ପେଗାସସ୍‌ ଆଲୋଚନା ଦାବିରେ ବିରୋଧୀ ଅଟଳ: ହଟ୍ଟଗୋଳ ଜାରି, ଉଭୟ ଗୃହ ବାରମ୍ବାର ମୁଲତବୀ

ନୂଆଦିଲ୍ଲୀ: ପୋଗସସ୍‌ ଏବଂ କୃଷି ଆଇନ ପ୍ରସଙ୍ଗରେ ବିରୋଧୀ ଦଳ ସାଂସଦମାନେ ସେମାନଙ୍କ ଜିଦ୍‌ରେ ଅଟଳ ରହିଥିବା ବେଳେ ପ୍ରବଳ ହଟ୍ଟଗୋଳ ଯୋଗୁଁ ସଂସଦର ମୌସୁମୀ ଅଧିବେଶନ ଗୁରୁତର ପ୍ରଭାବିତ ହୋଇଛି। ଆଜି ମଧ୍ୟ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ପଡ଼ିଥିଲା।

ରାଜ୍ୟସଭାରେ ପେଗାସସ୍‌ ସ୍ପାଏୱେର ମାମଲା ନେଇ କ୍ରମାଗତ ପ୍ରବଳ ହଟ୍ଟଗୋଳ କରୁଥିବା ୬ ଜଣ ଟିଏମ୍‌ସି ସାଂସଦଙ୍କୁ ଆଜି ରାଜ୍ୟସଭା ଅଧ୍ୟକ୍ଷ ଦିନକ ପାଇଁ ନିଲମ୍ବନ କରିଛନ୍ତି। ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଡୋଲା ସେନ୍‌, ନଦିମୁଲ୍‌ ହକ୍‌, ଅର୍ପିତା ଘୋଷ, ମୌସମ ନୁର୍‌, ଶାନ୍ତା ଛେତ୍ରୀ ଏବଂ ଅବୀର ରଂଜନ ବିଶ୍ବାସ ଅଛନ୍ତି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଏହି ସାଂସଦମାନେ ପ୍ଲାକାର୍ଡ ଧରି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ପ୍ରଥମେ ସେମାନଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଯେଉଁମାନେ ହଟ୍ଟଗୋଳ ପାଇଁ ଗୃହର ମଧ୍ୟଭାଗକୁ ଆସିଛନ୍ତି ସେମାନେ ତୁରନ୍ତ ଗୃହ ଛାଡ଼ି ଚାଲିଯାଆନ୍ତୁ। ଏହାପରେ ବାଚସ୍ପତି ସେମାନଙ୍କୁ ଗୋଟିଏ ଦିନ ପାଇଁ ନିଲମ୍ବନ ସଂକ୍ରାନ୍ତ ଘୋଷଣା କରିଥିଲେ। କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି ଯେ ଏଭଳି ପଦକ୍ଷେପ ଦ୍ବାରା ସରକାର ବିରୋଧୀ ଦଳର ଏକତା ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।
ଆଜି ଲୋକସଭାର କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ସାଂସଦମାନଙ୍କ ବିରୋଧ ଆରମ୍ଭ ହୋଇଯାଇଥିଲା। ଫଳରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁତଲବୀ ରଖାଯାଇଥିଲା। ଏହାପରେ ପୁଣି ହଟ୍ଟଗୋଳ ଲାଗି ରହିବାରୁ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା।

ମିଳିତ ବିବୃତି ଜାରି କଲେ ୧୪ ବିରୋଧୀ ଦଳ
ନୂଆଦିଲ୍ଲୀ: ପେଗାସସ୍‌ ସ୍ପାଏୱେର ପ୍ରସଙ୍ଗରେ ସଂସଦରେ ଆଲୋଚନା ଦାବି କରି ଆଜି ୧୪ଟି ବିରୋଧୀ ଦଳ ପକ୍ଷରୁ ମିଳିତ ବିବୃତି ଜାରି କରାଯାଇଛି। ବିରୋଧୀ ଦଳମାନେ କହିଛନ୍ତି, ‌ଏହି ମାମଲା ଜାତୀୟ ସୁରକ୍ଷା ପ୍ରସଙ୍ଗ ସହିତ ଜଡ଼ିତ ଥିବାରୁ ସରକାର ଅହଙ୍କାର ଛାଡ଼ି ତୁରନ୍ତ ଆଲୋଚନା ପାଇଁ ସମ୍ମତି ପ୍ରକାଶ କରନ୍ତୁ। ଗଣତନ୍ତ୍ରକୁ ସମ୍ମାନ କରି ଆଲୋଚନା ପାଇଁ ସରକାର ଆଗଭର ହେବାକୁ ଏହି ବିବୃତିରେ କୁହାଯାଇଛି । ପେଗାସସ୍‌ ମାମଲା ନେଇ ସଂସଦରେ ଏବେ ଯେଉଁ ଅଚଳାବସ୍ଥା ଲାଗି ରହିଛି ସେଥିପାଇଁ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ବିରୋଧୀ ଦଳଙ୍କ ପକ୍ଷରୁ କୁହାଯାଇଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳମାନେ ଏକଜୁଟ ଅଛନ୍ତି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଗୃହରେ ଜବାବ ଚାହୁଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର