ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦର ପଞ୍ଚମ ବାର୍ଷିକୀ ଅବସରରେ ମଙ୍ଗଳବାର ଏନ୍‌ଡିଏ ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରିବା ସହ ଅପରେସନ ସିନ୍ଦୂର ଉପରେ ସଂସଦରେ ବିରୋଧୀମାନେ ବିତର୍କ ଦାବି କରି ଦୁଃଖିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଅଗଷ୍ଟ ୫ରେ ଆମେ ଧାରା ୩୭୦ ଉଚ୍ଛେଦ କରିଥିଲୁ। ଅଗଷ୍ଟ ୫ତାରିଖରେ ଆମେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲୁ। ଆଉ ଏବେ ଅଗଷ୍ଟ ୫ ତାରିଖରେ ବିରୋଧୀଙ୍କୁ ଦେଖନ୍ତୁ, ଅପରେସନ ସିନ୍ଦୂର ଉପରେ ବିତର୍କ ଦାବି କରି ନିଜ ଗୋଡ଼ରେ କୁରାଢ଼ି ମାରୁଥିବା ଏଭଳି ବିରୋଧୀ ଦଳ ଆଉ କେଉଁଠି ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କାଶ୍ମୀରର ସୁରକ୍ଷା ସ୍ଥିତି ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ବିରୋଧୀମାନେ ବାରମ୍ବାର ସମ୍ବିଧାନ କଥା କହୁଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ହିଁ ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ-କାଶ୍ମୀରରେ ସମ୍ବିଧାନକୁ ପ୍ରକୃତରେ ଲାଗୁ କରିଥିଲେ। ସେମାନେ ସମ୍ବିଧାନ କଥା କହୁଛନ୍ତି, କିନ୍ତୁ ଜମ୍ମୁ-କାଶ୍ମୀରରେ ଏହାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବାକୁ ଦେଇନାହାନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀ ଶିବିର ଉପରେ ଭାରତର ପ୍ରତିଶୋଧମୂଳକ ଆକ୍ରମଣ ଅପରେସନ ସିନ୍ଦୂର ଉପରେ ବିତର୍କ ପାଇଁ ବିରୋଧୀମାନେ ଚାପ ପକାଇ ଭୁଲ ଆକଳନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି। ସେ କହିଛନ୍ତି, ବିରୋଧୀ ବିତର୍କ ପାଇଁ ଜିଦ୍ ଧରିଥିଲେ। କିନ୍ତୁ ଆଲୋଚନାରେ  ସେମାନେ ସରକାରଙ୍କୁ ଘେରିବାର ସୁଯୋଗ ହରାଇଛନ୍ତି। ଏହା ବଦଳରେ ସେମାନଙ୍କର ସମନ୍ୱୟ ଓ ଜାତୀୟ ଦୃଷ୍ଟିକୋଣର ଅଭାବକୁ ପଦାରେ ପକାଇଛନ୍ତି।
ଅପରପକ୍ଷେ ଅପରେସନ ସିନ୍ଦୂର ଓ ଅପରେସନ ମହାଦେବ ମାଧ୍ୟମରେ ଭାରତର କଡ଼ା ଜବାବ, ଭାରତୀୟ ସଶସ୍ତ୍ର ବାହିନୀର ସାହସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ଏନ୍‌ଡିଏ ଏକ ସଂକଳ୍ପ ପାରିତ କରିଛି।