେମାନଙ୍କୁ ପରାସ୍ତ କରିବାରେ ଅସମର୍ଥ ହୋଇଥିଲେ ମଧ୍ୟ ୩୦ ଦିନ ଜେଲରେ ରହିବା ପରେ ସେମାନଙ୍କୁ ପଦରୁ ହଟାଇପାରିବେ। ଗତବର୍ଷ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଵାଲ ମଦ ନୀତି ମାମଲାରେ ଜାମିନ ପାଇବା ପୂର୍ବରୁ ୬ ମାସ ଜେଲରେ ରହିଥିଲେ। ଏହି ୬ ମାସ ମଧ୍ୟରେ ସେ ଜେଲରୁ ସରକାର ଚଳାଇଥିଲେ। ଜାମିନ ମିଳିବା ପରେ ହିଁ ସେ ଇସ୍ତଫା ଦେଇଥିଲେ। ଯଦି ନୂଆ ବିଲ୍ କାର୍ଯ୍ୟକାରୀ ହୋଇଥାନ୍ତା, ତେବେ ଗିରଫ ହେବା ପରେ କେଜ୍ରିଵାଲଙ୍କୁ ହାଜତର ୩୧ତମ ଦିନରେ ଆପେ ଆପେ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥାନ୍ତା। ରାଜନୀତିର ଅପରାଧୀକରଣକୁ ରୋକିବା ପାଇଁ ସରକାର ଏହି ବିଲ୍ଗୁଡ଼ିକୁ ଏକ ବଡ଼ ସଂସ୍କାର ବୋଲି ଦର୍ଶାଇଛନ୍ତି। ତେବେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର କାର୍ଯ୍ୟଶୈଳୀକୁ ନେଇ ସୁପ୍ରିମ୍କୋର୍ଟଙ୍କ ସମାଲୋଚନା ପରିପ୍ରେକ୍ଷୀରେ ବିରୋଧୀଙ୍କ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଶଙ୍କା କରାଯାଉଛି।
ବିଲ୍ରେ କ’ଣ ପ୍ରାବଧାନ ରହିଛି: ଉପସ୍ଥାପିତ ତିନୋଟି ବିଲ୍ ହେଲା ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍, କେନ୍ଦ୍ରଶାସିତ ଅଞ୍ଚଳ ସରକାର (ସଂଶୋଧନ) ବିଲ୍ ଏବଂ ଜମ୍ମୁ-କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫। ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍ରେ ଯଦି କୌଣସି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଲଗାତାର ୩୦ ଦିନ ବିଚାରବିଭାଗୀୟ ହେପାଜତରେ ରହିବେ ତେବେ ସେମାନଙ୍କୁ ସ୍ୱୟଂଚାଳିତ ଭାବେ ପଦରୁ ହଟାଇବାର ବ୍ୟବସ୍ଥା ରହିଛି। ତେବେ ଯେଉଁ ଅପରାଧ ପାଇଁ ସେମାନଙ୍କୁ ଅଟକ ରଖାଯାଇଛି, ସେଥିପାଇଁ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡ ବିଧାନ ସମ୍ଭାବନା ଥିବା ଉଚିତ। ଦୋଷୀ ସାବ୍ୟସ୍ତ ନ ହେଲେ ମଧ୍ୟ ସେମାନଙ୍କୁ ପଦରୁ ହଟାଇ ଦିଆଯାଇପାରେ। ଏହି ଆଇନ ସେମାନଙ୍କୁ ସରକାରୀ କର୍ମଚାରୀଙ୍କ ସମକକ୍ଷ କରିଥାଏ, ଯେଉଁମାନଙ୍କୁ ଗିରଫ ପରେ ନିଲମ୍ବିତ କରାଯାଏ।
ନିକଟ ଅତୀତରେ ଅନେକ ବିରୋଧୀ ନେତାଙ୍କୁ ଗିରଫ କରିବା ପାଇଁ ଇଡି ବ୍ୟବହାର କରିଥିବା ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ)କୁ ଏହା ଲୋକଲୋଚନକୁ ଆଣିଛି। ପିଏମ୍ଏଲ୍ଏ ଅନୁଯାୟୀ, ଇଡି ଦ୍ୱାରା ଜଣକୁ ଗିରଫ କରାଯାଇପାରିବ ଏବଂ ୩୦ ଦିନ ପାଇଁ ଜାମିନ ନାମଞ୍ଜୁର କରାଯାଇପାରିବ। ଏଭଳି ପରିସ୍ଥିତିରେ ପ୍ରସ୍ତାବିତ ଆଇନ ଅନୁଯାୟୀ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ୩୦ ଦିନର ସୀମା ଅତିକ୍ରମ କରିବା ପରେ ପଦରେ ରହିବେ ନାହିଁ, ଯାହାକୁ ନେଇ ବିରୋଧୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ତେବେ ହାଜତରୁ ମୁକୁଳିବା ପରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ରାଷ୍ଟ୍ରପତି ବା ରାଜ୍ୟପାଳ ପୁନର୍ନିଯୁକ୍ତ କରିପାରିବେ। ସମାନ ବ୍ୟବସ୍ଥା ଜମ୍ମୁ-କାଶ୍ମୀର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପାଇଁ ଲାଗୁ ହେବ, ଯେଉଁମାନେ ଏକ ପୃଥକ୍ ଆଇନଗତ ଢାଞ୍ଚା ମାଧ୍ୟମରେ ପରିଚାଳିତ ହୁଅନ୍ତି।
କେଜ୍ରିୱାଲ-ସେନ୍ଥିଲ ବାଲାଜୀ ପ୍ରସଙ୍ଗ
ବର୍ତ୍ତମାନ ମନ୍ତ୍ରୀମାନେ ଗିରଫ ହେବା ପରେ ନିଜ ପଦରେ ରହିବା ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଜନପ୍ରତିନିଧି ଆଇନରେ ବିଧାୟକ ଓ ସାଂସଦଙ୍କୁ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡ ବିଧାନ ଥିବା ଅପରାଧରେ ଦୋଷୀ ସାବ୍ୟସ୍ତ କରାଗଲେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବାର ବ୍ୟବସ୍ଥା ରହିଛି। ଗତବର୍ଷ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାମିଲନାଡୁ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀ ଗିରଫ ହେବା ପରେ ବି କ୍ଷମତାରେ ରହିବା ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଥିଲା। ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ବାଲାଜୀଙ୍କ ମାମଲାରେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ତାଙ୍କୁ ବିନା ବିଭାଗରେ କ୍ୟାବିନେଟରେ ବଜାୟ ରଖିଥିଲେ। ଏହାକୁ ନେଇ ରାଜ୍ୟପାଳଙ୍କ ସହ ବିବାଦ ହୋଇଥିଲା। ଜମି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହେବାର ଗୋଟିଏ ଦିନ ପୂର୍ବରୁ ୨୦୨୪ ଜାନୁଆରିରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇସ୍ତଫା ଦେଇଥିଲେ। ନୂଆ ବିଲ୍ ପାରିତ ହେଲେ ଅଣବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଗିରଫ କିମ୍ବା ଅଟକ ରଖିବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ କ୍ଷମତା ପ୍ରଦାନ କରାଯିବ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/21/untitled-9-2025-08-21-06-22-41.jpg)