ନୂଆଦିଲ୍ଲୀ: ଦୁଇ ଦିନ ତଳେ ଅସଂସଦୀୟ ଶବ୍ଦାବଳୀର ସଂଶୋଧିତ ତାଲିକାକୁ ନେଇ ବିବାଦ ଦେଖା ଦେଇଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଫେଇ ଦେଲେ ଯେ କୌଣସି ଶବ୍ଦ ନିଷିଦ୍ଧ ନୁହେଁ, ସେଗୁଡ଼ିକ କେବଳ ରେକର୍ଡରୁ ବାଦ୍ ଦିଆଯିବ। ତା’ର ଦିନକ ପରେ ପାର୍ଲାମେଣ୍ଟ ପରିସରରେ ଧାରଣା ଦେବା, ବିକ୍ଷୋଭ ପ୍ରଦର୍ଶନ କରିବା ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ଶୁକ୍ରବାର ପୁଣି ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ଯେ, ପାର୍ଲାମେଣ୍ଟ ପରିସରରେ କେହି ପାମ୍ଫେଲେଟ୍ ବା ଲିଫ୍ଲେଟ୍ ବାଣ୍ଟିପାରିବେନି କିମ୍ବା ପ୍ଲାକାର୍ଡ ଧରିପାରିବେନି।
ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଭିନ୍ନ ସମୟରେ ଆମକୁ କହିବାକୁ ଦିଆଯାଉ ନାହିଁ ଆଦି ଅଭିଯୋଗ କରି ସଂସଦ ଭିତରେ ହୋହଲ୍ଲା କରିବା ସହ ଧାରଣା ଆଦି ଦିଆଯାଇଥାଏ। ଏଥିପାଇଁ ସଂସଦର ବହୁ ମୂଲ୍ୟବାନ ସମୟ ନଷ୍ଟ ହୋଇଥାଏ। ତେଣୁ ସରକାର ମୌସୁମୀ ଅଧିବେଶନ ପୂର୍ବରୁ ଏସବୁ କଟକଣା ଲାଗୁ କରିଛନ୍ତି। ନୂତନ ନିର୍ଦ୍ଦେଶନାମାରେ ଲେଖାଯାଇଛି, ପ୍ରତିଷ୍ଠିତ ଢାଞ୍ଚା ଅନୁସାରେ ବାଚସ୍ପତିଙ୍କ ବିନା ପ୍ରାକ୍-ଅନୁମତିରେ ସଂସଦ ପରିସରରେ କୌଣସି ଲିଖିତ ପୁସ୍ତିକା, ପ୍ରଶ୍ନାବଳୀ, ପାମ୍ଫଲେଟ୍, ପ୍ରେସ୍ ନୋଟ୍, ଲିଫ୍ଲେଟ୍ ବା ଯେକୌଣସି ପ୍ରକାର ଲିଖିତ କାଗଜ ବିତରଣ କରାଯାଇପାରିବ ନାହିଁ। ପ୍ଲାକାର୍ଡ ମଧ୍ୟ କଡ଼ାକଡ଼ି ଭାବେ ନିଷିଦ୍ଧ ହେବ। ସରକାରଙ୍କ ଏହି ନିର୍ଦ୍ଦେଶାବଳୀକୁ କଂଗ୍ରେସ ଓ ସିପିଏମ୍ ପକ୍ଷରୁ ସମାଲୋଚନା କରାଯାଇଛି। ସିପିଏମ୍ ପକ୍ଷରୁ ସୀତାରାମ ୟେଚୁରୀ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି- ଇଏ କି ଫାର୍ସ ଚାଲିଛି? ଭାରତର ଆତ୍ମା, ଏହାର ଗଣତନ୍ତ୍ର ମୁହଁରେ ତୁଣ୍ଡି! ଏହାର ସ୍ବରକୁ ଦବେଇବାକୁ ଚେଷ୍ଟା ଚାଲିଛି!