ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକର ପ୍ରବଳ ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରି ଦିଆଯାଇଛି। ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ ଆଜି ରାଜ୍ୟସଭାରେ ପ୍ରଥମେ ଶୂନ୍ୟକାଳ ଓ ପରେ ପ୍ରଶ୍ନକାଳରେ ବାଧା ଉପୁଜିଥିଲା। ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ‌ଭେଙ୍କୟା ନାଇଡ଼ୁ ଆମେରିକାର ପୂର୍ବତନ ରା‌ଷ୍ଟ୍ରପତି ଜର୍ଜ ଏଚ୍‌ ଡବ୍ଲ୍ୟୁ ବୁଶ୍‌ଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ ଏବଂ ରାଜ୍ୟସଭା ସଦସ୍ୟ ଏମ୍‌ସି ମେରିକମ୍‌ ବକ୍ସିଂରେ ୬ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ହେଲେ ଶୂନ୍ୟକାଳରେ ରାଜ୍ୟସଭାରେ ଏଆଇଏଡିଏମ୍‌କେ ଓ ଡିଏମ୍‌କେ ସଦସ୍ୟଙ୍କ ଦ୍ବାରା କାବେରୀ ଜଳବିବାଦ ମାମଲାକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକୁ ମୁଲତବୀ ରଖାଯାଇଥିଲା। ଅପରାହ୍ନ ୨ଟା ପରେ ନ୍ୟାସନାଲ୍‌ ଟ୍ରଷ୍ଟ୍‌ ଫର ୱେଲଫେୟାର ଅଫ୍‌ ପର୍ସନ୍ସ ଉଇଥ୍‌ ଅଟିଜ୍‌ମ, ସେରିବ୍ରାଲ୍‌ ପାଲ୍‌ସି, ମେଣ୍ଟାଲ୍‌ ରିଟାର୍ଡେସନ୍‌ ଆଣ୍ଡ ମଲ୍ଟିପଲ୍‌ ଡିଜାବିଲିଟି ଆକ୍ଟ ବିଲ୍‌କୁ ପ୍ରବଳ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାରେ ପାରିତ କରାଯାଇଥିଲା। ଲୋକସଭାରେ କଂଗ୍ରେସ ଦ୍ବାରା ରାଫେଲ୍‌ ଚୁକ୍ତିର ଜେପିସି ତଦନ୍ତ ଦାବି, ଶିବସେନା ଦ୍ବାରା କାବେରୀ ଡେଲ୍‌ଟାରେ ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବି କରି ପ୍ରବଳ ପାଟିତୁଣ୍ଡ କରାଯାଇଥିଲା।

ସମ୍ବନ୍ଧିତ ଖବର