ବିରୋଧୀ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ପ୍ରଧାନମନ୍ତ୍ରୀ

ଦେବ ଦୀପାବଳିରେ ଜଳିଲା ୧୫ ଲକ୍ଷ ଦୀପ, ୬ ଲେନ୍‌ ବାରଣାସୀ-ପ୍ରୟାଗରାଜ ଜାତୀୟ ରାଜପଥ ଲୋକାର୍ପିତ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ବିରୋଧୀମାନେ ମିଛ ପ୍ରଚାର କରି ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନୂଆ କୃଷି ଆଇନ ଚାଷୀଙ୍କ ସମସ୍ତ ସମସ୍ୟା ଓ ଅଭାବ ପୂରଣ କରିବ। ଚାଷୀଙ୍କୁ ଠକିବା ପାଇଁ ଆଇନ କରାଯାଇନାହିଁ। ନୂଆ କୃଷି ଆଇନ ଗଙ୍ଗାଜଳ ଭଳି ପବିତ୍ର ବୋଲି ଆଜି ବାରଣାସୀଠାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ନୂଆ କୃଷି ଆଇନ ଚାଷୀଙ୍କୁ ଅଧିକ ସଶକ୍ତ କରିବା ସହ ସେମାନଙ୍କ ପାଇଁ ବହୁ ବିକଳ୍ପର ଦ୍ବାର ଖୋଲିବ। ପୂର୍ବରୁ କ୍ଷୁଦ୍ର ଚାଷୀମାନେ ମଣ୍ଡି ପର୍ଯ୍ୟନ୍ତ ପହଞ୍ଚି ପାରୁ ନଥିଲେ। ନୂଆ ଆଇନ ଚାଷୀଙ୍କୁ କେବଳ ମଣ୍ଡି ପର୍ଯ୍ୟନ୍ତ ନେବ ନାହିଁ ବରଂ ଏମ୍‌ଏସ୍‌ପି ଓ ମଣ୍ଡି ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବ। ସରକାରଙ୍କ ଉଦ୍ୟମ ଯୋଗୁଁ ଚାଷୀ କିଭଳି ଲାଭବାନ ହୋଇଛନ୍ତି ତାହାର ଏକ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁଇ ବର୍ଷ ତଳେ ସରକାର ଚନ୍ଦୌଲିଠାରେ କଳା ଚାଉଳ ଚାଷକୁ ପ୍ରୋତ୍ସାହନ ଯୋଗେଇ ଦେଇଥିଲେ। ଗତବର୍ଷ ମାତ୍ର ଜଣେ ଚାଷୀ କଳା ଚାଉଳ ଚାଷ କରିଥିଲେ। ମାତ୍ର ଚଳିତବର୍ଷ ୪୦୦ ଚାଷୀ କଳା ଚାଉଳ ଉତ୍ପାଦନ କରିପାରିଛନ୍ତି। ପ୍ରଥମଥର ପାଇଁ ଏହି କଳା ଚାଉଳ ଅଷ୍ଟ୍ରେଲିଆକୁ କିଲୋ ପ୍ରତି ୮୦୦ ଟଙ୍କା ଦରରେ ରପ୍ତାନି କରାଯାଇଛି। ପ୍ରଧାନମନ୍ତ୍ରୀ ଆଜି ‘କାଶୀ ବିଶ୍ବନାଥ ମନ୍ଦିର କରିଡର୍‌ ପ୍ରକଳ୍ପ’ର ଅଗ୍ରଗତି ସମୀକ୍ଷା କରିବା ସହ ଦେବ ଦୀପାବଳି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବାରଣାସୀର ୮୦ଟି ଗଙ୍ଗା ଘାଟରେ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଦୀପ ପ୍ରଜ୍ବଳନ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ୬ ଲେନ୍‌ ବିଶିଷ୍ଟ ବାରଣାସୀ-ପ୍ରୟାଗରାଜ ଜାତୀୟ ରାଜପଥକୁ ଲୋକାର୍ପିତ କରିଥିଲେ।

ସମ୍ବନ୍ଧିତ ଖବର