ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ମତ ରଖିଲେ ୩ ଦଳ

ବିରୋଧୀ ଦଳ ନେତାଙ୍କ ଭଳି କହିଥିଲେ: ସପ୍ତଗିରି
ରାଜନୈତିକ ଭାଷଣ ଭଳି ଜଣାପଡ଼ୁଥିଲା: ପିନାକୀ
ଭାଷଣ ତଥ୍ୟ ଉପରେ ଆଧାରିତ ଥିଲା: ଅପରାଜିତା

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଥିଲେ। ତେବେ, ପ୍ରଧାନମନ୍ତ୍ରୀଙ୍କ ଅଭିଭ‌ାଷଣ ଉପରେ କଂଗ୍ରେସ , ବିଜେପି ଓ ବିଜେଡି ସାଂସଦ ଭିନ୍ନଭିନ୍ନ ମତ ପ୍ରଦାନ କରିଛନ୍ତି।

କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିରୋଧୀ ଦଳ ନେତାଙ୍କ ଭଳି ବକ୍ତବ୍ୟ ରଖିଥିଲେ। ସିଏଏ ବ‌ିରୋଧୀ ଆନ୍ଦୋଳନରେ ସେ ଯେ ଡରି ଯାଇଛନ୍ତି, ତାହା ତାଙ୍କ ବକ୍ତବ୍ୟରୁ ବାରି ହୋଇଯାଇଥିଲା। ଶ୍ରୀ ଉଲାକା ଆହୁରି କହିଛନ୍ତି ଯେ, ଦେଶର ଆର୍ଥିକ ସ୍ଥିତି ଉପରେ ଦୃଢ଼ ବାର୍ତ୍ତା ଦେବାର ଆବଶ୍ୟକତା ଥିବାବେଳେ ପ୍ରଧାନମନ୍ତ୍ରୀ ଏ ନେଇ କିଛି କହିନଥିଲେ। ସେହିଭଳି ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଭାଷଣରେ କଂଗ୍ରେସକୁ ଟାର୍ଗେଟ୍‌ କରିଥିଲେ ଏବଂ ଏହା ରାଜନୈତିକ ଭାଷଣ ଭଳି ଜଣାପଡୁଥିଲା। ଅପରପକ୍ଷେ, ପ୍ରଧାନମନ୍ତ୍ରୀ ତାଙ୍କ ଧନ୍ୟବାଦ ଭାଷଣରେ ଯାହା ସବୁ କହିଲେ, ତାହା ତଥ୍ୟ ଉପରେ ଆଧାରିତ ଥିଲା ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ଭାଷଣରେ ପ୍ରଧାନମନ୍ତ୍ରୀ ଆଗାମୀ ଦିନର ରୋଡ୍‌ମ୍ୟାପ ଉପସ୍ଥାପନ କରିଛନ୍ତି। କୃଷି ଆଧାରିତ ସଂସ୍କାର ଉପରେ ଜୋର୍ ଦେଇଛନ୍ତି ଏବଂ ସମସ୍ତ ପ୍ରସଙ୍ଗଗୁଡ଼ିକ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର