ସଂସଦ ବାହା‌ରେ ବି ମୁହାଁମୁହିଁ, ରାସ୍ତାକୁ ଓହ୍ଲାଇଲେ ବିରୋଧୀ ଦଳ

ବିରୋଧୀ କ୍ଷମା ମାଗନ୍ତୁ: ସରକାର
ବିରୋଧୀଙ୍କ ଉପରେ ବର୍ଷିଲେ ୭ ମନ୍ତ୍ରୀ

ନୂଆଦିଲ୍ଲୀ : ଭାରତର ସଂସଦୀୟ ଇତିହାସରେ ଯାହା କେବେ ଦେଖିବାକୁ ମିଳିନଥିଲା, ତାହା ଏବେ ଦେଖିବାକୁ ମିଳିଛି। ସଂସଦର ଗତ ଅଧିବେଶନ ପାଖାପାଖି ଅଚଳ ରହିଲା। ଉଭୟ ସରକାର ଏବଂ ବିରୋଧୀ ନିଜ ନିଜ ଜିଦରେ ଅଟଳ ରହିବାରୁ ଲୋକସଭା କିମ୍ବା ରାଜ୍ୟସଭା କାର୍ଯ୍ୟ ଅସମ୍ଭବ ହୋଇପଡ଼ିଥିଲା। ଗତକାଲି ରାଜ୍ୟସଭାରେ ସୁରକ୍ଷା କର୍ମଚାରୀ ଏବଂ ବିରୋଧୀ ଦଳ ସଭ୍ୟମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ଏହାକୁ ନେଇ ଆଜି ଉଭୟ ବିରୋଧୀ ଦଳ ଏବଂ ସରକାର ସଂସଦ ବାହାରେ ମୁହାଁମୁହିଁ ହୋଇଛନ୍ତି। ଗତକାଲିର ଘଟଣା ପାଇଁ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି।

ଗୁରୁବାର ସକାଳେ ବିରୋଧୀ ଦଳ ରାସ୍ତାରେ ଓହ୍ଲାଇ ପ୍ରତିବାଦ କରିଥିବା ବେଳେ ସନ୍ଧ୍ୟା ବେଳେ ୭ ଜଣ କେନ୍ଦ୍ର ମନ୍ତ୍ରୀ ମିଳିତ ସାମ୍ବ‌ାଦିକ ସମ୍ମିଳନୀ କରି ଘଟଣା ପାଇଁ ସଂପୂର୍ଣ୍ଣ ରୂପେ ବିରୋଧୀଙ୍କୁ ଦାୟୀ କରିଛନ୍ତି। ବିରୋଧୀ ଦଳମାନେ ସଂସଦୀୟ ପରମ୍ପରାକୁ ଉଲ୍ଲଂଘନ କରିବା ସହ ସଂସଦରେ ଚରମ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ‌ସେମାନେ ଦାବି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ରାଜ୍ୟସଭାରେ ମହାସଚିବଙ୍କ ଟେବୁଲ ନାଚିବା ଏବଂ ବିରୋଧ ପ୍ରଦର୍ଶନ ପାଇଁ ଉଦ୍ଦିଷ୍ଟ ନଥିଲା। ବିରୋଧୀଦଳ ସାଂସଦମା‌ନେ ସୀମା ଉଲ୍ଲଂଘନ କରି ଏଭଳି କାର୍ଯ୍ୟ କରିବା ସମସ୍ତଙ୍କୁ ଆଘାତ ଦେଇଛି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ବିରୋଧୀ ଦଳ ସାଂସଦ‌ମାନେ ବୁଧବାର ରାଜ୍ୟ ସଭାରେ ଅତି ତଳସ୍ତରର ବ୍ୟବହାର କରିଥିଲେ ଏବଂ ଏହାକୁ ଦେଶବାସୀ କଦାପି କ୍ଷମା ଦେବେନାହିଁ। ସେ କହିଲେ ଯେ ମାର୍ଶଲମାନେ ସଂସଦର ସୁରକ୍ଷା କର୍ମଚାରୀ ଥିଲେ। ସେମାନଙ୍କୁ ବାହାରୁ ଅଣାଯାଇଲା ବୋଲି ଅଭିଯୋଗକୁ ‌େସ ଅସ୍ବୀକାର କରିଛନ୍ତି। ବିରୋଧୀଙ୍କ ଆକ୍ରମଣ‌େର ଜଣେ ମାର୍ଶଲ ଆହତ ହୋଇଥିବା ସେ କହିଛନ୍ତି। ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ବିରୋଧୀ ଦଳମାନଙ୍କ ଏଭଳି ଅଶୋଭନୀୟ ବ୍ୟବହାର ସଂସଦର ଗରିମାକୁ ନଷ୍ଟ କରିଛି। ଗୁରୁତ୍ବପୂର୍ଣ୍ଣ ବିଲ୍‌ ସଂସଦରେ ଗୃହୀତ ହୋଇଥିବାରୁ ବିରୋଧୀ ଦଳମାନେ ଏହାକୁ ନେଇ ସରକାରକୁ ଧମକାଇଛନ୍ତି। ସେମାନଙ୍କ ଏଭଳି ଆଚରଣ ଯୋଗୁଁ ସଂସଦକୁ ଦୁଇ ଦିନ ପୂର୍ବରୁ ମୁଲତବୀ କରିବାକୁ ପଡ଼ିଲା।

ଏହି ସାମ୍ବାଦିକ ସମ୍ମିଳନୀରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଏମ୍‌କେ ନକ୍‌ଭି, ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ମଧ୍ୟ ଉପସ୍ଥିତ ଥିଲେ।

