ସଂସଦରେ ବିରୋଧୀଙ୍କ ଦାବି: ଏସ୍ସି/ଏସ୍ଟି ଆଇନ ପୂର୍ବରୁ ଅଧ୍ୟାଦେଶ ଆଣ
ଚଳିତ ଅଧିବେଶନରେ ବିଲ୍ ପାରିତ ହେବ: କେନ୍ଦ୍ର
ନୂଆଦିଲ୍ଲୀ: ଏସ୍ସି/ଏସ୍ଟି ଆଇନରେ ଥିବା ପୁରୁଣା ବ୍ୟବସ୍ଥାକୁ କାଏମ ରଖିବା ପାଇଁ ଏ ବାବଦ ଏକ ବିଲ୍କୁ ସରକାରଙ୍କ ପକ୍ଷରୁ ମଞ୍ଜୁରି ଦିଆଯାଇଥିବା ବେଳେ ଏହାକୁ ନେଇ ଆଜି ସଂସଦରେ ହଟ୍ଟଗୋଳ ପରିସ୍ଥିତି ଉପୁଜିଛି। ଏହି ଆଇନ କାର୍ଯ୍ୟକାରୀ ହେବା ଲାଗି ଅଧିକ ସମୟ ଲାଗିବ। ତେଣୁ ଏହା ପୂର୍ବରୁ ସରକାର ଏକ ଅଧ୍ୟାଦେଶ ଆଣି ଆଇନରେ ରହିଥିବା ବ୍ୟବସ୍ଥାଗୁଡ଼ିକୁ ଲାଗୁ କରିବା ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ। ସେ ଆହୁରି କହିଥିଲେ ଯେ କେନ୍ଦ୍ର ସରକାର ଏହା ପୂର୍ବରୁ ଅନେକ ଆଇନ ଲାଗୁ କରିବା ଆଗରୁ ଅଧ୍ୟାଦେଶ ଆଣିଛନ୍ତି। ତେଣୁ ଏସ୍ସି/ଏସ୍ଟି ଆଇନ କ୍ଷେତ୍ରରେ ବି ଅନୁରୂପ ପଦକ୍ଷେପ ନିଆଯାଇ ପାରିବ। ଏଥିପାଇଁ ସରକାର ଯଦି ଅଧ୍ୟାଦେଶ ଆଣିବାକୁ ଚାହୁନାହାନ୍ତି, ତାହାର କାରଣ ସମ୍ପର୍କରେ ଗୃହକୁ ଜଣାଇବା ଉଚିତ। ଖଡ଼ଗେ ଆହୁରି କହିଥିଲେ କି ଏସ୍ଟି/ଏସ୍ଟି ବର୍ଗର ଲୋକମାନେ ପ୍ରତି ୧୫ ମିନିଟ୍ରେ ଅତ୍ୟାଚାରର ଶିକାର ହେଉଛନ୍ତି। ତେଣୁ ଏଥିପାଇଁ ସରକାର ଶୁକ୍ରବାର ହିଁ ଅଧ୍ୟାଦେଶ ଆଣିବା ଦରକାର। ଏହାକୁ ଆମେ ସର୍ବସମ୍ମତିକ୍ରମେ ଅନୁମୋଦନ କରାଇବୁ।
ଖଡ଼ଗେଙ୍କୁ ଜବାବ ଦେବାକୁ ଯାଇ ଗୃହମନ୍ତ୍ରୀ ରାଜନାଥ ସିଂହ କହିଲେ, ଏସ୍ସି/ଏସ୍ଟି ବିଲ୍କୁ ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇସାରିଛି। ସଂସଦର ଚଳିତ ମୌସୁମୀ ଅଧିବେଶନରେ ଏହାକୁ ଆଗତ କରାଯାଇ ଅନୁମୋଦନ ଲୋଡ଼ାଯିବ। ଏ କଥା ଖଡ଼ଗେ ଜାଣିବାର ଉଚିତ ଥିଲା ବୋଲି ରାଜନାଥ କହିଥିଲେ। ଏସ୍ସି/ଏସ୍ଟି ଆଇନକୁ ନେଇ ମାର୍ଚ୍ଚ ୨୦ରେ ସୁପ୍ରିମ୍କୋର୍ଟ ଦେଇଥିବା ରାୟକୁ ଅଚଳ କରିବା ପାଇଁ ମୋଦୀ ସରକାର ସାନି ବିଲ୍ ପ୍ରସ୍ତୁତ କରିଛନ୍ତି। ସୁପ୍ରିମ୍କୋର୍ଟଙ୍କ ରାୟ ଯୋଗୁ ଆଇନ କାଳେ ଅପ୍ରଭାବୀ ହୋଇଯିବ, ସେ ଆଶଙ୍କା କରି ସରକାର ନୂଆ ବିଲ୍ ଆଣିବାକୁ ନିଷ୍ପତ୍ତି ନେଲେ। ଏହି ବିଲ୍ ଏବେ କ୍ୟାବିନେଟ୍ ଅନୁମୋଦନ ହାସଲ କରିଛି ଏବଂ ଏହାକୁ ଚଳିତ ଅଧିବେଶନରେ ହିଁ ମଞ୍ଜୁରି ମିଳିବ ବୋଲି ଆଶା କରାଯାଉଛି।
ଭେଙ୍କୟାଙ୍କ ବିରୋଧରେ ଅଭିଯୋଗପତ୍ର
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁଙ୍କ ବିରୋଧରେ ଆସାମର କଂଗ୍ରେସ ସାଂସଦମାନେ ଅଭିଯୋଗପତ୍ର ପ୍ରଦାନ କରିବେ ବୋଲି ଆଜି ଘୋଷଣା କରିଛନ୍ତି। ରାଜ୍ୟସଭାରେ ଅଧ୍ୟକ୍ଷ ପକ୍ଷପାତ ନୀତି ଧରିଛନ୍ତି ଏବଂ ରାଷ୍ଟ୍ରୀୟ ନାଗରିକ ପଂଜିକା ନେଇ ସେମାନଙ୍କୁ କହିବାକୁ ସୁଯୋଗ ଦେଉନାହାନ୍ତି ବୋଲି ଅଭିଯୋଗ ଆଣି ଆସାମ ସାଂସଦମାନେ ଏହି ପତ୍ର ଭେଙ୍କୟାଙ୍କୁ ପ୍ରଦାନ କରିବେ। ଗୁରୁତ୍ୱପୂର୍ଣ୍ଣ ହେଉଛି, ଯାହାଙ୍କ ବିରୋଧରେ ଅଭିଯୋଗ କରାଯାଉଛି ସେ ହିଁ ମାମଲାର ଫଏସଲା କରିବେ। ତେବେ ଏହି ଅଭିଯୋଗପତ୍ରରେ ଆସାମର ରାଜ୍ୟସଭା ସାଂସଦ ତଥା ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦସ୍ତଖତ କରିବେ ନାହିଁ ବୋଲି ଜଣାପଡ଼ିଛି ।
‘ଏହା ତୁମ ଦଳ ଅଫିସ୍ ନୁହେଁ’
ନୂଆଦିଲ୍ଲୀ: ଏନ୍ଆର୍ସିକୁ ନେଇ ୪ ଦିନ ହେଲା ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦମାନେ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି କରିବା ଯୋଗୁ ସଂସଦର ଗୃହ କାର୍ଯ୍ୟ ଅଚଳ ହୋଇଯାଇଛି। ବିଶେଷକରି ରାଜ୍ୟସଭାରେ ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଛି। ଏହାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ତୃଣମୂଳ ନେତାଙ୍କ ଉପରେ ପ୍ରବଳ ବର୍ଷିବା ପରେ ତୃଣମୂଳ ନେତା ତାହାର କଡ଼ା ଜବାବ ଦେଇଛନ୍ତି। ଅମିତ୍ଙ୍କ ଜବାବର ପ୍ରତିକ୍ରିୟା ରଖି ଟିଏମ୍ସି ସାଂସଦ ଡେରେକ୍ ଓବ୍ରେନ୍ କହିଛନ୍ତି, ସଂସଦ ବିଜେପିର ପାର୍ଟି ଅଫିସ୍ ନୁହେଁ। ଏଠାରେ ସମସ୍ତଙ୍କର କହିବାର ଅଧିକାର ରହିଛି। ତେଣୁ ଏନ୍ଆର୍ସିକୁ ବିରୋଧ କରି ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଜି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ କହିଛନ୍ତି, ଏନ୍ଆର୍ସି ପ୍ରସଙ୍ଗରେ ଅମିତ୍ ଶାହ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ କଥା ଉଠାଇ କୌଣସି ପ୍ରକାର ସାମ୍ବିଧାନିକ ନିୟମର ଉଲ୍ଲଂଘନ କରିନାହାନ୍ତି।