ବିରୋଧୀ ଦଳମାନେ ବିଜେପି ସରକାରକୁ ପ୍ରଶଂସା କରନ୍ତୁ: ଆଜାଦ

ନୂଆଦିଲ୍ଲୀ: ୨୦ଟି ବିରୋଧୀ ଦଳ ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରିବେ। ତେବେ ବିରୋଧୀ ଦଳମାନଙ୍କର ଏହି ନିଷ୍ପତ୍ତିକୁ ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦ କଡ଼ା ସମାଲୋଚନା କରିଛନ୍ତି। ଡିପିଏପି (ଡିମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି) ମୁଖ୍ୟ କହିଛନ୍ତି, ରେକର୍ଡ ସମୟରେ ନୂଆ ସଂସଦ ଭବନ ନିର୍ମାଣ ହୋଇଥିବାରୁ ବିରୋଧୀ ଦଳଗୁଡ଼ିକ ବିଜେପି ସରକାରକୁ ପ୍ରଶଂସା କରିବା ଉଚିତ ବୋଲି ସେ କହିଛନ୍ତି। ଆଜାଦ କହିଛନ୍ତି, ଯଦି ମୁଁ ଦିଲ୍ଲୀରେ ରହିଥାନ୍ତି ତେବେ ମୁଁ ନିଶ୍ଚିତ ଭାବେ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି।

କିନ୍ତୁ ମୋର ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ଅଛି। ଆଜାଦ କହିଛନ୍ତି, ବିରୋଧୀ ଦଳମାନେ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରିବା ବିଷୟକୁ ମୁଁ କଡ଼ା ବିରୋଧ କରୁଛି। ଆଜାଦ କହିଛନ୍ତି, ମୁଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିବାବେଳେ ୩୦-୩୫ ବର୍ଷ ପୂର୍ବେ ଆମେ ଏକ ନୂଆ ସଂସଦ ନିର୍ମାଣର ସ୍ବପ୍ନ ଦେଖିଥିଲୁ। ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ଶିବରାଜ ପାଟିଲ ଏବଂ ମୁଁ ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା କରିଥିଲୁ। ଏଥିପାଇଁ ଏକ ମ୍ୟାପ୍‌ ମଧ୍ୟ ପ୍ରସ୍ତୁତ ହୋଇଥିଲା। ସେ ସମୟରେ ଆମେ ଏହା କରିପାରିନଥିଲୁ। କିନ୍ତୁ ଏବେ ସଂସଦ ଭବନ ନିର୍ମାଣ ହେବା ଅତ୍ୟନ୍ତ ସ୍ବାଗତଯୋଗ୍ୟ।

ସମ୍ବନ୍ଧିତ ଖବର