ଜୁନ ୨୩ରେ ପାଟନାରେ ବିରୋଧୀଙ୍କ ମହାମେଳି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ବିଜେପି ବିରୋଧରେ ସମସ୍ତ ରାଜନୈତିକ ଦଳର ପ୍ରସ୍ତାବିତ ବୈଠକ ପାଇଁ ନୂଆ ତାରିଖ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୩ ତାରିଖରେ ପାଟନାରେ ସମସ୍ତ ରାଜନୈତିକ ଦଳର ବୈଠକ ବସିବ। ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ଏହି ସୂଚନା ଦେଇଛନ୍ତି ।

ପୂର୍ବରୁ ଜୁନ୍ ୧୨ ରେ ପାଟନାରେ ବିରୋଧୀ ଦଳର ଏକ ବୈଠକ ବସିବାକୁ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯୋଗୁଁ ଅନେକ ନେତା ସେଥିରେ ଯୋଗ ଦେବାକୁ ଅମଙ୍ଗ ହୋଇଥିଲେ । ଫଳରେ ଉକ୍ତ ତାରିଖକୁ ବାତିଲ କରାଯାଇଥିଲା ଓ ଜୁନ ୨୩ ନୂଆ ତାରିଖ ଧାର୍ଯ୍ୟ ହୋଇଥିଲା । ଏହାକୁ ନେଇ ସବୁ ଦଳ ମଧ୍ୟରେ ସହମତି ପ୍ରକାଶ ପାଇଛି।  ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀଙ୍କୁ ଏକାଠି କରିବାର ଦାୟିତ୍ୱ ନେଇଛନ୍ତି । ଏଥିପାଇଁ ସେ ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳର ମୁଖ୍ୟଙ୍କୁ ସାକ୍ଷାତ କରୁଛନ୍ତି ।

ଲଲନ ସିଂହ, ମଲ୍ଲିକାର୍ଜୁନ ଖଡଗେଙ୍କ କହିବା ଅନୁଯାୟୀ, କଂଗ୍ରେସ ଦଳର ରାହୁଲ ଗାନ୍ଧି ଏହି ବୈଠକରେ ଯୋଗ ଦେବାକୁ ରାଜି ହୋଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଏନସିପି ମୁଖ୍ୟ ଶରଦ ପାୱାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମଏସ ଷ୍ଟାଲିନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିପିଆଇ ସମ୍ପାଦକ ଡି ରାଜା, ସିପିଆଇ(ଏମ) ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇ(ଏମ) ସଚିବ ଦୀପଙ୍କର ଭଟ୍ଟାଚାର୍ଯ୍ୟ ମଧ୍ୟ ବୈଠକରେ ଯୋଗ ଦେବାକୁ ରାଜି ହୋଇଛନ୍ତି ।

ସମ୍ବନ୍ଧିତ ଖବର