ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ, ଟ୍ରାକ୍ଟର ରୢାଲିରେ ଚାଷୀ ମୃତ୍ୟୁର ତଦନ୍ତ ଦାବି

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳମାନେ ମିଳିତ ଭାବେ ସରକାରଙ୍କୁ ଘେରିଛନ୍ତି। ଦିଲ୍ଲୀ ସୀମାରେ ପୁଲିସ ପ୍ରଶାସନ ଯେଭଳି ଭାବେ ତାରବାଡ଼ ଘେରିଛି ଏବଂ ଅନ୍ୟ ପ୍ରତିବନ୍ଧକ ରଖିଛି ତାହା ଅତ୍ୟାଚାରୀ ଶାସନର ଉଦାହରଣ ବୋଲି ବିରୋଧୀ ଦଳମାନେ କହିଛନ୍ତି। ସରକାର କେବଳ ଅହଙ୍କାର ପାଇଁ ବିବାଦୀୟ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରୁନାହାନ୍ତି ଏବଂ ଚାଷୀମାନଙ୍କ ପ୍ରତି ଘୋର ଅନ୍ୟାୟ କରୁଛନ୍ତି ବୋଲି ଟିଏମ୍‌ସି ନେତା ଡେରେକ୍‌ ଓବ୍ରାଏନ୍‌ କହିଛନ୍ତି।

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ଡେରେକ୍‌ କହିଥିଲେ ଯେ ଟ୍ରାକ୍ଟର ରୢାଲିରେ ଜଣେ ଚାଷୀଙ୍କ ମୁତ୍ୟୁ ଯେଭଳି ସନ୍ଦେହଜନକ ସ୍ଥିତିରେ ହୋଇଛି ତାହାର ତଦନ୍ତ କରାଯିବା ଜରୁରୀ। ଆର୍‌ଜେଡି ସାଂସଦ ମନୋଜ ଝା ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଥିଲେ ଯେ ବିଦେଶୀ ସେଲିବ୍ରିଟିମାନଙ୍କ ଦ୍ବାରା ଚାଷୀ ଆନ୍ଦୋଳନକୁ ନେଇ ହୋଇଥିବା ଟ୍ବିଟ୍ ବିରୋଧରେ ସରକାର ଅଯଥା ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ସରକାରଙ୍କ ପାଖରେ ନୂଆ କୃଷି ଆଇନ ପ୍ରତ୍ୟାହାର ବ୍ୟତୀତ ଅନ୍ୟ ପନ୍ଥ ନାହିଁ ବୋଲି ସେ କହିଛନ୍ତି। ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଆଜି ସରକାର ଗୃହରେ କହିଛନ୍ତି କହିଛନ୍ତି ଯେ ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ସର୍ବଦା ପ୍ରସ୍ତୁତ ଅଛନ୍ତି ଏବଂ ମାମଲାର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଗୁରୁତ୍ବାରୋପ କରିଛନ୍ତି। ବିରୋଧୀ ଦଳ ରାଜନୈତିକ ସ୍ବାର୍ଥ ପାଇଁ ଚାଷୀ ଆନ୍ଦୋଳନ ମାମଲାକୁ ଅଧିକ ଜଟିଳ ନ କରିବା ପାଇଁ ବିଜେପି କହିଛି। ରାଜ୍ୟସଭାରେ ଆଜି ମଧ୍ୟ ହଟ୍ଟଗୋଳ ଜାରି ରହିବାରୁ ଅପରାହ୍ନ ୨ଟାରୁ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ରାଜ୍ୟସଭାରେ ଜମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍‌ ଆଗତ ହୋଇଥିବା ବେଳେ ଲୋକସଭାରେ ଆର୍ବିଟ୍ରେସନ ଆଣ୍ଡ୍‌ କନ୍‌ସିଲେସନ ବିଲ୍‌ ଆଗତ ହୋଇଥିଲା।

ସମ୍ବନ୍ଧିତ ଖବର