ଏହାପୂର୍ବରୁ ଗୁରୁବାର ସକାଳେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଅନ୍ୟ ବିରୋଧୀ ଦଳ ନେତାମାନେ ସଂସଦ ଭବନରୁ ବିଜୟ ଚୌକ୍‌ ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ସଂସଦରେ ସରକାର ବିରୋଧୀ ଦଳଙ୍କ ସ୍ବରକୁ ଦବାଇ ଦେବାକୁ ପ୍ରୟାସ କରିଛନ୍ତି ଏବଂ ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ବୋଲି ରାହୁଲ କହିଥିଲେ। ପେଗାସସ୍‌ ଗୁଇନ୍ଦାଗିରି, ଚାଷୀ ଆଇନ ଏବଂ ପେଟ୍ରୋଲ ମୂଲ୍ୟ ବୃଦ୍ଧି ସଂପର୍କରେ ଆମେ ଆଲୋଚନା କରିବାକୁ ଚାହୁଥିଲୁ। କିନ୍ତ ସରକାର ଏହା କରାଇ ଦେଲେ ନାହିଁ। ଏବେ ଆମେ ସଂସଦ ବାହାରେ ଚାଷୀ ଏବଂ ପେଗାସସ୍‌ ପ୍ରସଙ୍ଗ ଉଠାଇବୁ। ସଂସଦ ଭିତରେ ଆମକୁ ମତ ରଖିବାର ଅଧିକାର ଦିଆଗଲା ନାହିଁ ଏବଂ ଏହା ଗଣତନ୍ତ୍ରର ହତ୍ୟା ବୋଲି ସେ କହିଛନ୍ତି। ଦେଶର ୬୦ ପ୍ରତିଶତ ଲୋକଙ୍କ ସ୍ବରକୁ ଏହାଦ୍ବାରା ସରକାର ଦବାଇଛନ୍ତି ଏବଂ ଏହା ବିରୋଧରେ ବିରୋଧୀ ଦଳ ଏକଜୁଟ୍‌ ହୋଇ ଲଢ଼ିବ। ଚାଷୀମାନଙ୍କ ଆନ୍ଦୋଳନକୁ ଦମନ କରିବା ପାଇଁ ସେମାନଙ୍କୁ ଦେଶଦ୍ରୋହୀ ଏବଂ ଖଲିସ୍ତାନୀ ବୋଲି କୁହାଯାଉଛି । ଦେଶର ଦଳିତ, ଗରିବ, ଚାଷୀ ଏବଂ ଶ୍ରମିକଙ୍କ ଅସନ୍ତୋଷ ଆଗକୁ ଉଗ୍ର ରୂପ ନେବ ଏବଂ ମୋଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଉଠାଇ ବାହାରକୁ ଫୋପାଡ଼ି ଦେବ ବୋଲି ରାହୁଲ କହିଛନ୍ତି।

ଶିବସେନା ନେତା ସଂଜୟ ରାଉତ କହିଛନ୍ତି ଯେ ବିରୋଧୀ ଦଳ ସାଂସଦଙ୍କୁ ହଟାଇବା ପାଇଁ ଗତକାଲି ଗୃହରେ ବଳ ପ୍ରୟୋଗ କରାଯାଇଥିଲା। ମାର୍ଶଲଙ୍କ ବେଶରେ ବାହାର ଲୋକ ଆସି ସାଂସଦଙ୍କୁ ଧକ୍କା ଦେଇ ଗୃହରୁ ବାହାର କରିଥିଲେ। ସଂସଦରେ ସରକାର ଏକ ପ୍ରକାର ଆତଙ୍କ ସୃଷ୍ଟି କରି ମାର୍ଶଲ ଆଇନ ଲଗାଇଥିଲେ ବୋଲି ରାଉତ କହିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି ଯେ କେନ୍ଦ୍ର ସରକାର ଆଲୋଚନାକୁ ଡରୁଛନ୍ତି ଏବଂ ବିରୋଧୀ ଦଳଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ସେହିଭଳି ଏନସିପି ନେତା ଶରଦ ପାୱାର କହିଥିଲେ ଯେ ତାଙ୍କର ୫୫ ବର୍ଷର ସଂସଦୀୟ ଜୀବନ ଭିତ‌ରେ ଏଭଳି ସରକାରୀ ଆଚରଣ କେବେ‌ହେଲେ ଦେଖିନଥିଲେ। ଗୃହ ଭିତରେ ମହିଳା ସାଂସଦଙ୍କୁ ଆକ୍ରମଣ କରିବା ଲାଗି ୪୦ ଜଣ ମାର୍ସାଲଙ୍କୁ ମୁତୟନ କରାଯାଇଥିଲା। କେତେକ ମହିଳା ସଂସଦ ଅଭିଯୋଗ କରିଥିଲେ ଯେ ପୁରୁଷ ମାର୍ଶଲ ସେମାନଙ୍କୁ ଧସ୍ତାଧସ୍ତି କରିଥିଲେ। କେତେକ ସାଂସଦ ତଳେ ପଡ଼ିଯାଇଥିଲେ।

ପରେ ଏକ ମିଳିତ ବିବୃତି ଜାରି କରି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସରକାରୀ ଆଚରଣର ପ୍ରତିବାଦ କରୁଥିବା ବିରୋଧୀ ସଭ୍ୟଙ୍କ ସ୍ବରକୁ ଦମନ କରିବା ଲାଗି ବାହାର ଲୋକଙ୍କୁ ଅଣାଯାଇଥିଲା। ଏଭଳି ଆଚରଣ କରି ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର