ନିରବଙ୍କୁ ବି ଫେରାର୍‌ କରାଇଦେଲେ: ପତ୍ନୀଙ୍କ ସହ ସ୍ୱିଜରଲ୍ୟାଣ୍ଡ୍‌ରେ! ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁମ୍ବାଇ ସ୍ଥିତ ଏମ୍‌ସି ବ୍ରାଡି ଶାଖାରୁ ୧୧,୩୦୦ କୋଟି ଟଙ୍କାର ଠକେଇ  ବୁଧବାର ପଦାକୁ ଆସିବା ପରେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି । ତେବେ ଏହି ଖବର ପଦାକୁ ଆସିବା ପୂର୍ବରୁ ଏହି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ପତ୍ନୀଙ୍କ ସହ ଗତ ଜାନୁଆରି ୬ ତାରିଖରୁ ଭାରତରୁ ଫେରାର ହୋଇସାରିଛନ୍ତି। ଲଳିତ ମୋଦି ଓ ବିଜୟ ମାଲ୍ୟାଙ୍କ ଭଳି  ଅତ୍ୟନ୍ତ ଯୋଜନାବଦ୍ଧ ଢଙ୍ଗରେ ନିରବ ଫେରାର ହୋଇଥିବାରୁ ଏହା ପଛରେ ସରକାରଙ୍କ ହାତଥିବା ଅଭିଯୋଗ ଆଣି ବିରୋଧୀ ଦଳଗୁଡ଼ିକ ତମ୍ବିତୋଫାନ ଆରମ୍ଭ କରିଛନ୍ତି। ନିରବଙ୍କ ପତ୍ନୀ ଆମି ଜଣେ ଆମେରିକୀୟ ନାଗରିକ ହୋଇଥିବା ବେଳେ   ନିରବଙ୍କ ସମ୍ପକୀୟ ମେହୁଲ ଚୋକ୍‌ସି ଜାନୁଆରି ୪ ତାରିଖରେ ଦେଶ ଛାଡ଼ିଥିବା ଜଣାପଡ଼ିଛି । ନିରବ ମୋଦିଙ୍କ ଭାଇ ମଧ୍ୟ ବେଲଜିୟମ ନାଗରିକ ହୋଇଥିବାବେଳେ ସେ ଜାନୁଆରି ପହିଲାରେ ଦେଶ ଛାଡ଼ି ପଳାଇଛନ୍ତି।  ସିବିଆଇ  ଏହି ଅଭିଯୁକ୍ତମାନଙ୍କ  ବିରୋଧରେ ଗତ ଜାନୁଆରି ୩୧ ତାରିଖରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଛି। ନିରବ ଏବେ ପତ୍ନୀଙ୍କ ସହ ସ୍ୱିଜରଲ୍ୟାଣ୍ଡ୍‌ରେ ଥିବା ଅନୁମାନ କରାଯାଉଛି।

ଦେଶର ସବୁଠାରୁ ବଡ଼ ବ୍ୟାଙ୍କିଙ୍ଗ୍‌  ଦୁର୍ନୀତି ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ମୋଦି ସରକାରଙ୍କୁ ଆଜି ଜୋର୍‌ଦାର ଆକ୍ରମଣ କରିଛନ୍ତି।  ଏହି ଦୁର୍ନୀତି ପାଇଁ ସରକାରଙ୍କୁ  ସିଧାସଳଖ ଦାୟୀ କରିଛି କଂଗ୍ରେସ।  ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ଦୁର୍ନୀତି  ପାଇଁ ପ୍ରଧାନମନ୍ତ୍ରୀ  ନିଜେ ଦାୟୀ।  ଅଳଙ୍କାର ବ୍ୟବସାୟୀ ନିରବ ମୋଦି (୪୬) ପିଏନ୍‌୍‌ବିର ମୁମ୍ବାଇ ଶାଖାର  ଜାଲ୍‌ ଗ୍ୟାରେଣ୍ଟିପତ୍ର ହାସଲ କରି ଅନ୍ୟ ଭାରତୀୟ ବ୍ୟାଙ୍କର ବିଦେଶୀ ଶାଖାାରୁ ଋଣ ହାସଲ କରିଥିବାରୁ ରାହୁଲ ଏହି ମାମଲାରେ ଟ୍ଵିଟ୍‌ କରି କହିଛନ୍ତି ଭାରତକୁ କିଭଳି ଲୁଟି ହେବ ତାହା ଆମକୁ ନିରବ ମୋଦି ଶିଖାଇଛନ୍ତି। ପ୍ରଥମେ ସେ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କଲେ, ଦ୍ୱିତୀୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ତାଙ୍କୁ ଦେଖିବାକୁ ମିଳିଲା । ଡାଭୋସ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବି ନିରବ ମୋଦି ରହିଥିଲେ। ଶେଷରେ ଦେଶର ୧୨ ହଜାର କୋଟି ଟଙ୍କା ଚୋରାଇ ବିଜୟ ମାଲ୍ୟା ଫେରାର ହେବା ଭଳି ନିରବ ମୋଦି ମଧ୍ୟ ଫେରାର୍‌ ହୋଇଗଲେ। ରାହୁଲଙ୍କ ଟ୍ଵିଟ୍‌ର କିଛି ସମୟ ପରେ ଆଜି କଂଗ୍ରେସ ଏ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି  ସରକାରଙ୍କୁ କଡ଼ା ସମାଲୋଚନା କରିଛି । ଦଳ ପ୍ରବକ୍ତା ରଣଦୀପ ସୁର୍ଯେଓ୍ଵାଲା କହିଛନ୍ତି ଯେ ମୋଦି ସରକାରଙ୍କ ନାକ ତଳେ ହୋଇଥିବା ଏହି ଦୁର୍ନୀତିରେ  ସମଗ୍ର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ପ୍ରତାରିତ ହୋଇଛି । ନିରବ ମୋଦିଙ୍କୁ ‘ଛୋଟା ମୋଦି’ ବୋଲି ଦର୍ଶାଇ ସୁର୍ଯେଓ୍ଵାଲା କହିଛନ୍ତି – ‘ଛୋଟା ମୋଦି’ଙ୍କ ଏହି ଐତିହାସିକ ବ୍ୟାଙ୍କ ଦୁର୍ନୀତି ପାଇଁ ଦାୟୀ କିଏ ସେ ସଂପର୍କରେ କେନ୍ଦ୍ର ସରକାରଙ୍କୁ ଜବାବ ଦେବାକୁ ହେବ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ବିଜେପି ସରକାର ସହ ସଲାସୁତରାରେ ଏହି ଦୁର୍ନୀତି ହୋଇଛି । ବିଜୟ ମାଲ୍ୟା ଏବଂ ନିରବ ମୋଦିଙ୍କ ଭଳି ବ୍ୟକ୍ତି ସରକାରଙ୍କ ବିନା ସହାୟତାରେ ଦେଶ ଛାଡ଼ି ଯାଇପାରିବେ ନାହିଁ ବୋଲି ସେ  କହିଛନ୍ତି।   ପ୍ରଧାନମନ୍ତ୍ରୀଙ୍କ ସହ ନିରବ ମୋଦି ଥିବା ଡାଭୋସ୍‌ ସମ୍ମିଳନୀର ଏକ ଗ୍ରୁପ୍‌ ଫଟୋ ଜାରି କରି କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିବାରୁ  କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହାର ଜବାବ ଦେଇଛନ୍ତି। ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କଂଗ୍ରେସର ଆଚରଣ ଏବଂ ଏହାର ନେତାଙ୍କ କାର୍ଯ୍ୟ ଅତ୍ୟନ୍ତ ତଳ ସ୍ତରର । ଡାଭୋସ୍‌ ବିଶ୍ୱ ଅର୍ଥନୀତି ସମ୍ମିଳନୀରେରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିରବ ମୋଦିଙ୍କର ସାକ୍ଷାତ ହୋଇନଥିଲା। ନିରବ ମୋଦି ନିଜ ଆଡ଼ୁ ଡାଭୋସ ଗସ୍ତ କରିଥିଲେ। ଯେଉଁ ଫଟୋ କଂଗ୍ରେସ ଦଳ  ଦେଖାଉଛି ତାହା ସିଆଇଆଇ ଦ୍ୱାରା ମିଳିତ ଫଟୋ କାର୍ଯ୍ୟକ୍ରମ ସମୟର ବୋଲି ପ୍ରସାଦ ସ୍ପଷ୍ଟ କରିଛନ୍ତି। ରାହୁଲଙ୍କ ସହିତ ମଧ୍ୟ ନିରବ ମୋଦିଙ୍କ ଫଟୋ ରହିଛି । ନିରବ ମୋଦିଙ୍କ ଅଳଙ୍କାର ପ୍ରଦର୍ଶନୀକୁ  ରାହୁଲ ଯାଇଥିଲେ। ତେଣୁ ରାହୁଲ ଏଭଳି ଫଟୋ ରାଜନୀତି କରିବା ବନ୍ଦ କରନ୍ତୁ ବୋଲି ପ୍ରସାଦ କହିଥିଲେ।   ଦେଶରେ ଦୁର୍ନୀତି କରି କେହି ବର୍ତ୍ତିପାରିବେ ନାହିଁ ଏବଂ ସରକାର ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ।

ପିଏନ୍‌ବି ଦୁର୍ନୀତିକୁ ନେଇ ସରକାର ଓ ବିରୋଧୀ ଦଳ ମଧ୍ୟରେ ଅଭିଯୋଗ ପ୍ରତ୍ୟାଭିଯୋଗ ଚାଲିଥିବା ବେଳେ ପିଏନ୍‌ବି ଏମ୍‌୍‌ଡି   ସୁନୀଲ ମେହେଟା  କହିଛନ୍ତି ଯେ ଏହି ଦୁର୍ନୀତିର ଆରମ୍ଭ ୨୦୧୧ରେ ହୋଇଥିଲା ଏବଂ ଗତ ଜାନୁଆରି ୨ ତାରିଖରେ ଏ ସଂପର୍କରେ ଜଣାପଡ଼ିଥିଲା। ବ୍ୟାପକ ଖୋଳତାଡ଼ ପରେ ଆମେ ଜାନୁଆରି ୨୯ ତାରିଖରେ ସିବିଆଇରେ ଅଭିଯୋଗ ଦାଖଲ  ହୋଇଥିଲା।  ଏହାର ପରଦିନ ସିବିଆଇ  ଏ ବାବଦରେ ଏଫ୍‌୍‌ଆଇଆର୍‌ ରୁଜୁ କରିଥିଲା ବୋଲି ମେହେଟା କହିଛନ୍ତି।

ଦେଶ ଛାଡି ପଳାଇଥିବା ଅନ୍ୟ ବ୍ୟବସାୟୀ

ନୂଆଦିଲ୍ଲୀ:  ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ୧୧ ହଜାର ୩ ଶହ କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ତଥା ଅଳଙ୍କାର ବ୍ୟବସାୟୀ ନିରବ ମୋଦି ଏବେ ଦେଶ ଛାଡି ପଳାଇଛନ୍ତି। ନିରବଙ୍କ ପରି ଅନ୍ୟ କିଛି ବ୍ୟବସାୟୀ ଯେଉଁମାନେ ସରକାରଙ୍କୁ ଠକି ଦେଶଛାଡି ପଳାୟନ କରିଛନ୍ତି ସେମାନଙ୍କ ସଂପର୍କରେ….

ବିଜୟ ମାଲ୍ୟା: ବିଭିନ୍ନ ଭାରତୀୟ ବ୍ୟାଙ୍କରୁ ୯ହଜାର କୋଟି ଟଙ୍କା ଋଣ ନେଇ ଫେରାର୍‌ ହୋଇଯାଇଥିବା ମଦ ବ୍ୟବସାୟୀ  ବିଜୟ ମାଲ୍ୟା ଏବେ ଲଣ୍ଡନରେ ରହୁଛନ୍ତି। ୨୦୧୬ ମସିହା ମାର୍ଚ୍ଚ ମାସରେ ଦେଶର ଅନେକ ବ୍ୟାଙ୍କ ମାଲ୍ୟାଙ୍କ ବିଦେଶ ଗସ୍ତକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ମାତ୍ର ସେତେବେଳକୁ ମାଲ୍ୟା ଦେଶଛାଡି ଲଣ୍ଡନ ଚାଲିଯାଇଥିଲେ। ଗତବର୍ଷ ଲଣ୍ଡନରେ ସେ ଗିରଫ ହେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଜାମିନ୍‌ରେ ମୁକୁଳି ଯାଇଥିଲେ। ଏହାପରେ ତାଙ୍କ ଗିରଫଦାରୀ ବିଷୟରେ ବୟାନ ଦେଇ ଭାରତୀୟ ଗଣମାଧ୍ୟମ  ମିଛ ଖବର ପ୍ରସାରଣ କରୁଥିବା କହିଥିଲେ।

ଲଳିତ ମୋଦି: ଆଇପିଏଲ କ୍ରିକେଟ୍‌ର ଅଧ୍ୟକ୍ଷ ଥିବା ବେଳେ ଭାରତୀୟ ବ୍ୟବସାୟୀ ଲଳିତ ମୋଦି ବିଦେଶୀ ମୁଦ୍ରା ବିନିମୟରେ ଦେଶର ଶହ ଶହ କୋଟି ଟଙ୍କା ଠକି ନେଇଥିଲେ। ଯେଉଁଥିପାଇଁ ତାଙ୍କୁ ୨୦୧୦ ମସିହାରେ କୋଚି ଆଇପିଏଲ୍‌ ଟିମକୁ ହାତଛଡା କରିବାକୁ ପଡିଥିଲା। ଏଥିପାଇଁ କ୍ରିକେଟ ଆସୋସିଏସନ୍‌ ଓ ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରାଯାଇଥିଲା। କିନ୍ତୁ ତାଙ୍କ ପରିବାରର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ଲଣ୍ଡନ ପଳାଇଥିଲେ। ୨୦୧୧ ମସିହାରେ ତାଙ୍କ ପାସ୍‌ପୋର୍ଟକୁ ରଦ୍ଦ କରିଦିଆଗଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ନାମରେ ବ୍ଲୁ-କର୍ଣ୍ଣର ନୋଟିସ୍‌ ମଧ୍ୟ ଜାରି କରିଥିଲା। ସେ ଏବେ ଲଣ୍ଡନରେ ରହୁଛନ୍ତି ଓ ଇଡିଙ୍କ ନୋଟିସ୍‌କୁ ସ୍ଥାନୀୟ କୋର୍ଟରେ ସାମ୍ନା କରୁଛନ୍ତି।

ଦୀପକ୍‌ ତଲଓ୍ଵାର: କର୍ପୋରେଟ ପରାମର୍ଶଦାତା ଭାବେ ଦୀପକ୍‌ ତଲଓ୍ଵାର ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଶହ ଶହ କୋଟି ଟଙ୍କ  ଠକେଇ କରି ସଂଯୁକ୍ତ ଆରବ ଏମିରାଟ୍‌୍‌ସକୁ ପଳାୟନ କରିଛନ୍ତି। ଆୟକର ବିଭାଗର ସୂଚନା ମୁତାବକ, କେନ୍ଦ୍ରରେ ୟୁପିଏ ସରକାର ସମୟରେ କିଛି ବରିଷ୍ଠ ସରକାରୀ ଅଧିକାରୀଙ୍କ ସହାୟତାରେ ଦୀପକ ଅନେକ ବିମାନ କମ୍ପାନିକୁ ମାଧ୍ୟମ କରି ଏହି ଠକେଇ ଅର୍ଥକୁ ବିଦେଶ ଚାଲାଣ କରିଛନ୍ତି। ତାଙ୍କ ନାମରେ ଆୟକର ବିଭାଗ ଭିନ୍ନ ଭିନ୍ନ ୫ଟି ମାମଲା ରୁଜୁ କରିଛି।  କିନ୍ତୁ ସବୁ ଘଟଣାର ପର୍ଦ୍ଦାଫାସ ହେବା ପୂର୍ବରୁ ହିଁ ଦିପକ ଦେଶଛାଡି ପଳାଇଥିଲେ।   ଦିପକଙ୍କୁ ସଂଯୁକ୍ତ ଆରବ ରାଷ୍ଟ୍ର ଛାଡି ବାହାରକୁ ଯିବାରେ ବାରଣ କରାଯାଇଛି।

ସଞ୍ଜୟ ଭଣ୍ଡାରୀ: ଅଫ୍‌ସେଟ ପ୍ରିଣ୍ଟିଂ କମ୍ପାନି ଓ ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀଙ୍କ ଘରେ ୨୦୧୬ ମସିହାରେ  ଆୟକର ବିଭାଗର ଚଢଉ ବେଳେ ସେ ପ୍ରତିରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌କୁ ଲିକ୍‌ କରିବା ପାଇଁ ରଖିଥିବା ଜଣାପଡ଼ିଥିଲା।  କିନ୍ତୁ ତାଙ୍କୁ ଗିରଫ କରାଯିବା ପୂର୍ବରୁ ସେ ନେପାଳ ଦେଇ ଅନ୍ୟ ରାଷ୍ଟ୍ରକୁ ପଳାଇବାରେ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର