ନୂଆଦିଲ୍ଲୀ : ସିଏଏ (ନାଗରିକତା ସଂଶୋଧନ ଆଇନ) ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ବିରୋଧୀ ଦଳଗୁଡ଼ିକ ସିଏଏ ପ୍ରସଙ୍ଗରେ ମିଥ୍ୟା ଖବର ପ୍ରସାର କରି ଦେଶରେ ଦଙ୍ଗା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଇଣ୍ଡି ମେଣ୍ଟର କିଛି ସଦସ୍ୟ ସିଏଏ ଉଚ୍ଛେଦ କରିବେ ବୋଲି ଦାବି କରୁଛନ୍ତି। କିନ୍ତୁ ବାସ୍ତବ କଥା ହେଉଛି କେହି ସିଏଏ ଉଚ୍ଛେଦ କରିପାରିବେ ନାହିଁ। ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଭଳି ଦଳ ସିଏଏ ପ୍ରସଙ୍ଗରେ ମିଛ ଖବର ପ୍ରସାର କରୁଛନ୍ତି। ଉତ୍ତରପ୍ରଦେଶ ସମେତ ସମଗ୍ର ଦେଶରେ ସାଂପ୍ରଦାୟିକ ନିଆଁ ଲଗାଇବାକୁ ସେମାନେ ପ୍ରାଣପଣେ ଚେଷ୍ଟା କରିଛନ୍ତି। ଏପରିକି ଆଜି ବି ଇଣ୍ଡି ମେଣ୍ଟର କିଛି ସଦସ୍ୟ କହୁଛନ୍ତି, ମୋଦୀ ଯେଉଁଦିନ ଯିବେ ସିଏଏ ଉଚ୍ଛେଦ ହେବ।
ଧର୍ମନିରପେକ୍ଷ ନାଁରେ ବିରୋଧୀ ଦଳମାନେ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଲଢ଼େଇ ସୃଷ୍ଟି କରୁଛନ୍ତି। ଦେଶର ଲୋକମାନେ ଜାଣି ସାରିଛନ୍ତି ଯେ ଭୋଟ୍ ବ୍ୟାଙ୍କ ରାଜନୀତି କରି ଏବଂ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଲଢ଼େଇ କରାଇ ବିରୋଧୀ ଦଳମାନେ ଦେଶକୁ ସାମ୍ପ୍ରଦାୟିକ ନିଆଁରେ ଜଳିବାକୁ ଛାଡ଼ି ଦେବା ଯୋଜନା କରିଛନ୍ତି। ତେବେ ଦେଶବାସୀ ଏଭଳି ହୀନ ଷଡ଼୍ଯନ୍ତ୍ରକୁ ବରଦାସ୍ତ କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ତରପ୍ରଦେଶ ଲାଲଗଞ୍ଜରେ ଏକ ସାଧାରଣ ସଭାରେ ମୋଦୀ ଆଜି ସିଏଏ ନେଇ ଏହି ଟିପ୍ପଣୀ ଦେଇଛନ୍ତି। ସେହିପରି ଜୌନପୁରରେ ଏକ ନିର୍ବାଚନ ରାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ୫ ବର୍ଷରେ ପୂର୍ବାଞ୍ଚଳର ଭାଗ୍ୟ ବଦଳିବ। ଉଭୟ ମୋଦୀ-ଯୋଗୀ ପୂର୍ବାଞ୍ଚଳର ଭାଗ୍ୟ ବଦଳାଇବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ମୋଦୀ କହିଛନ୍ତି,ସମଗ୍ର ବିଶ୍ବ ଏବେ ଦିଲ୍ଲୀ ଏବଂ ମୁମ୍ବାଇ ପରିବର୍ତ୍ତେ କାଶୀ ଏବଂ ଅଯୋଧ୍ୟା ସଂକ୍ରାନ୍ତରେ ଅଧିକ ଆଲୋଚନା କରୁଛି।