ଓବିସି ସଂରକ୍ଷଣ ବିଲ୍‌କୁ ବିରୋଧୀଙ୍କ ସମର୍ଥନ

ନୂଆଦିଲ୍ଲୀ: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ବିରେନ୍ଦ୍ର କୁମାର ଆଜି ଲୋକସଭାରେ ଓବିସି ସଂରକ୍ଷଣ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ବିଲ୍‌ ଲୋକସଭାରେ ଆଗତ କରିଛନ୍ତି। ବିରୋଧୀ ଦଳଗୁଡ଼ିକ ମଧ୍ୟ ବିଲ୍‌କୁ ସମର୍ଥନ କରିଛନ୍ତି। ଏହି ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍‌ରେ ରାଜ୍ୟଗୁଡ଼ିକୁ ସେମାନଙ୍କ ଓବିସି ତାଲିକା ପ୍ରସ୍ତୁତ କ୍ଷମତା ପୁର୍ନବାର ମିଳିବ। ବିଲ୍‌ ସଂପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ କୁମାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସେମାନଙ୍କ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (ଏସ୍‌ଇବିସି) ତାଲିକା ପ୍ରସ୍ତୁତ କରିବା କ୍ଷମତା ଏହି ବିଲ୍‌ ଜରିଆରେ ପାଇବେ। ଦେଶର ସଂଘୀୟ ଢାଞ୍ଚାକୁ ବଜାୟ ରଖିବା ପାଇଁ ଏହା କରାଯାଇଛି। ଏଥିପାଇଁ ସମ୍ବିଧାନର ଧାରା ୩୪୨ଏ ଏବଂ ପରେ ୩୩୮ବି ଏବଂ ୩୬୬ର ସଂଶୋଧନ କରିବାର ଆବଶ୍ୟକତା ରହିଛି।

୨୦୧୮ ମସିହାରେ ୧୦୨ତମ ସମ୍ବିଧାନ ସଂଶୋଧନ ଆଇନରେ ଧାରା ୩୩୮ବି ସାମିଲ କରାଯାଇଥିଲା। ଏହି ଧାରାରେ ଜାତୀୟ ପଛୁଆ କମିସନର ଢାଞ୍ଚା, ଦାୟିତ୍ବ ଏବଂ କ୍ଷମତା ଆଦି ସଂପର୍କରେ ବ୍ୟବସ୍ଥା ରହିଛି। ଏକ ନିର୍ଦ୍ଦିଷ୍ଟ ଜାତିକୁ ଏସ୍‌ଇବିସି ଭାବେ ବିଜ୍ଞପ୍ତି ପ୍ରକାଶ କରିବା ନେଇ ରାଷ୍ଟ୍ରପତିଙ୍କ କ୍ଷମତା ଏବଂ ତାଲିକା ପରିବର୍ତ୍ତନ ପାଇଁ ସଂସଦର କ୍ଷମତା ଧାରା ୩୪୨ଏରେ ରହିଛି। ସେହିଭଳି ଏସଇବିସି ସଂଜ୍ଞା ନିରୂପଣ କ୍ଷମତା ଧାରା ୩୬୬(୨୬ସି)ରେ ରହିଛି। ୧୦୨ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏସ୍‌ଇବିସିମାନଙ୍କୁ ଚାକିରି ଓ ନାମଲେଖାରେ ସଂରକ୍ଷଣ ସୁବିଧା ଦେବାଲାଗି ରହିଥିବା ସୁବିଧାକୁ ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାର ନେଇଯାଇଛନ୍ତି ବୋଲି ସୁପ୍ରିମ କୋର୍ଟ ଚଳିତବର୍ଷ ମେ ୫ ତାରିଖରେ ରାୟ ଦେଇଥିଲେ। ସେହି ରାୟର ସମୀକ୍ଷା ପାଇଁ କେନ୍ଦ୍ର ସରକାର ଆବେଦନ କରିଥିଲେ ମଧ୍ୟ ସୁପ୍ରିମ କୋର୍ଟ ତାହାକୁ ଖାରଜ କରିଦେଇଥିଲେ। ଓବିସିମାନଙ୍କୁ ଚିହ୍ନଟ ଏବଂ ସେମାନଙ୍କ ତାଲିକା ପ୍ରସ୍ତୁତ କ୍ଷମତା ରାଜ୍ୟଗୁଡ଼ିକ ଠାରୁ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି ବୋଲି ବିରୋଧୀ ଦଳ ଗୁଡ଼ିକ ଦାବି କରିଥିଲେ।

ଗତମାସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ କୁମାର ରାଜ୍ୟସଭାରେ ସୂଚନା ଦେଇଥିଲେ ଯେ କେନ୍ଦ୍ର ସରକାର ଏହି ବ୍ୟାପାରରେ ଆଇନ ବିଶେଷଜ୍ଞ ଏବଂ ଆଇନ ମନ୍ତ୍ରାଳୟ ସହ ବିଚାରବିମର୍ଶ ଚଳାଇଛି। ଓବିସି ତାଲିକା ଚିହ୍ନଟ କରିବାରେ ରାଜ୍ୟଗୁଡ଼ିକର କ୍ଷମତା କିଭଳି ସୁରକ୍ଷିତ ରହିବ ତାହାର ଅନୁଧ୍ୟାନ କରାଯାଉଛି। ଗତ ମେ ୫ ତାରିଖରେ ସୁପ୍ରିମ କୋର୍ଟର ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ ମରାଠାମାନଙ୍କୁ ସଂରକ୍ଷଣ ପ୍ରଦାନ ନେଇ ମହାରାଷ୍ଟ୍ର ସରକାର କରିଥିବା ଆଇନକୁ ସର୍ବସମ୍ମତିକ୍ରମେ ରଦ୍ଦ କରିଦେଇଥିଲେ। ଏଥିସହିତ ୧୯୯୨ ମସିହାର ମଣ୍ଡଳ ରାୟକୁ ବୃହତ୍ତର ଖଣ୍ଡପୀଠକୁ ପଠାଇବାକୁ ମଧ୍ୟ ରାଜି ହୋଇ ନଥିଲେ।

ସମ୍ବନ୍ଧିତ ଖବର