କୃଷକ ସଂଗଠନମାନଙ୍କର ‘ଭାରତ ବନ୍ଦ’ ଡାକରାକୁ କଂଗ୍ରେସ ସମେତ ବହୁ ବିରୋଧୀ ଦଳର ସମର୍ଥନ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ରର ନୂତନ କୃଷି ଆଇନକୁ ବିରୋଧ କରି ପ୍ରାୟ ଦୁଇ ସପ୍ତାହ ଧରି ଦିଲ୍ଲୀ ସୀମାନ୍ତରେ ଏକତ୍ରିତ ହୋଇଥିବା କୃଷକ ସଂଗଠନ ପକ୍ଷରୁ ଡକାଯାଇଥିବା ମଙ୍ଗଳବାରର ‘ଭାରତ ବନ୍ଦ’କୁ ସମର୍ଥନ କରିବାକୁ ଅନେକ ବିରୋଧୀ ଦଳ ଘୋଷଣା କରିଛନ୍ତି।

କଂଗ୍ରେସ, ତୃଣମୂଳ କଂଗ୍ରେସ, ଆରଜେଡି, ସମାଜବାଦୀ ପାର୍ଟି , ବାମପନ୍ଥୀ ଦଳ, ତାମିଲନାଡୁର ଡିଏମକେ ଏବଂ ତେଲେଙ୍ଗାନାର ଶାସକ ଟିଆରଏସ ଭଳି ରାଜନୈତିକ ଦଳଗୁଡ଼ିକ କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି।

ଆଜି ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସହର ସୀମାନ୍ତରେ ଥିବା ଚାଷୀମାନଙ୍କୁ ଜରୁରୀକାଳୀନ ଭିତ୍ତିଭୂମି ଯୋଗାଇ ଦେଇଥିବା ସୂଚନା ଦେବା ସହିତ କହିଛନ୍ତି ଯେ ଆମ ଆଦମି ପାର୍ଟି ଏହି ବନ୍ଦକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃଷକଙ୍କ ଧୈର୍ଯ୍ୟ ପରୀକ୍ଷା ନ କରିବାକୁ ଚେତାବନୀ ଦେଇଛନ୍ତି।
ତାମିଲନାଡୁରେ ଡିଏମକେ ମୁଖ୍ୟ ତଥା ବିରୋଧୀ ଦଳର ନେତା ଏମ.କେ ଷ୍ଟାଲିନ ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ମହାମାରୀ ସମୟରେ ଆଇନ ପ୍ରଣୟନ କରିଥିବାରୁ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ତାମିଲନାଡୁରୁ ମଧ୍ୟ ଅଭିନେତା-ରାଜନେତା କମଲ ହାସନ ତାଙ୍କ ମକ୍କାଲ ନିହି ମାୟାମରୁ ୧୦ଜଣିଆ ଦଳକୁ ଦିଲ୍ଲୀ ପଠାଇ ଚାଷୀଙ୍କ ଦାବିକୁ ସମର୍ଥନ କରୁଥିବା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଡିସେମ୍ବର ୮ ତାରିଖରେ ‘ଭାରତ ବନ୍ଦ’ ହେବ ବୋଲି ଅଲ ଇଣ୍ଡିଆ କିସାନ ଫେଡେରେସନର ସଭାପତି ପ୍ରେମ ସିଂ ଭଙ୍ଗୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର