ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ବହିଷ୍କାର କରିବାକୁ ବିରୋଧୀ ଦଳଙ୍କ ଉଦ୍ୟମ ଆରମ୍ଭ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ବହିଷ୍କାର କରିବା ପାଇଁ ପ୍ରସ୍ତାବ ଆଗତ କରିବାକୁ ନୋଟିସ୍‌ ଦେବା ପାଇଁ କେତେକ ବିରୋଧୀ ଦଳ ଏକତ୍ର ହେବା ପାଇଁ ଖୁବ୍‌ ଉଦ୍ୟମ ଚଳାଇଛନ୍ତି ବୋଲି ମଙ୍ଗଳବାର ଦିନ କେତେକ ରାଜନୈତିକ ଦଳର ନେତାମାନେ କହିଛନ୍ତି। ଏ ସଂକ୍ରାନ୍ତରେ ସେ ଏବଂ ଅନ୍ୟାନ୍ୟ ବହୁ ସଦସ୍ୟ ଦସ୍ତଖତ କରିଛନ୍ତି ବୋଲି ଜଣେ ରାଜ୍ୟସଭା ସାଂସଦ କହିଛନ୍ତି।

କିନ୍ତୁ, ବହିଷ୍କାର ପ୍ରସ୍ତାବ କେମିତି ଆଗତ କରାଯିବ ସେ ସଂକ୍ରାନ୍ତରେ କଂଗ୍ରେସ ସମେତ ଅନ୍ୟ କେତେକ ବିରୋଧୀ ଦଳ ମଧ୍ୟରେ ମତଭେଦ ଥିବା କଥା ମଧ୍ୟ ଜଣାପଡ଼ିଛି। ଆବଶ୍ୟକ ସମସ୍ତ ସାମ୍ବିଧାନିକ ନୀତିନିୟମ ହାସଲ କରୁଥିଲେ ମଧ୍ୟ ପ୍ରଧାନ ବିଚାରପତିଙ୍କୁ ବହିଷ୍କାର କରିବାକୁ ଯେତେ ସଦସ୍ୟ ଲୋଡ଼ା ତାହା ସେମାନଙ୍କ ପାଖରେ ନାହିଁ। ଓଡ଼ିଶାର ବିଜୁ ଜନତା ଦଳର ଜଣେ ନେତା କହିଛନ୍ତି, ତାଙ୍କ ଦଳ ବହିଷ୍କାର ପ୍ରସ୍ତାବକୁ ସମର୍ଥନ କରିବ ନାହିଁ।

ପ୍ରଧାନ ବିଚାରପତି କିଂବା ଅନ୍ୟ କୌଣସି ବିଚାର ପତିଙ୍କୁ ବହିଷ୍କାର କରିବା ଏକ ଦୀର୍ଘ ପ୍ରକ୍ରିୟା। କେବଳ ବହିଷ୍କାର ପ୍ରସ୍ତାବ ଆଣିବାକୁ ରାଜ୍ୟସଭାରୁ ୫୦ ଜଣ ସାଂସଦ କିଂବା ଲୋକସଭାରୁ ୧୦୦ ସଦସ୍ୟଙ୍କ ସମର୍ଥନ ଦରକାର। ତା’ପରେ ବାଚସ୍ପତି ସ୍ଥିର କରିବେ ଏହା ଆଗତ ହୋଇ ପାରିବ କି, ନାହିଁ। ଯଦି ଆଗତ କରିବାକୁ ଅନୁମତି ଦିଆଯାଏ ତେବେ ତିନି ସଦସ୍ୟ ବିଶିଷ୍ଟ ଏକ କମିଟି ତାଙ୍କ ବିରୋଧରେ ଉଠିଥିବା ଅଭିଯୋଗର ତଦନ୍ତ କରିବେ। ଯଦି କମିଟି ବିଚାରକଙ୍କୁ ଦୋଷୀ କରନ୍ତି, ବିଚାର ପାଇଁ ପ୍ରସ୍ତାବକୁ ସଦନ ଗ୍ରହଣ କରିବ। ଯେଉଁ ଗୃହରେ ମୂଳରୁ ଏହା ଅନୁମୋଦନ ହୋଇଥିବ ସେ ଗୃହ ଏକ ସ୍ୱତନ୍ତ୍ର ସଂଖ୍ୟାଗରିଷ୍ଠାତାରେ ଏହାକୁ ପାସ୍‌ କରିବା କଥା। ଏହାପରେ ବିଚାରପତିଙ୍କୁ ବହିଷ୍କାର କରିବାକୁ ରାଷ୍ଟ୍ରପତିଙ୍କୁ ଏକ ସମ୍ଭାଷଣ ଉପସ୍ଥାପନ କରାଯିବ। ତା’ପରେ ରାଷ୍ଟ୍ରପତି ବହିଷ୍କାର ଆଦେଶ ଦେବେ।

ସମ୍ବନ୍ଧିତ ଖବର