ବିରୋଧୀ ଦଳମାନେ ଦେଶ ସ୍ବାର୍ଥ ଅପେକ୍ଷା ଦଳ ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଉଛନ୍ତି : ମୋଦୀ

ନୂଆଦିଲ୍ଲୀ : ଆମ ଦେଶର ବିରୋଧୀ ଦଳମାନେ ରାଷ୍ଟ୍ରର ସ୍ବାର୍ଥ ଅପେକ୍ଷା ଦଳୀୟ ସ୍ବାର୍ଥକୁ ଅଗ୍ରାଧିକାର ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ବିରୋଧୀ ଦଳମାନେ ବିଭିନ୍ନ ବିକାଶମୂଳକ କାମ ଆଗରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଅଭିଯୋଗ କରି ମୋଦୀ ଏକଥା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟିଏ ଦଳକୁ ବିରୋଧ କରିବାକୁ ଯାଇ ବିରୋଧୀ ଦଳମାନେ ଦେଶକୁ ବିରୋଧ ନ କରନ୍ତୁ ।

ପୂର୍ବତନ ସମାଜବାଦି ପାର୍ଟି ସାଂସଦ ହରମୋହନ ସିଂ ଯାଦବଙ୍କ ୧୦ମ ମୃତ୍ୟୁବାର୍ଷିକୀରେ ଉଦବୋଧନ ଦେଇ ମୋଦୀ କହିଛନ୍ତି ଯେ ବିରୋଧୀ ଦଳମାନେ ସରକାରଙ୍କ ବିଭିନ୍ନ କାମ ଆଗରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି, କାରଣ ସେମାନେ ଯେତେବେଳେ କ୍ଷମତାରେ ଥିଲେ ଏସବୁ ନିଷ୍ପତ୍ତି ଲାଗୁ  କରିପାରିନଥିଲେ । ସରକାର ଯେତେବେଳେ ବି କୌଣସି ନିଷ୍ପତ୍ତି ନେଉଛନ୍ତି, ବିରୋଧୀ ତାହାର ବିରୋଧ କରୁଛନ୍ତି । ମାତ୍ର ଦେଶବାସୀ ଏହାକୁ ପସନ୍ଦ କରୁନାହାନ୍ତି ବୋଲି ମୋଦୀ କହିଛନ୍ତି ।

ମୋଦୀ କହିଛନ୍ତି ଯେ, ଯେତେବେଳେ ୧୯୭୧ ଯୁଦ୍ଧ ହେଲା ବିରୋଧୀ ଦଳମାନେ ସରକାରଙ୍କ ପଛରେ ଛିଡ଼ା ହୋଇଥିଲେ, କିନ୍ତୁ ଯେତେବେଳେ ଜରୁରୀପରିସ୍ଥିତି ଲାଗୁ ହେଲା ବିରୋଧୀଦଳମାନେ ଏକାଠି ହୋଇ ସମ୍ବିଧାନ ରକ୍ଷା ପାଇଁ ସରକାରଙ୍କ ବିରୋଧରେ ଲଢିଥିଲେ ।

ସୂଚନାଯୋଗ୍ୟ ଯେ, ବିରୋଧୀ ଦଳଙ୍କ ହଙ୍ଗାମା ଯୋଗୁଁ ଗତ ସପ୍ତାହଠାରୁ ସଂସଦର ଗୃହକାର୍ଯ୍ୟ ଚାଲିପାରୁନାହିଁ । ଦରଦାମ ବୃଦ୍ଧି, ଜିଏସଟି ବୃଦ୍ଧି ବିରୋଧରେ ବିରୋଧୀ ଦଳମାନେ ସରକାରଙ୍କୁ ବିରୋଧ କରୁଛନ୍ତି ।

ସମ୍ବନ୍ଧିତ ଖବର