ନୂଆଦିଲ୍ଲୀ : କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବାସଭବନରେ ଆଜି ବିରୋଧୀ ନେତାଙ୍କ ବୈଠକ ହୋଇଛି। ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୧୨ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ନେଇ ସଂସଦରେ ଦାବି ଉପସ୍ଥାପନ କରିବାକୁ ଉକ୍ତ ବୈଠକରେ ରଣ କୌଶଳ ପ୍ରସ୍ତୁତ ହୋଇଥିବା କୁହାଯାଉଛି। ବୈଠକରେ କଂଗ୍ରେସ ବାଦ ୫ ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ। ମିଳିଥିବା ସୂଚନାନୁଯାୟୀ ଏନ୍‌ସିପିର ଶରଦ ପାୱାର, ଡିଏମ୍‌କେର ଟିଆର ବାଲୁ, ସିପିଏମ୍‌ର ସୀତାରାମ ୟେଚୁରୀ ଏବଂ ଏନ୍‌ସି ନେତା ଫାରୁକ ଅବଦୁଲ୍ଲା ଯୋଗ ଦେଇଛନ୍ତି। ବୈଠକରେ ରାହୁଲ ଗାନ୍ଧି ମଧ୍ୟ ଯୋଗ ଦେଇଥିଲେ। କିନ୍ତୁ ଟିଏମ୍‌ସି ଉକ୍ତ ବୈଠକକୁ ନିମନ୍ତ୍ରିତ ହୋଇନାହିଁ।

Advertisment

ଉଲ୍ଲେଖଯୋଗ୍ୟ ଯେ ଗତ ମୌସୁମୀ ଅଧିବେଶନରେ ହିଂସାତ୍ମକ ଆଚରଣ ପ୍ରଦର୍ଶନ ଯୋଗୁଁ ୧୨ ଜଣ ରାଜ୍ୟସଭା ସାଂସଦଙ୍କୁ ସମଗ୍ର ଶୀତ ଅଧିବେଶନକୁ ନିଲମ୍ବିତ କରାଯାଇଥିଲା। ନିଲମ୍ବତ ପ୍ରତ୍ୟାହାର ପାଇଁ ବିରୋଧୀ ଦଳ ନେତାମାନେ ଦାବି କରିଛନ୍ତି। କିନ୍ତୁ ସରକାର କହୁଛନ୍ତି ଉକ୍ତ ନିଲମ୍ବିତ ସାଂସଦମାନେ କ୍ଷମା ମାଗିଲେ ହିଁ ସେମାନଙ୍କ ନିଲମ୍ବନ ପ୍ରତ୍ୟାହାର କରାଯିବ। କିନ୍ତୁ ବିରୋଧୀମାନେ ଏହାର ତୀବ୍ର ବିରୋଧ କରିଛନ୍ତି। ବିରୋଧୀଙ୍କ ଦାବି ଅନୁଯାୟୀ ମୌସୁମୀ ଅଧିବେଶନର ବ୍ୟବହାର ପାଇଁ ଶୀତ ଅଧିବେଶନରେ ସେମାନଙ୍କୁ ନିଲମ୍ବନ କରିବା ରାଜ୍ୟସଭା ନିୟମର ଉଲ୍ଲଂଘନ କରୁଛି।