୮ ରାଜ୍ୟସଭା ସଦସ୍ୟଙ୍କୁ ନିଲମ୍ବନର ପ୍ରତିବାଦ : ଲୋକସଭାକୁ ବଏକଟ କଲେ ବିରୋଧୀ

ନୂଆଦିଲ୍ଲୀ : ରାଜ୍ୟସଭାରୁ ଏକ ସପ୍ତାହ ପାଇଁ ନିଲମ୍ବିତ ହୋଇଥିବା ୮ ଜଣ ରାଜ୍ୟସଭା ସଦସ୍ୟମାନଙ୍କ ସମର୍ଥନରେ ସବୁ ବିରୋଧୀ ଦଳ ଏକତ୍ରିତ ହୋଇଛନ୍ତି । ଏହି ନିଲମ୍ବନ ପ୍ରତିବାଦରେ କଂଗ୍ରେସ ନେତୃତ୍ୱରେ ବିରୋଧୀଦଳମାନେ ଆଜି ଲୋକସଭା ଅଧିବେଶନକୁ ବଏକଟ କରିଛନ୍ତି । ଏ ସଂପର୍କରେ ଲୋକସଭାରେ କଂଗ୍ରେସର ନେତା ଅଧୀର ରଂଜନ ଚୌଧୁରୀ ସୂଚନା ଦେଇଛନ୍ତି ।

ଏନସିପି ନେତା ଶରଦ ପାଓ୍ଵାର ଏହି ନିଲମ୍ବିତ ସାଂସଦଙ୍କ ସମର୍ଥନରେ ଆଜି ଦିନକ ପାଇଁ ଉପବାସ ରଖିବାକୁ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟସଭାରେ ସେ ସମ୍ମୁଖୀନ ହୋଇଥିବା ଅପମାନ ପ୍ରତିବାଦରେ ୨୪ ଘଣ୍ଟା ପାଇଁ ଉପବାସ କରିବାକୁ ଘୋଷଣା କରିଛନ୍ତି ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ।
ଗତ ରବିବାରଦିନ ରାଜ୍ୟସଭାରେ କୃଷି ସମ୍ପର୍କିତ ୨ଟି ବିଲ-କୃଷି ଉତ୍ପାଦ ବିପଣନ ଓ ବଣିଜ (ପ୍ରେତ୍ସାହନ ) ବିଲ ୨୦୨୦ ଓ କୃଷକ (ସଶକ୍ତିକରଣ ଓ ସୁରକ୍ଷା) ବିଲ ୨୦୨୦ ବିରୋଧୀ ଦଳଙ୍କ ପ୍ରବଳ ବିରୋଧ ମଧ୍ୟରେ ଗୃହୀତ ହୋଇଥିଲା ।

ଏହି ବିଲକୁ ନେଇ ରାଜ୍ୟସଭାରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ ଆଦମି ପାର୍ଟି, ଡିଏମକେ, ଏନଡିଏ ସହଯୋଗୀ ଆକାଳୀ ଦଳ ପ୍ରମୁଖ ବିରୋଧ କରିଥିଲେ । ଏପରିକି ଏହି ବିରୋଧୀ ଦଳ ସାଂସଦମାନେ ଉପାଧ୍ୟକ୍ଷଙ୍କ ପୋଡିୟମ ଉପରକୁ ଉଠି କାଗଜପତ୍ର ଚିରିଦେଇଥିଲେ । ୮ ଜଣ ବିଶୃଙ୍ଖଳିତ ସଦସ୍ୟଙ୍କ ବିରୋଧରେ ଗତକାଲି ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଙ୍କିଆ ନାଇଡୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସଂସଦର ବାକି ଅଧିବେଶନ ପାଇଁ ନିଲମ୍ବିତ କରିଥିଲେ ।

ସମ୍ବନ୍ଧିତ ଖବର