ରାହୁଲଙ୍କ ଯୋଗୁଁ ବାତିଲ ହେଲା କି ବିରୋଧୀ ଦଳଙ୍କ ବୈଠକ ?

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧୀ ଏକତା ଅଭିଯାନକୁ ବଡ଼ ଝଟକା ଲାଗିଛି। ବିହାରରେ ଜୁନ୍ ୧୨ତାରିଖରେ ହେବାକୁ ଥିବା ବିରୋଧୀ ଦଳଗୁଡ଼ିକର ବୈଠକକୁ ବର୍ତ୍ତମାନ ପାଇଁ ବାତିଲ କରାଯାଇଛି। ଏବେ ଏହି ବୈଠକର ତାରିଖ ପରେ ସ୍ଥିର କରାଯିବ। ଏବେ ଏହି ବୈଠକ କେଉଁଠି ହେବ ତାହା ଜଣାପଡ଼ିନାହିଁ। ନୀତୀଶ କୁମାର କହିଛନ୍ତି ଯେ ସମୟକୁ ନେଇ କିଛି ଦଳର ଆପତ୍ତି ଥିଲା, ଏହି ଦିନ ଦଳର ମୁଖ୍ୟ ଉପଲବ୍ଧ ନଥିଲେ, ତେଣୁ ସେ ଏହି ବୈଠକକୁ ବାତିଲ କରିଛନ୍ତି । ବିଶେଷକରି ରାହୁଲ ଗାନ୍ଧି ଭାରତରେ ନଥିବାରୁ ଏହି ବୈଠକକୁ ବାତିଲ କରାଯାଇଥିବା କୁହାଯାଉଛି ।

ପାଟନାରେ ଗଣମାଧ୍ୟମପ୍ରତିନିଧିଙ୍କ ସହ କଥାବାର୍ତ୍ତା କରି ନୀତୀଶ କୁମାର କହିଛନ୍ତି ଯେ ନୂଆ ତାରିଖ ଖୁବ୍ ଶୀଘ୍ର ସ୍ଥିର କରାଯିବ। ଜୁନ୍ ୧୨ରେ ହେବାକୁ ଥିବା ବୈଠକରେ ସମସ୍ତ ରାଜନୈତିକ ଦଳର ମୁଖ୍ୟମାନେ ଯୋଗଦେବାର ଥିଲା, କିନ୍ତୁ ଦଳୀୟ ମୁଖ୍ୟଙ୍କ ବଦଳରେ ଅନ୍ୟ କୌଣସି ପ୍ରତିନିଧି ଆସିଲେ ଠିକ୍ ହେବ ନାହିଁ। ସେଥିପାଇଁ ଆମେ କଂଗ୍ରେସ ଦଳକୁ କହିଛୁ ଯେ ଦଳର ମୁଖ୍ୟ ଆସିବା ଉଚିତ। ବୈଠକର ନୂଆ ତାରିଖ ପରେ ଘୋଷଣା କରାଯିବ । କଂଗ୍ରେସ ଏବଂ ଅନ୍ୟ ଏକ ଦଳ ମୋତେ କହିଥିଲେ ଯେ ସେମାନେ ଏହି ତାରିଖ ଅସୁବିଧାଜନକ ବୋଲି ଅନୁଭବ କରିଛନ୍ତି। ତେଣୁ ବୈଠକକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟ ଦଳସହ ଆଲୋଚନା କରି ନୂଆ ତାରିଖ ସୁପାରିସ କରିବାକୁ କଂଗ୍ରେସକୁ କୁହାଯାଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର