ଦିଲ୍ଲୀରେ ବିରୋଧୀ ଦଳଙ୍କ ମେଗା ରୢାଲି

ଜାତୀୟସ୍ତରରେ କଂଗ୍ରେସ ଓ ବାମଦଳ ସହ ହାତ ମିଳାଇବ ଟିଏମ୍‌ସି

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ବିରୋଧୀଦଳମାନେ ଏକ ମେଗା ରୢାଲିରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଜାନୁଆରି ୧୯ରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଡାକରାରେ ୨୦ରୁ ଅଧିକ ରାଜନୈତିକ ଦଳର ନେତୃବୃନ୍ଦ କୋଲକାତା ରୢାଲିରେ ସମବେତ ହୋଇଥିବା ବେଳେ ଏହାର ୩ ସପ୍ତାହ ପରେ ଦିଲ୍ଲୀରେ ପୁଣି ମେଗା ରୢାଲି ବିରୋଧୀ ଦଳଗୁଡ଼ିକୁ ଅଧିକ ସଂଗଠିତ ଏବଂ ଏକଜୁଟ୍‌ କରିଛି। ଆମ୍‌ ଆଦ୍‌ମି ପାର୍ଟି ନେତୃତ୍ବରେ ହୋଇଥିବା ‘ଏକଛତ୍ରବାଦ ହଟାଓ-ଗଣତନ୍ତ୍ର ବଞ୍ଚାଓ।’ ରୢାଲିରେ ବିଭିନ୍ନ ଦଳର ୩୦ରୁ ଅଧିକ ନେତା ଯୋଗ ଦେଇଥିଲେ। ମମତା ଏହି ରୢାଲିରେ ଉଦ୍‌ବୋଧନ ଦେଇ ଏନ୍‌ଡିଏ ସରକାରକୁ କଡ଼ା ସମାଲୋଚନା କରିଥିଲେ। ଲୋକଙ୍କ ରକ୍ତ ପିଇ ଏନ୍‌ଡିଏ ସରକାର ଦେଶରେ ଅରାଜକତା ସୃଷ୍ଟି କରିଛି ଏବଂ ସମସ୍ତ ସାମ୍ବିଧାନିକ ସଂସ୍ଥାକୁ ବରବାଦ କରିଛି ବୋଲି ମମତା କହିଥିଲେ। ଏନ୍‌ଡିଏକୁ କ୍ଷମତାରୁ ହଟାଇବା ପାଇଁ ଜାତୀୟସ୍ତରରେ କଂଗ୍ରେସ ଏବଂ ବାମଦଳମାନଙ୍କ ସହ ଟିଏମ୍‌ସି ହାତ ମିଳାଇବ ବୋଲି ମମତା ଘୋଷଣା କରିଥିଲେ। ବିରୋଧୀ ମେଣ୍ଟକୁ ଜାତୀୟସ୍ତରରେ ସଫଳ କରିବା ପାଇଁ ଟିଏମ୍‌ସି ଏଭଳି ନିଷ୍ପତ୍ତି ନେଇଛି ବୋଲି ସେ କହିଥିଲେ। ରୢାଲିରେ ଉଦ୍‌ବୋଧନ ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ନରେନ୍ଦ୍ର ମୋଦୀ ସରକାର କେବଳ ସମ୍ବିଧାନକୁ ଉଲ୍ଲଂଘନ କରିନାହିଁ, ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମଧ୍ୟ ଧ୍ବଂସ କରିଦେଇଛି। ଦେଶର ସ୍ବାର୍ଥ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୋଦୀ ରାଫେଲ ପ୍ରସଙ୍ଗରେ ସବୁକଥା ସ୍ପଷ୍ଟଭାବେ ଦେଶବାସୀଙ୍କ ଆଗରେ ରଖିବା ଜରୁରୀ ବୋଲି ସେ କହିଛନ୍ତି। ମୋଦୀ ସରକାର ସିବିଆଇକୁ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରି ଦେଶରେ ଅରାଜକତା ସ୍ଥିତି ସୃଷ୍ଟି କରିଛନ୍ତି ବୋଲି ସେ କହିଥିଲେ। ସିପିଏମ୍‌ ନେତା ସୀତାରାମ ୟେଚୁରି କହିଥିଲେ ଯେ ବିଜେପି କୌରବ ସେନା ଭଳି ଅତ୍ୟାଚାର କରିଚାଲିଛି, କିନ୍ତୁ ପାଣ୍ଡବଙ୍କ ହାତରେ ନିଶ୍ଚିତ ପରାସ୍ତ ହେବ। ସିପିଆଇ ନେତା ଡି. ରାଜା କହିଥିଲେ ଯେ ଗଣତନ୍ତ୍ର ପ୍ରତି ମୋଦୀ ସରକାରରେ ଯେଭଳି ବିପଦ ଦେଖାଦେଇଛି ତାହା ଅନ୍ୟ କେଉଁ ସରକାରରେ ନଥିଲା। ତେବେ ୟେଚୁରି ଏବଂ ଡି ରାଜା ମମତା ବାନାର୍ଜୀ ମଂଚକୁ ଆସିବା ପୂର୍ବରୁ ଭାଷଣ ସାରି ପଳାଇଯିବା ଚର୍ଚ୍ଚାର ବିଷୟ ହୋଇଥିଲା। ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା, ସମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ, ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା, ଏନ୍‌ସିପି ନେତା ଶରଦ ପାୱାର ପ୍ରମୁଖ ଏହି ରୢାଲିରେ ଉଦ୍‌ବୋଧନ ଦେଇଥିଲେ। ଦିଲ୍ଲୀ ପ୍ରଦେଶ କଂଗ୍ରେସ ମୁଖ୍ୟ ଶିଲା ଦିକ୍ଷୀତ ଏହି ରୢାଲିରୁ ଦୂରେଇ ରହିବା ସହ କିଛି ନେତାଙ୍କ ଆଭିମୁଖ୍ୟ ଠିକ୍‌ ନାହିଁ ବୋଲି କହିବା ମଧ୍ୟ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସମ୍ବନ୍ଧିତ ଖବର