ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ସଂସଦରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି। ମନ୍ତ୍ରୀ ବୈଷ୍ଣବ ଆଜି ଗୃହରେ ତାଙ୍କ ବକ୍ତବ୍ୟ ରଖିବା ବେଳେ ବିରୋଧୀ ସଦସ୍ୟମାନେ ‘ରିଲ୍‌ ମନ୍ତ୍ରୀ’ ସ୍ଲୋଗାନ ଦେଇ ତାଙ୍କ ବକ୍ତବ୍ୟରେ ବାଧା ସୃଷ୍ଟି କରିଥିଲେ। ବୈଷ୍ଣବ ବିରୋଧୀଙ୍କୁ କଡ଼ା ଜବାବ ଦେଇ କହିଛନ୍ତି, ‘ ଆମେ ରିଲ୍‌ ବନାଇବା ଲୋକ ନୁହଁ। ଆମେ କଠିନ ପରିଶ୍ରମ କରୁଛୁ। ଯେଉଁମାନେ ଏଠି ଚିତ୍କାର କରୁଛନ୍ତି ସେମାନଙ୍କ ୫୮ ବର୍ଷର କ୍ଷମତା କାଳରେ କାହିଁକି ୧ କିମି ବି ଏଟିପି (ଅଟୋମେଟିକ ଟ୍ରେନ୍‌ ପ୍ରୋଟେକ୍ସନ୍‌) ମୁତୟନ ହୋଇନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଳମନ୍ତ୍ରୀ ଥିବାବେଳେ ଦୁର୍ଘଟଣା ସଂଖ୍ୟା ୦.୨୪ ପ୍ରତିଶତରୁ ୦.୧୯ ପ୍ରତିଶତକୁ କମିଛି କହୁଛନ୍ତି ଏବଂ ଏଥିପାଇଁ ତାଳି ବାଜୁଛି।

Advertisment

ଏବେ କିନ୍ତୁ ଦୁର୍ଘଟଣା ୦.୧୯ ପ୍ରତିଶତରୁ ୦.୩ ପ୍ରତିଶତକୁ କମିଥିଲେ ମଧ୍ୟ ସେମାନେ ଦାୟୀ କରୁଛନ୍ତି। ଏମିତି ବିଭ୍ରାନ୍ତିରେ ଦେଶ କେମିତି ଚାଲିବ ? ପ୍ରତିଦିନ ରେଳବାଇରେ ଯାତ୍ରା କରୁଥିବା ୨ କୋଟି ଲୋକଙ୍କ ମନରେ ବିରୋଧୀମାନେ ଭୟ ସୃଷ୍ଟି କରୁଛନ୍ତି ବୋଲି ରେଳମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ‌ବୈଷ୍ଣବ କହିଛନ୍ତି ଯେ ମିଛର ଦୋକାନ ଖୋଲିଥିବା କଂଗ୍ରେସ କେବେ ବି ଏହି ବ୍ୟବସାୟରେ ସଫଳ ହେବନାହିଁ। କେବେ କଂଗ୍ରେସ ସେନାକୁ ଗୌଣ ଦେଖାଇ ବୟାନ ଦେଉଥିବା ବେଳେ ଆଉ କେବେ ରେଳବାଇକୁ ବଦନାମ କରିବାକୁ ପ୍ରୟାସ କରୁଛି। ଏଭଳି ରାଜନୀତି କାମ ଦେବନା‌ହିଁ ବୋଲି ସେ କହିଛନ୍ତି। ଉଲ୍ଳେଖଯୋଗ୍ୟ, ନିକଟରେ ବଢ଼ୁଥିବା ଟ୍ରେନ୍‌ ଦୁର୍ଘଟଣା ପାଇଁ ସରକାରଙ୍କ ଉପରେ ବିରୋଧୀମାନେ ତୀବ୍ର ଆକ୍ରମଣ କରିଛନ୍ତି ଏବଂ ସେମାନେ ଏ ନେଇ ଉତ୍ତରଦାୟିତ୍ବ ଦାବି କରିଛନ୍ତି।