ନୂଆଦିଲ୍ଲୀ: ବିଏସ୍ପି ସୁପ୍ରିମୋ ମାୟାବତୀ ନୂଆ ସଂସଦ ଭବନ ଉଦ୍ଘାଟନକୁ ସ୍ବାଗତ କରିଛନ୍ତି ଏବଂ ଏହି ଉଦ୍ଘାଟନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ବିରୋଧୀ ଦଳମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସଂସଦ ଭବନ ଉଦ୍ଘାଟନକୁ ବର୍ଜନ କରିବା ଅନ୍ୟାୟ ଏବଂ ପରମ୍ପରା ବିରୋଧୀ ବୋଲି ମାୟାବତୀ କହିଛନ୍ତି। ସଂସଦ ଭବନ ଉଦ୍ଘାଟନକୁ ବର୍ଜନ ଗ୍ରହଣୀୟ ନୁହେଁ ଏବଂ ଏହାକୁ ରାଷ୍ଟ୍ରପତିଙ୍କ ସହ ଯୋଡ଼ିବା ସଂପୂର୍ଣ୍ଣ ଭାବେ ଅନ୍ୟାୟ। ଜଣେ ଆଦିବାସୀ ମହିଳାଙ୍କ ସମ୍ମାନକୁ ନେଇ ବିରୋଧୀ ଦଳମାନେ ରାଜନୀତି କରିବା ଠିକ୍ ନୁହେଁ ବୋଲି ମାୟାବତୀ କହିଛନ୍ତି। ସେ କହିଛନ୍ତି, ସଂସଦ ଭବନ ଉଦ୍ଘାଟନ ପାଇଁ ମତେ ନିମନ୍ତ୍ରଣ ମିଳିଛି।
ଏହି ନିମନ୍ତ୍ରଣ ପାଇଁ ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ମୋର ପୂର୍ବ ନିର୍ଦ୍ଧାରିତ କାମ ପାଇଁ ମୁଁ ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବିନି, କିନ୍ତୁ ଦଳ ଏଥିରେ ସାମିଲ ହେବ। ମାୟାବତୀ କହିଛନ୍ତି, ବିଏସ୍ପି ସବୁବେଳେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠି ଦେଶର ପ୍ରସଙ୍ଗ ପାଇଁ କେନ୍ଦ୍ରରେ ସରକାରଙ୍କୁ ସମର୍ଥନ କରି ଆସିଛି। ସରକାର ଏହି ନୂଆ ସଂସଦ ଭବନ ନିର୍ମାଣ କରିଛନ୍ତି। ତେଣୁ ସରକାରଙ୍କର ଏହାକୁ ଉଦ୍ଘାଟନ କରିବାର ଅଧିକାର ଅଛି। ବିରୋଧୀ ଦଳମାନେ ରାଷ୍ଟ୍ରପତି ମୁର୍ମୁଙ୍କ ବିରୋଧରେ ପ୍ରାର୍ଥୀ ଦେବା ବଦଳରେ ତାଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରିବା ନେଇ ଚିନ୍ତା କରିବା ଉଚିତ ଥିଲା ବୋଲି ମାୟାବତୀ କହିଛନ୍ତି।